ସିଗାରେଟ୍ ମୁକ୍ତ ହେବ ଆଗାମୀ ପିଢ଼ି! ସଂସଦରେ ପାସ୍ ହେଲା ଦୁନିଆର ସବୁଠାରୁ କଠୋର ତମାଖୁ ବିରୋଧୀ ଆଇନ। ଯେଉଁମାନେ ୨୦୦୮ ପରେ ଜନ୍ମ ହୋଇଛନ୍ତି, ସେମାନେ ନିଜ ଜୀବନକାଳ ମଧ୍ୟରେ କେବେ ବି ସିଗାରେଟ୍ କିଣିପାରିବେ ନାହିଁ। ଏଭଳି କଠୋର ଏବଂ ସଠିକ ଆଇନ ଆସିଛି ବ୍ରିଟେନ୍ ସଂସଦରେ | ତେବେ ଆପଣ ଭାବୁଥିବେ, ଭାରତ ଭଳି ଏକ ବିଶାଳ ଦେଶରେ କଣ ଏହି ମଡେଲ୍ କାମ କରିବ? ଭାରତ ବିଶ୍ୱର ଦ୍ୱିତୀୟ ସର୍ବବୃହତ ତମାଖୁ ବଜାର। ହେଲେ ଏଠାରେ ସିଗାରେଟ୍ ବ୍ୟବହାର ମାତ୍ର ୧୦ ରୁ ୧୨ ପ୍ରତିଶତ। ଆମ ଦେଶରେ ବିଡ଼ି, ଖଇନି ଏବଂ ପାନ ମସଲା ଭଳି ଧୂଆଁମୁକ୍ତ ତମାଖୁର ପ୍ରାଧାନ୍ୟ ଅଧିକ। ଏଭଳି ସ୍ଥିତିରେ କେବଳ ସିଗାରେଟ୍ ଉପରେ କଟକଣା ଲଗାଇଲେ, ଗ୍ରାହକମାନେ ବେଆଇନ ବାଣିଜ୍ୟ କିମ୍ବା ଶସ୍ତା ଓ ଅଣ-ନିୟନ୍ତ୍ରିତ ତମାଖୁ ଆଡ଼କୁ ମୁହାଁଇବାର ଭୟ ରହିଛି। ସରକାରଙ୍କ ପାଇଁ ଏହା କେବଳ ସ୍ୱାସ୍ଥ୍ୟ ନୁହେଁ, ବରଂ ରାଜସ୍ୱର ପ୍ରଶ୍ନ। ସିଗାରେଟ୍ ଉପରୁ ପ୍ରାୟ ୬୦ ପ୍ରତିଶତ ପର୍ଯ୍ୟନ୍ତ ଟିକସ ଆଦାୟ ହୁଏ। ଆଇଟିସି (ITC) ଭଳି ବଡ଼ କମ୍ପାନୀ ଏବଂ ଲକ୍ଷ ଲକ୍ଷ ତମାଖୁ ଚାଷୀଙ୍କ ଜୀବିକା ଏହି ଶିଳ୍ପ ସହ ଜଡ଼ିତ। ତେଣୁ ବ୍ୟବସାୟିକ ସ୍ୱାଧୀନତା ଏବଂ ଜନସ୍ୱାସ୍ଥ୍ୟ ମଧ୍ୟରେ ସନ୍ତୁଳନ ରକ୍ଷା କରିବା ଏକ ବଡ଼ ଚ୍ୟାଲେଞ୍ଜ। ଆମ ଦେଶରେ ପୂର୍ବରୁ COTPA ଆଇନ ଅଛି, ସାର୍ବଜନୀନ ସ୍ଥାନରେ ଧୂମପାନ ନିଷେଧ। କିନ୍ତୁ ସତ କହିଲେ, ଖୁଚୁରା ଦୋକାନରେ ବୟସ ଯାଞ୍ଚ କରିବାର କୌଣସି ଦୃଢ଼ ବ୍ୟବସ୍ଥା ଅଛି କି? ବିଶେଷଜ୍ଞଙ୍କ ମତରେ, ମଜବୁତ ପ୍ରବର୍ତ୍ତନ ବିନା ଏଭଳି ଆଇନ କେବଳ କାଗଜପତ୍ରରେ ସୀମିତ ରହିଯିବ।
©2026 B Tv WordPress Video Theme by WPEnjoy
