୪ ବର୍ଷର କୁନି ଝିଅକୁ ଝାମ୍ପି ନେଲା କଲରାପତରିଆ !
ଝିଅକୁ ବଞ୍ଚାଇବା ପାଇଁ ଖାଲି ହାତରେ ବାଘ ସହ ଭିଡ଼ିଗଲେ ବାପା !
କଣ୍ଟା ତାରରେ ଫସିଲା ବାଘ, ମୃତ୍ୟୁ ମୁଖରୁ ଫେରିଲା ଝିଅ !
ଶିକାର ଛାଡ଼ି ପଳାଇଥିଲା, ପୁଣି ଫେରିଲା ରକ୍ତମୁଖା ବାଘ !
ଘଟଣା ଶୁଣିଲେ ଟାଙ୍କୁରିଉଠୁଛି ଲୋମ !
ସମୟ ସନ୍ଧ୍ୟା ପ୍ରାୟ ୭ଟା। ଚାରିଆଡ଼େ ଧୀରେ ଧୀରେ ଅନ୍ଧାର ମାଡ଼ି ଆସୁଥାଏ। ସବୁଦିନ ପରି ଗାଁର ପରିବେଶ ଥିଲା ଶାନ୍ତ। କିନ୍ତୁ ହଠାତ୍… ଏକ ୪ ବର୍ଷର କୁନି ଝିଅର ହୃଦୟ ବିଦାରକ ଚିତ୍କାର ସେହି ନିରବତାକୁ ଚିରି ଦେଇଥିଲା। ତା’ ପରେ ଶୁଭିଥିଲା ଏକ ବିକଟାଳ ଶବ୍ଦ – ଧଡ଼ାମ୍… ଯେମିତି କିଛି ଗୋଟାଏ ଓଜନିଆ ଜିନିଷ ଟିଣ ଉପରେ କଚାଡ଼ି ହୋଇଗଲା! କଣ ଥିଲା ସେହି ଶବ୍ଦ? ଆଖି ପିଛୁଳାକେ ଏମିତି କଣ ଘଟିଗଲା ଯେ ଜଣେ ବାପାଙ୍କୁ ନିଜ ଜୀବନ ବାଜି ଲଗାଇବାକୁ ପଡ଼ିଲା? ଏହି ଘଟଣା ଶୁଣିଲେ ଆପଣଙ୍କର ବି ଲୋମ ଟାଙ୍କୁରି ଉଠିବ।
ଏହି ଲୋମହର୍ଷକ ଘଟଣା ଘଟିଛି ଗୁଜରାଟ ଛୋଟା ଉଦୟପୁରର ଏକ ଛୋଟ ଗାଁରେ। ସୁରେଶ ରାଠୱା କାମରୁ ଫେରି ଅଗଣାରେ ଗାଧୋଉଥାନ୍ତି। ଝିଅ ଧ୍ରୁବିଶା ଅନ୍ଧାର ଆଡ଼କୁ ଯାଉଥିବାରୁ ବାପା ପାଟି କରି କହିଲେ, “ସେପଟକୁ ଯାଆନା।” କିନ୍ତୁ କଥା ସରିବା ଆଗରୁ ଶୁଭିଲା ଝିଅର ଚିତ୍କାର। ସୁରେଶଙ୍କୁ କିଛି ଭାବିବାକୁ ବେଳ ନଥିଲା। ସେ ଦୌଡ଼ିଲେ ଶବ୍ଦ ଆସୁଥିବା ଦିଗକୁ। ଆଉ ସାମ୍ନାରେ ଯାହା ଦେଖିଲେ, ତାଙ୍କ ପାଦତଳୁ ମାଟି ଖସିଗଲା। ଅନ୍ଧାରରେ ଲୁଚି ରହିଥିବା ଗୋଟେ କଲରାପତରିଆ ବାଘ ତାଙ୍କ କୋମଳମତୀ ଝିଅର ବେକକୁ କାମୁଡ଼ି ଧରି ଜଙ୍ଗଲ ଆଡ଼କୁ ମାଡ଼ି ଯାଉଛି।
ନିଜ ସନ୍ତାନକୁ ମୃତ୍ୟୁ ମୁଖରେ ଦେଖି କେଉଁ ବାପା ବା ସ୍ଥିର ରହିବ? କୌଣସି ଅସ୍ତ୍ରଶସ୍ତ୍ର ବିନା, ଖାଲି ହାତରେ ସୁରେଶ ବାଘ ପଛରେ ଦୌଡ଼ିଲେ। ବାଘଟି ଝିଅକୁ ପାଟିରେ ଧରି ପ୍ରାୟ ୧୦ ଫୁଟ୍ ଉପରକୁ ଡେଇଁ ଖସିଯିବାକୁ ଚେଷ୍ଟା କଲା। କିନ୍ତୁ ତା’ର ସବୁ ଚାଲାକି ଫେଲ୍ ମାରିଲା, କାରଣ ସାମ୍ନାରେ ଥିଲା କଣ୍ଟା ତାରର ବାଡ଼। ତାରରେ ଫସିବା ଏବଂ ପଛରୁ ବାପାଙ୍କର ମହାସଂଗ୍ରାମ ରୂପ ଦେଖି ବାଘଟି ଝିଅକୁ ସେଇଠି ଛାଡ଼ି ଖସି ପଳାଇଲା।
ରକ୍ତ ଜୁଡୁବୁଡୁ ଅବସ୍ଥାରେ ୪ ବର୍ଷର ଧ୍ରୁବିଶାକୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ ବାପା। ତା’ ବେକ ଏବଂ ମୁହଁରେ ଗଭୀର କ୍ଷତ ଅଛି ସତ, କିନ୍ତୁ ଡାକ୍ତରଙ୍କ କହିବା ଅନୁଯାୟୀ ସେ ଏବେ ବିପଦମୁକ୍ତ। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ଶିକାର ଛାଡ଼ି ପଳାଇଥିବା ବାଘ ପୁଣି ଥରେ ସେହି ଛୁଆଟିକୁ ଖୋଜି ଖୋଜି ଫେରିଥିଲା! ଗାଁ ଲୋକଙ୍କୁ ଦେଖି ସେ ପୁଣି ଲୁଚିଗଲା।
ଏବେ ବାଇଗଣ କିଆରୀରେ ଲୁଚି ରହିଥିବା ଏହି ମୃତ୍ୟୁର ଦୂତକୁ ଧରିବା ପାଇଁ ବନବିଭାଗ ଯନ୍ତା ବସାଇଛି। ୧୩୦୦ ଲୋକଙ୍କ ଏହି ଗାଁରେ ଏବେ ଖେଳିଯାଇଛି କୋକୁଆ ଭୟ। କାରଣ ଏହା ପୂର୍ବରୁ କେବେ ବି ଏହି ଗାଁରେ ବାଘ ମଣିଷ ଉପରେ ଆକ୍ରମଣ କରିନଥିଲା। ଏହି ଘଟଣା ପ୍ରମାଣ କରିଦେଲା ଯେ, ସନ୍ତାନ ପାଇଁ ଜଣେ ବାପା କାଳ ସହ ବି ଲଢ଼ିପାରେ!
