ଖାଇବା ତେଲ, ସାବୁନ, ଏସି… ସବୁ ମହଙ୍ଗା!

ସତର୍କ ହୋଇଯାଆନ୍ତୁ! ଆପଣ ବଜାରରୁ କିଣୁଥିବା ସାବୁନ ହେଉ କି ଖାଇବା ତେଲ, କିମ୍ବା ଏହି ଗରମରୁ ରକ୍ଷା ପାଇବା ପାଇଁ କିଣୁଥିବା ଏୟାରକଣ୍ଡିସନର… ସବୁକିଛି ଏବେ ଆପଣଙ୍କ ହାତ ମୁଠାରୁ ଦୂରେଇ ଯାଉଛି। କିନ୍ତୁ କାହିଁକି? କ’ଣ ପାଇଁ ହଠାତ୍ ଆକାଶଛୁଆଁ ହେଉଛି ଦରଦାମ? କେଉଁ ଅଦୃଶ୍ୟ ଶକ୍ତି ଆପଣଙ୍କ ମାସିକ ବଜେଟକୁ ବିଗାଡ଼ି ଦେଉଛି? ଏହା ପଛରେ ରହିଛି ହଜାର ହଜାର କିଲୋମିଟର ଦୂରରେ ଚାଲିଥିବା ଏକ ଭୟଙ୍କର ଯୁଦ୍ଧ! ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧର ଭୟାବହତା ଏବେ ଭାରତୀୟ ବଜାର ଉପରେ କଳା ବାଦଲ ସାଜି ମାଡ଼ି ଆସିଲାଣି। FMCG କମ୍ପାନିଗୁଡ଼ିକ ଏବେ ତ୍ୱରିତ ଭିତ୍ତିରେ ସାମଗ୍ରୀର ଦର ବୃଦ୍ଧି କରିଛନ୍ତି। କଞ୍ଚାମାଲ ଦର ବଢ଼ିବା ସହ ଅଶୋଧିତ ତେଲ ଏବଂ ମାଲ୍ ପରିବହନ ଖର୍ଚ୍ଚ କମ୍ପାନିମାନଙ୍କ ନିଦ ହଜାଇ ଦେଇଛି। ସ୍ଥିତି ଏମିତି ଯେ, ଦୀର୍ଘମିଆଦି ଯୋଜନା ବଦଳରେ କମ୍ପାନିଗୁଡ଼ିକ ଏବେ ପ୍ରତିଦିନର ମୂଲ୍ୟକୁ ତର୍ଜମା କରି ସ୍ୱଳ୍ପମିଆଦି ନିଷ୍ପତ୍ତି ନେବାକୁ ବାଧ୍ୟ ହେଉଛନ୍ତି। ହୋଭେଲ୍ସ ଇଣ୍ଡିଆଠାରୁ ଆରମ୍ଭ କରି ବଜାଜ୍ କଞ୍ଜ୍ୟୁମର ପର୍ଯ୍ୟନ୍ତ, ସମସ୍ତେ ଏବେ ଚିନ୍ତାରେ। ଯୁଦ୍ଧ ଯୋଗୁଁ ପାରାଫିନ୍ ଏବଂ ପ୍ୟାକେଜିଂ ସାମଗ୍ରୀର ଦର ୨୦ରୁ ୬୦ ପ୍ରତିଶତ ଯାଏଁ ବୃଦ୍ଧି ପାଇଛି। ପରିବହନ ଖର୍ଚ୍ଚ ବଢ଼ିଥିବାରୁ ଖାଇବା ତେଲ ଲିଟର ପିଛା ୧୦ ଟଙ୍କା ଯାଏଁ ମହଙ୍ଗା ହେଲାଣି। ଏପରିକି ପାର୍ଲେ ଏବଂ ଜୁଡିଓ ଭଳି ବଡ଼ ବ୍ରାଣ୍ଡ୍ ମଧ୍ୟ ଖାଉଟି ଚାହିଦା କମିବା ନେଇ ଆଶଙ୍କା ପ୍ରକାଶ କରିଛନ୍ତି। କିଛି କମ୍ପାନି ତ ଦର ନବଢ଼ାଇବା ପାଇଁ ପ୍ୟାକେଟର ସାଇଜ୍ ଛୋଟ କରିବାର କୌଶଳ ମଧ୍ୟ ଆପଣାଇଲେଣି।

Leave a Reply

Your email address will not be published. Required fields are marked *