ବାସନ ମାଜୁଥିଲେ…ଏବେ ବନିଲେ ବିଧାୟିକା

ବାସନ ମାଜୁଥିଲେ, ଏବେ ହେଲେ ବିଧାୟିକା!

ମାସିକ ଦରମା ଥିଲା ୨୫୦୦ ଟଙ୍କା, ଏବେ ବିଧାନସଭାରେ ରଖିବେ ଦାବି!

ଟିଏମସିକୁ ମାତ୍ ଦେଲେ ଘରୋଇ ସହାୟିକା

ହାରିଯାଇ ବି ହାରିନଥିଲେ କାଳିତା

୧୨ ହଜାରରୁ ଅଧିକ ଭୋଟରେ କଲେ ଐତିହାସିକ ବିଜୟ!

ଏଥର ୫ ରାଜ୍ୟର ବିଧାନସଭା ନିର୍ବାଚନରେ କେବଳ ଭୋଟ୍ ଗଣତି ହୋଇନି, ବରଂ ଗଣତି ହୋଇଛି ଅନେକ ଇମୋସନ୍, ଅନେକ ସଂଘର୍ଷର କାହାଣୀ! ଗୋଟିଏ ପଟେ ଆର୍‌ଜି କର ମେଡିକାଲ ଦୁଷ୍କର୍ମ ପୀଡ଼ିତାଙ୍କ ମାଆ, ତ ଅନ୍ୟପଟେ ଥାଲାପତି ବିଜୟଙ୍କ ଡ୍ରାଇଭରଙ୍କ ପୁଅ… ଏମାନେ ସମସ୍ତେ ଏଥର ଜନାଦେଶ ପାଇଁ ସାଜିଛନ୍ତି ନେତା।

କିନ୍ତୁ ପଶ୍ଚିମବଙ୍ଗ ମାଟିରୁ ଆସିଛି ଏମିତି ଏକ ବିଜୟର ଖବର, ଯାହା ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ! କଳ୍ପନା କରନ୍ତୁ… ଦିନେ ଯିଏ ଅନ୍ୟ ଘରେ ବାସନ ମାଜୁଥିଲେ, ଝାଡୁ ପୋଛା କରୁଥିଲେ… ଆଜି ସିଏ ବିଧାନସଭାରେ ପାଦ ଥାପିବାକୁ ଯାଉଛନ୍ତି। ଆଜ୍ଞା ହଁ, ପଶ୍ଚିମବଙ୍ଗର ଜଣେ ସାଧାରଣ ଘରୋଇ ସହାୟିକା କାଳିତା ମାଝୀ ଏବେ ସାଜିଛନ୍ତି ବିଧାୟିକା।

ମାସିକ ମାତ୍ର ୨୫୦୦ ଟଙ୍କାରେ ୪ ଜଣଙ୍କ ଘରେ କାମ କରୁଥିବା ଗୁସ୍କାରା ମ୍ୟୁନିସିପାଲିଟିର ଏହି ମହିଳା ଜଣକ, ବଙ୍ଗ ରାଜନୀତିରେ ରଚିଛନ୍ତି ନୂଆ ଇତିହାସ। ଔସଗ୍ରାମ ନିର୍ବାଚନମଣ୍ଡଳୀରୁ ବିଜେପି ଟିକେଟ୍‌ରେ ମୈଦାନକୁ ଓହ୍ଲାଇଥିଲେ କାଳିତା। ସାମ୍ନାରେ ଥିଲେ କ୍ଷମତାସୀନ ଟିଏମସିର ହେଭିୱେଟ୍ ନେତା ଶ୍ୟାମା ପ୍ରଶନ୍ନ ଲୋହର। କିନ୍ତୁ କାଳିତାଙ୍କ ନିଆରା ଲୋକସମ୍ପର୍କ ଆଗରେ ଫିକା ପଡିଗଲା ଶାସକ ଦଳର ପାୱାର! ମୋଟ ୧ ଲକ୍ଷ ୭ ହଜାର ୬୯୨ ଖଣ୍ଡ ଭୋଟ୍ ପାଇ, ଟିଏମସି ପ୍ରାର୍ଥୀଙ୍କୁ ୧୨,୫୩୫ ଭୋଟ୍ ବ୍ୟବଧାନରେ ଧୂଳି ଚଟାଇଛନ୍ତି ଏହି ଘରୋଇ ସହାୟିକା।

ଏହି ବିଜୟ କେବଳ ଗୋଟିଏ ଦିନର ପରିଶ୍ରମ ନୁହେଁ। ୨୦୨୧ ନିର୍ବାଚନରେ ମଧ୍ୟ ସେ ଲଢ଼ିଥିଲେ, କିନ୍ତୁ ସେତେବେଳେ ଟିଏମସିର ଅଭେଦାନନ୍ଦ ଥାଣ୍ଡେରଙ୍କ ଠାରୁ ପ୍ରାୟ ୧୧,୮୧୫ ଭୋଟରେ ହାରିଯାଇଥିଲେ। ତଥାପି ସେ ହାର୍ ମାନିନଥିଲେ। ମଜଭୁତ ଲୋକସମ୍ପର୍କ ଜାରି ରଖିଥିଲେ। ଆଉ ତାଙ୍କର ଏହି ନିଷ୍ଠା ଉପରେ ପୁଣିଥରେ ଭରସା କରିଥିଲା ବିଜେପି।

ଆଜି କାଳିତାଙ୍କ ବିଜୟ ପ୍ରମାଣ କରିଦେଇଛି ଯେ- ଗଣତନ୍ତ୍ରରେ ଟଙ୍କା କିମ୍ବା ବାହୁବଳ ନୁହେଁ, ବରଂ ଜନତାର ଭଲପାଇବା ହିଁ ସବୁଠୁ ବଡ଼ ଶକ୍ତି। ରାଜନୀତିରେ ସାମାଜିକ ଗତିଶୀଳତାର ଏହି ବିରଳ ଉଦାହରଣ ଏବେ ପୂରା ଦେଶ ପାଇଁ ଏକ ବଡ଼ ପ୍ରେରଣା ସାଜିଛି।

Leave a Reply

Your email address will not be published. Required fields are marked *