ଜିତିକି ବି ହାରିଗଲେ ବିଜୟ !ରାଜ୍ୟପାଳଙ୍କ ନିଷ୍ପତ୍ତି: ମୁଖ୍ୟମନ୍ତ୍ରୀ ହେବେନି ଥାଲାପତି !

ତାମିଲନାଡୁ ରାଜନୀତିରେ ମହା-ଟ୍ୱିଷ୍ଟ…

ଅଟକିଲା ଥାଲାପତି ବିଜୟଙ୍କ ରାଜ୍ୟାଭିଷେକ !

ନିଖୋଜ ବିଧାୟକ, ସୁଇଚ୍ ଅଫ୍ ଫୋନ୍…

ତାମିଲନାଡୁରେ ଚାଲିଛି କି ହର୍ସ ଟ୍ରେଡିଂ !

ବହୁମତଠୁ ମାତ୍ର ଦୁଇ ପାଦ ଦୂରରେ ଟିଭିକେ…

ରାଜ୍ୟପାଳ କହିଲେ ‘ନୋ ମେଜୋରିଟି, ନୋ ସରକାର’ !

ତାମିଲନାଡୁରେ ମୁଖ୍ୟମନ୍ତ୍ରୀ ଚୌକି ନେଇ ବଢୁଛି ମହା-ସସପେନ୍ସ

କିଏ ପିନ୍ଧିବ ତାମିଲନାଡୁର ତାଜ୍ ?

ତାମିଲନାଡୁ ରାଜନୀତିରେ ଏବେ ଜୋରଦାର ସସପେନ୍ସ। ଘଡ଼ିକେ ଘୋଡା ଛୁଟୁଛି, ଆଉ ପଦେ ପଦେ ବଦଳୁଛି ସମୀକରଣ। ସୁପରଷ୍ଟାରରୁ ନେତା ପାଲଟିଥିବା ସି. ଜୋସେଫ ବିଜୟଙ୍କ ମୁଖ୍ୟମନ୍ତ୍ରୀ ସ୍ୱପ୍ନରେ ଲାଗିଛି ବଡ଼ ବ୍ରେକ୍। ଟିଭିକେ ଅଧ୍ୟକ୍ଷ ବିଜୟଙ୍କ ରାଜ୍ୟାଭିଷେକକୁ ପୁଣି ଥରେ ସ୍ଥଗିତ ରଖିଛନ୍ତି ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକର। କାରଣ ହେଉଛି… ସ୍ପଷ୍ଟ ବହୁମତର ଅଭାବ!

୧୦୮ ଆସନ ଜିତି ବିଜୟ ସବୁଠାରୁ ବଡ଼ ଦଳ ଭାବେ ଉଭା ହୋଇଥିଲେ ବି, ମ୍ୟାଜିକ୍ ନମ୍ବର ‘୧୧୮’ ଛୁଇଁବାରେ ଏବେ ବି ଫେଲ୍ ମାରିଛନ୍ତି। ରାଜଭବନରେ ନିଜ ସହଯୋଗୀଙ୍କ ସହ ପହଞ୍ଚି ବିଜୟ କଂଗ୍ରେସ ଓ ବାମଦଳର ସମର୍ଥନ ପତ୍ର ଦେଇଥିଲେ, ହେଲେ ସଂଖ୍ୟା ଅଟକିଛି ୧୧୬ରେ। ପ୍ରମୁଖ ସହଯୋଗୀ VCK ଏବଂ IUML ଏପର୍ଯ୍ୟନ୍ତ ଲିଖିତ ସମର୍ଥନ ଦେଇନଥିବାରୁ ରାଜ୍ୟପାଳ ରୋକଠୋକ୍ ଶୁଣାଇ ଦେଇଛନ୍ତି… ବହୁମତ ନାହିଁ ତ ଶପଥ ଗ୍ରହଣ ନାହିଁ।

ଏହି ରାଜନୈତିକ ହଲଚଲ ଭିତରେ ବୋମା ଫୁଟାଇଛନ୍ତି AMMK ମୁଖ୍ୟ ଟିଟିଭି ଦିନାକରଣ। ତାଙ୍କର ଏକମାତ୍ର ବିଧାୟକ କାମରାଜ ଏବେ ନିଖୋଜ ଅଛନ୍ତି ଆଉ ତାଙ୍କ ଫୋନ୍ ଆସୁଛି ସୁଇଚ୍ ଅଫ୍! ବିଜୟଙ୍କ ଦଳ ସଂଖ୍ୟା ଯୋଗାଡ଼ କରିବାକୁ ଘୋଡା ବାଣିଜ୍ୟ କରୁଥିବା ନେଇ ସେ ସିଧାସଳଖ ରାଜ୍ୟପାଳଙ୍କ ନିକଟରେ ଅଭିଯୋଗ କରିଛନ୍ତି। ସେପଟେ ସୁଯୋଗ ଦେଖି AIADMK ମଧ୍ୟ ସରକାର ଗଠନ କରିବାକୁ ନିଜର ଅଧିକାର ଜାହିର କରିଛି।

ଏବେ ସମସ୍ତଙ୍କ ନଜର ଆଗାମୀ ୨୪ ଘଣ୍ଟା ଉପରେ। ଛୋଟ ଦଳକୁ ନିଜ ଆଡକୁ ଆଣିବାକୁ ଚାଲିଛି ଜୋରଦାର କସରତ। କିଏ ମାରିବ ବାଜି? କାହା ମୁଣ୍ଡରେ ହାତ ରଖିବେ ସ୍ୱାଧୀନ ଓ ଛୋଟ ଦଳର ବିଧାୟକ? ତାମିଲନାଡୁ ସିଂହାସନର ଏହି ମହାଭାରତରେ ଶେଷ ବିଜୟ କାହାର ହେବ, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *