ନବୀନ ନିବାସ ସାମ୍ନାରୁ ହଟିବ ବ୍ୟାରିକେଡ୍ !
ହାଇକୋର୍ଟଙ୍କ କଡା ତାଗିଦ୍; ଜଲଦି ନବୀନ ନିବାସ ସାମ୍ନାରୁ ହଟାଓ ବ୍ୟାରିକେଡ୍ !
ଆରଟିଆଇ କର୍ମୀଙ୍କ ବଡ଼ ବିଜୟ…
ସାଧାରଣ ରାସ୍ତା ଉପରୁ ଖସିବ କ୍ଷମତାର ପାଚେରି !
ସୁରକ୍ଷା ନାଁରେ କବ୍ଜା ହୋଇଥିଲା ସରକାରୀ ଜମି, ସାମ୍ନାକୁ ଆସିଲା ଯାଞ୍ଚ ରିପୋର୍ଟ
ପୋଲିସ କମିଶନରଙ୍କୁ ଚିଠି… ରାସ୍ତା ହେବ ଅବରୋଧମୁକ୍ତ !
ରାଜଧାନୀ ଭୁବନେଶ୍ୱରର ସବୁଠାରୁ ହାଇପ୍ରୋଫାଇଲ୍ ଠିକଣା… ‘ନବୀନ ନିବାସ’। ବର୍ଷ ବର୍ଷ ଧରି ସାଧାରଣ ଲୋକଙ୍କ ରାସ୍ତାକୁ ବନ୍ଦ କରି ଏଠାରେ ଠିଆ ହୋଇଥିଲା କ୍ଷମତାର ଏକ ଲୁହା ପ୍ରାଚୀର। ଭିଆଇପି ସୁରକ୍ଷା ନାଁରେ ସରକାରୀ ଜାଗାରେ କରାଯାଇଥିଲା ବେଆଇନ ବ୍ୟାରିକେଡ୍। ହେଲେ ଏବେ… ଏହି ବ୍ୟାରିକେଡ୍ ହଟିବାର ସମୟ ପାଖେଇ ଆସିଲାଣି! ହାଇକୋର୍ଟଙ୍କ କଡ଼ା ତାଗିଦ୍ ପରେ ଶେଷରେ ତତ୍ପର ହୋଇଛି ରାଜ୍ୟ ସରକାରଙ୍କ ପ୍ରଶାସନିକ କଳ।
ଏହି ବଡ଼ ଧରଣର ପରିବର୍ତ୍ତନ ପଛରେ ରହିଛି ଦୁଇ ଜଣ ନାଗରିକଙ୍କ ଅଦମ୍ୟ ଲଢ଼େଇ। ସୂଚନା ଅଧିକାର କର୍ମୀ ପ୍ରକାଶ ଦାସ ଓ ପ୍ରଦୀପ ପ୍ରଧାନଙ୍କ ଉଦ୍ୟମ ଶେଷରେ ରଙ୍ଗ ଆଣିଛି। ଭୀମପୁର ମୌଜାର ପ୍ଲଟ୍ ନମ୍ବର ୧୦୭୧… ଯାହାର କିସମ ହେଉଛି ‘ସଡ଼କ’। ସେହି ସାଧାରଣ ରାସ୍ତା ଉପରେ କିଭଳି କବ୍ଜା କରାଯାଇଛି, ତାକୁ ନେଇ ହାଇକୋର୍ଟରେ ପହଞ୍ଚିଥିଲା ମାମଲା।
ଗତ ଫେବୃୟାରୀ ୩ ତାରିଖରେ ହାଇକୋର୍ଟ ଯେତେବେଳେ ପ୍ରଶାସନର ନିଷ୍କ୍ରିୟତା ଉପରେ ଅସନ୍ତୋଷ ପ୍ରକାଶ କଲେ, ସେତେବେଳେ ଯାଇ ସରକାରୀ ବାବୁମାନଙ୍କ ଚେତା ପଶିଲା। ତରବରିଆ ଭାବେ ଫେବୃଆରୀ ୧୨ରେ ହେଲା ମିଳିତ ଯାଞ୍ଚ। ଆଉ ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ସତ! ସୁରକ୍ଷା ବ୍ୟବସ୍ଥା ପାଇଁ ପ୍ରାୟ ଅଧ ଏକରରୁ ଅଧିକ ଜମିକୁ ଲୁହା ବ୍ୟାରିକେଡ୍ ଦ୍ୱାରା ଘେରାଇ ରଖାଯାଇଥିବା ରିପୋର୍ଟରେ ସ୍ପଷ୍ଟ ହେଲା।
ଏବେ ଆରମ୍ଭ ହୋଇଛି ନିର୍ଣ୍ଣାୟକ ପର୍ଯ୍ୟାୟ। ସାଧାରଣ ପ୍ରଶାସନ ବିଭାଗର ଚିଠି ପାଇବା ପରେ ପୂର୍ତ୍ତ ବିଭାଗ ଏବେ ଆକ୍ସନ ମୋଡ୍ରେ। ବ୍ୟାରିକେଡ୍ ହଟାଇବା ନେଇ ଗୃହ ବିଭାଗ ଜରିଆରେ କମିଶନରେଟ୍ ପୋଲିସ ଏବଂ ଟ୍ରାଫିକ୍ ଡିସିପିଙ୍କ ମତାମତ ମଗାଯାଇଛି। କୋର୍ଟଙ୍କ ନିର୍ଦ୍ଦେଶ ପାଳନ କରିବାରେ ବହୁ ବିଳମ୍ବ କରିଥିବା ଅପାରଗ ସରକାର, ଏବେ ବାଧ୍ୟ ହୋଇ ପଦକ୍ଷେପ ନେଉଛନ୍ତି।
