\n\n\n\n\n\n\n

କଂଗ୍ରେସକୁ ବଡ଼ ଝଟକାହାତ ଛାଡ଼ିଲେ ଅମୀୟ ପାଣ୍ଡବ

ଓଡ଼ିଶା କଂଗ୍ରେସ ଶିବିରରେ ପୁଣି ଥରେ କମ୍ପନ! ନିର୍ବାଚନ ପୂର୍ବରୁ ହାତ ଛାଡ଼ିଲେ ଆଉ ଜଣେ ସକ୍ରିୟ ସାରଥୀ। ଦଳରୁ ଇସ୍ତଫା ଦେଲେ କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଅମୀୟ ପାଣ୍ଡବ। ରାଜ୍ୟ ରାଜନୀତିରେ ଏବେ ଏହି ଖବରକୁ ନେଇ ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁଯାୟୀ, ଅମୀୟ ପାଣ୍ଡବ ନିଜର ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତ ଚରଣ ଦାସଙ୍କ ନିକଟକୁ ପଠାଇ ଦେଇଛନ୍ତି। ଦଳର ପ୍ରାଥମିକ ସଦସ୍ୟ ପଦରୁ ସେ ନିଜକୁ ଦୂରେଇ ନେଇଛନ୍ତି। ୨୦୧୭ ମସିହାରୁ କଂଗ୍ରେସ ସହ ଯୋଡ଼ି ହୋଇ ରହିଥିବା ଅମୀୟ, ଦଳର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ବିଶେଷ କରି ରିସୋର୍ସ ସେଲ୍ ମାଧ୍ୟମରେ ଦଳକୁ ସୁଦୃଢ଼ କରିବା ପାଇଁ ସେ ରଣନୀତି ପ୍ରସ୍ତୁତ କରୁଥିଲେ। ଦୀର୍ଘ ସାତ ବର୍ଷ ଧରି ଦଳ ପାଇଁ କାମ କରିବା ପରେ, ହଠାତ୍ ଅମୀୟଙ୍କ ଏହି ନିଷ୍ପତ୍ତି ପିସିସି ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି। ତେବେ ଇସ୍ତଫା ପଛର ପ୍ରକୃତ କାରଣ କ’ଣ, ସେ ନେଇ ସ୍ପଷ୍ଟ ସୂଚନା ମିଳିନଥିଲେ ମଧ୍ୟ, ସେ ନିଜର ବ୍ୟକ୍ତିଗତ କାରଣ ଦର୍ଶାଇ ଦଳ ଛାଡ଼ିଥିବା ଚର୍ଚ୍ଚା ହେଉଛି। ନିର୍ବାଚନ ପାଖେଇ ଆସୁଥିବା ବେଳେ ଜଣଙ୍କ ପରେ ଜଣେ ଟାଣୁଆ ନେତା ଦଳ ଛାଡ଼ିବା କଂଗ୍ରେସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଛି। ଅମୀୟଙ୍କ ଇସ୍ତଫା ପରେ କଂଗ୍ରେସର ଆଗାମୀ ରଣନୀତି କ’ଣ ହେବ ଏବଂ ଅମୀୟ କେଉଁ ନୂଆ ରାସ୍ତା ବାଛିବେ, ତାହା ଉପରେ ଏବେ ସମସ୍ତଙ୍କ ନଜର।