ଆପ୍ କୁ ବଡ ଝଟକା ! ବିଜେପିରେ ମିସିଲେ ରାଘବ

ରାଜନୀତି ମଇଦାନରୁ ଆସୁଛି ସବୁଠାରୁ ବଡ଼ ଖବର! ଆମ୍ ଆଦମୀ ପାର୍ଟିକୁ ଲାଗିଛି ଶକ୍ତ ଝଟକା। ଅରବିନ୍ଦ କେଜ୍ରିୱାଲଙ୍କ ଅତି ବିଶ୍ୱସ୍ତ କୁହାଯାଉଥିବା ରାଘବ ଚଢ୍ଢା ଏବେ ‘ଆପ୍’ ପରିବାରରୁ ବିଦାୟ ନେଇଛନ୍ତି। କେବଳ ସେତିକି ନୁହେଁ, ସିଧାସଳଖ ପଦ୍ମ ଶିବିରରେ ସାମିଲ ହେବାକୁ ଘୋଷଣା କରି ରାଜନୀତିରେ ହଇଚଇ ସୃଷ୍ଟି କରିଛନ୍ତି ରାଘବ। ରାଘବ ଚଢ୍ଢା କହିଛନ୍ତି, “ଯେଉଁ ପାର୍ଟିକୁ ନିଜ ରକ୍ତ ଓ ଝାଳରେ ସିଞ୍ଚିଥିଲି, ଯେଉଁଥିପାଇଁ ଜୀବନର ୧୫ ବର୍ଷ ଦେଇଥିଲି, ସେହି ପାର୍ଟି ଆଜି ଭ୍ରଷ୍ଟାଚାରୀଙ୍କ ହାତକୁ ଚାଲିଯାଇଛି।” ତାଙ୍କ କହିବା କଥା ହେଉଛି, ଆମ୍ ଆଦମୀ ପାର୍ଟି ନିଜ ଲକ୍ଷ୍ୟରୁ ସମ୍ପୂର୍ଣ୍ଣ ଭାବେ ଭଟକି ଯାଇଛି। ସାଧାରଣ ଜନତା ଆଜି ‘ଆପ୍’ଠାରୁ ଦୂରେଇ ଯାଉଛନ୍ତି, ସେଥିପାଇଁ ସେ ମଧ୍ୟ ନିଜ ବାଟ ଅଲଗା କରିଛନ୍ତି। ଏବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱ ଏବଂ ଗୃହମନ୍ତ୍ରୀ ଅମିତ ଶାହଙ୍କ ସଂକଳ୍ପ ଉପରେ ଭରସା ଯତାଇଛନ୍ତି ରାଘବ। ସେ କହିଛନ୍ତି, “ଆମେ କ୍ୟାରିୟର ଗଢ଼ିବାକୁ ନୁହେଁ, ବରଂ କ୍ୟାରିୟର ଛାଡ଼ି ଦେଶ ପାଇଁ ଆସିଥିଲୁ।” ଆଉ ଏହି ବିଶ୍ୱାସରେ ସେ ନିଜକୁ ବିଜେପିରେ ବିଲୟ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଖାଲି ରାଘବ ନୁହନ୍ତି, ବରଂ ରାଜ୍ୟସଭାର ଦୁଇ-ତୃତୀୟାଂଶ ସାଂସଦ ମଧ୍ୟ ବିଜେପି ସହ ଯିବେ ବୋଲି ସେ ଦାବି କରିଛନ୍ତି। ଅର୍ଥାତ୍ ଦିଲ୍ଲୀରୁ ପଞ୍ଜାବ ଯାଏଁ ଏବେ ଝାଡ଼ୁ ପାର୍ଟିରେ ବଡ଼ ଧରଣର ବିଭାଜନ ହେବାକୁ ଯାଉଛି। ରାଘବଙ୍କ ପାଖରେ ଦୁଇଟି ବିକଳ୍ପ ଥିଲା- ହୁଏତ ରାଜନୀତି ଛାଡ଼ିଦେବା କିମ୍ବା ନୂଆ ରାସ୍ତା ବାଛିବା। ଆଉ ସେ ଦେଶର ବିକାଶ ପାଇଁ ବିଜେପିର ହାତ ଧରିଛନ୍ତି।

Leave a Reply

Your email address will not be published. Required fields are marked *