ସାବଧାନ! ଯଦି ଆପଣ ଡାଏଟ୍ କୋକ୍ର ସୌକିନ୍, ତେବେ ଏହି ଖବର ଆପଣଙ୍କୁ ଚମକାଇ ଦେଇପାରେ। ବଜାରରୁ ହଠାତ୍ ଗାଏବ ହୋଇଯାଇଛି ଆପଣଙ୍କ ପ୍ରିୟ ସଫ୍ଟ ଡ୍ରିଙ୍କସ୍। କୌଣସି ସୁପର ମାର୍କେଟ୍ରେ ମିଳୁନି କି ଡେଲିଭରୀ ଆପ୍ରେ ଦେଖାଉନି। କୁଆଡ଼େ ଗଲା ଡାଏଟ୍ କୋକ୍? କିଏ ଏହାକୁ ବଜାରରୁ ଉଭାନ କରିଦେଲା? ମୁମ୍ବାଇରୁ ବେଙ୍ଗାଲୁରୁ, ଗୁରୁଗ୍ରାମରୁ ଅହମ୍ମଦାବାଦ— ଦେଶର ବଡ଼ ବଡ଼ ସହରରେ ଏବେ ‘ଜିରୋ ସୁଗାର’ ପାଇଁ ହାହାକାର। ବ୍ଲିଙ୍କଇଟ୍ ହେଉ କି ସ୍ୱିଗି ଇନଷ୍ଟାମାର୍ଟ, ସବୁଠି କେବଳ ଗୋଟିଏ ଲେଖା ଶୋଭା ପାଉଛି— ‘ଆଉଟ୍ ଅଫ୍ ଷ୍ଟକ୍’। ସୋସିଆଲ ମିଡିଆରେ ନେଟିଜେନ୍ସ ଏବେ ଚିନ୍ତାରେ। କିଏ ଏହାକୁ ମଜାରେ ‘ନୂଆ LPG ସଙ୍କଟ’ କହୁଛି ତ କିଏ ଜେନ୍-ଜି ମିମ୍ସ ଜରିଆରେ ନିଜର କ୍ରୋଧ ପ୍ରକାଶ କରୁଛି। କିନ୍ତୁ ଆପଣ ଜାଣିଛନ୍ତି କି, ଏହି ସଙ୍କଟର ସୂତ୍ରଧର କିଏ? ଏହାର ପଛରେ ରହିଛି ହଜାର ହଜାର କିଲୋମିଟର ଦୂରରେ ଚାଲିଥିବା ମଧ୍ୟପ୍ରାଚ୍ୟର ଯୁଦ୍ଧ ଉତ୍ତେଜନା। ଷ୍ଟ୍ରେଟ୍ ଅଫ୍ ହର୍ମୋଜ୍ ଜଳପଥରେ ଲାଗିଥିବା ନିଆଁ, ଏବେ ଏସିଆର ମାର୍କେଟକୁ ଶୁଖାଇ ଦେଲାଣି। କେବଳ ପେଟ୍ରୋଲ କି ଡିଜେଲ ନୁହେଁ, ବରଂ ଜାହାଜ ଚଳାଚଳ ବାଧାପ୍ରାପ୍ତ ହେବାରୁ ଆଲୁମିନିୟମର ଯୋଗାଣ ମଧ୍ୟ କମିଯାଇଛି। ଆଉ ଏହି କାରଣରୁ କେନ୍ (Can) ତିଆରିରେ ବାଧା ଉପୁଜିଛି। ବିଶେଷଜ୍ଞଙ୍କ ମତରେ, ଗୋଟିଏ ପଟେ ଯୋଗାଣ ବନ୍ଦ ଆଉ ଅନ୍ୟପଟେ ବଢୁଥିବା ପ୍ରବଳ ଚାହିଦା। ଡାଏଟ୍ କୋକ୍ ପ୍ରେମୀଙ୍କ ସଂଖ୍ୟା ଯେତିକି ବଢୁଛି, ସେହି ତୁଳନାରେ କମ୍ପାନୀ ଷ୍ଟକ୍ ପହଞ୍ଚାଇ ପାରୁନାହିଁ। ଫଳରେ ଏବେ ଖାଲି ପଡ଼ିଛି ରେଷ୍ଟୁରାଣ୍ଟ ଏବଂ ରିଟେଲ୍ ଷ୍ଟୋରର ସେଲଫ୍।
