ସାବଧାନ ! ରାଜଧାନୀରେ ମିଳୁନି ତେଲ !
ଗାଡ଼ି ଅଛି ହେଲେ ତେଲ ନାହିଁ
ତେଲ ଟାଙ୍କିରେ ପଡିଛି ତାଲା, ୫ ଘଣ୍ଟା ଅପେକ୍ଷା !
ପ୍ରଧାନମନ୍ତ୍ରୀଙ୍କ ଚେତାବନୀ!
ମୁଣ୍ଡ ଉପରେ ଯୁଦ୍ଧର ବାଦଲ, ସଞ୍ଚୟ ନକଲେ ବଢ଼ିବ ବିପଦ!
୫୦ ଲିଟରରୁ ଅଧିକ ତେଲ ନେଲେ ଲକ୍ ହୋଇଯିବ ପମ୍ପ!
ତେଲ ମିଳିବ କିନ୍ତୁ ମାପିଚୁପି! ଜାଣନ୍ତୁ କ’ଣ ରହିଛି ନୂଆ ନିୟମ?
ସାବଧାନ ଓଡ଼ିଶା! ସତର୍କ ଭୁବନେଶ୍ୱର! ଆପଣଙ୍କ ଗାଡ଼ିର ତେଲ ଟାଙ୍କି ଫୁଲ୍ ଅଛି ତ? ଯଦି ନାହିଁ, ତେବେ ଏହି ଖବରଟି ଆପଣଙ୍କ ପାଇଁ ଅତ୍ୟନ୍ତ ଜରୁରୀ। ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଏବେ ଦେଖାଦେଇଛି ଘୋର ତେଲ ସଙ୍କଟ। ସହରର ଗୋଟିଏ କି ଦୁଇଟି ନୁହେଁ, ବରଂ ଅନେକ ତେଲ ଟାଙ୍କି ଏବେ ଖାଲି ପଡ଼ିଛି। ଲୋକେ ତେଲ ମୁନ୍ଦାଏ ପାଇଁ ୪ରୁ ୫ ଘଣ୍ଟା ଧରି ଅପେକ୍ଷା କରୁଛନ୍ତି। ପୂର୍ବରୁ ଷ୍ଟକ୍ ସରିବା ଆଗରୁ ତେଲ ଆସୁଥିଲା, କିନ୍ତୁ ଏବେ ପରିସ୍ଥିତି ବଦଳିଛି। ତେଲ ସରିଲେ ଯାଇ ଟାଙ୍କିକୁ ଗାଡ଼ି ଆସୁଛି।
କେବଳ ସେତିକି ନୁହେଁ, ପେଟ୍ରୋଲ ପମ୍ପ ଗୁଡ଼ିକୁ ଆସିଛି କଡ଼ା ନିର୍ଦ୍ଦେଶ। ଚାରି ଚକିଆ ବାହାନ ପାଇଁ ଏବେ ତେଲର ସୀମା ନିର୍ଦ୍ଧାରଣ କରାଯାଇଛି। ଆପଣ ଚାହିଁଲେ ବି ନିଜ ଗାଡ଼ିରେ ୪୫ ରୁ ୫୦ ଲିଟରରୁ ଅଧିକ ତେଲ ପକାଇ ପାରିବେ ନାହିଁ। ଯଦି କୌଣସି ଟାଙ୍କି ମାଲିକ ଏହି ନିୟମ ଭାଙ୍ଗୁଛନ୍ତି, ତେବେ ତେଲ ମେସିନ୍ ସ୍ୱୟଂଚାଳିତ ଭାବେ ଲକ୍ ହୋଇଯାଉଛି। ବସ୍ ଏବଂ ଟ୍ରକ୍ ପାଇଁ ମଧ୍ୟ ସମାନ ନିୟମ। ୪୦୦ ରୁ ୫୦୦ ଲିଟରରୁ ଅଧିକ ଡିଜେଲ ଦେବା ଉପରେ ରୋକ୍ ଲଗାଯାଇଛି।
ଏପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ ଦେଶବାସୀଙ୍କୁ ଆହୁରି ଚିନ୍ତାରେ ପକାଇ ଦେଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦ୍ୱିତୀୟ ଥର ପାଇଁ ପ୍ରଧାନମନ୍ତ୍ରୀ କହିଛନ୍ତି – ‘ତେଲ ସଞ୍ଚୟ କରନ୍ତୁ’। ପଶ୍ଚିମ ଏସିଆରେ ଚାଲିଥିବା ଭୟଙ୍କର ସଂଘର୍ଷ ଏବେ ବିଶ୍ୱ ଅର୍ଥନୀତିକୁ ଦୋହଲାଇ ଦେଇଛି। ପ୍ରଧାନମନ୍ତ୍ରୀ କହିଛନ୍ତି ଯେ, ଏହା ଗତ କିଛି ବର୍ଷର ସବୁଠାରୁ ଗମ୍ଭୀର ସଙ୍କଟ। ଯଦିଓ ଭାରତ କରୋନା ଭଳି ମହାମାରୀକୁ ହରାଇ ଆଗକୁ ବଢ଼ିଛି, କିନ୍ତୁ ଆଗାମୀ ସମୟରେ ଏହି ତେଲ ସଙ୍କଟ ଏକ ବଡ଼ ଚ୍ୟାଲେଞ୍ଜ ହୋଇପାରେ।
ପଡ଼ୋଶୀ ଆନ୍ଧ୍ରପ୍ରଦେଶରେ ଅନେକ ପମ୍ପ ବନ୍ଦ ହୋଇଯାଇଥିବା ବେଳେ, ଓଡ଼ିଶାରେ ମଧ୍ୟ ସମାନ ସ୍ଥିତି ଦେଖିବାକୁ ମିଳିଲାଣି। ତେବେ ପ୍ରଶ୍ନ ଉଠୁଛି, ଆଗକୁ କ’ଣ ପରିସ୍ଥିତି ଆହୁରି ଭୟଙ୍କର ହେବ? ଆମେ କ’ଣ ଏକ ବଡ଼ ଆର୍ଥିକ ସଙ୍କଟ ଆଡ଼କୁ ଗତି କରୁଛୁ?ସମୟ ଥାଉ ଥାଉ ସଚେତନ ହୁଅନ୍ତୁ। ତେଲର ଅଯଥା ବ୍ୟବହାର ବନ୍ଦ କରନ୍ତୁ।
