ତାମିଲନାଡୁରେ ବନ୍ଦ ହେଲା ୭୧୭ ମଦ ଦୋକାନ! ଓଡ଼ିଶାରେ କେବେ ପୂରଣ ହେବ?

ଶପଥ ନେଉ ନେଉ ଆକ୍ସନ ମୋଡରେ ଥାଲାପତି ବିଜୟ!

ତାମିଲନାଡୁରେ ବନ୍ଦ ହେଲା ୭୧୭ ମଦ ଦୋକାନ, ଓଡ଼ିଶାରେ କେବେ?

୨ ଦିନରେ ପ୍ରତିଶ୍ରୁତି ପୂରଣ: ସେଠି ପଡ଼ିଲା ତାଲା, ଏଠି ଖୋଲିବାକୁ ମେଲା !

ନିଘୋଡ଼ ନିଦରେ ଓଡ଼ିଶା ସରକାର: କୁଆଡ଼େ ଗଲା ୨୦୨୯ ମଦମୁକ୍ତ ପ୍ରତିଶ୍ରୁତି?

ଭୋଟ୍ ସରିଲା, କଥା ବଦଳିଲା: ନୂଆ ମଦ ଦୋକାନକୁ ନେଇ ବଢ଼ୁଛି ଅସନ୍ତୋଷ!

ସିନେମା ପରଦାରେ ନିଜର ଆକ୍ସନରେ ଦର୍ଶକଙ୍କୁ ପାଗଳ କରୁଥିବା ଥାଲାପତି ବିଜୟ ଏବେ ରିଅଲ୍ ଲାଇଫରେ ଦେଖାଇଛନ୍ତି ନିଜର ଦମଦାର ଅନ୍ଦାଜ! ତାମିଲନାଡୁର ମୁଖ୍ୟମନ୍ତ୍ରୀ ଚେୟାରରେ ବସୁ ବସୁ ସେ ଏମିତି ଏକ ନିଷ୍ପତ୍ତି ନେଇଛନ୍ତି, ଯାହା ପୂରା ଦେଶରେ ରାଜନୈତିକ ଭୂକମ୍ପ ସୃଷ୍ଟି କରିଛି। ଶପଥ ଗ୍ରହଣର ମାତ୍ର କିଛି ଘଣ୍ଟା ଭିତରେ ମୁଖ୍ୟମନ୍ତ୍ରୀ ବିଜୟ ଆରମ୍ଭ କରିଦେଇଛନ୍ତି ମେଗା ସାମାଜିକ ସଂସ୍କାର।

ରାଜ୍ୟରେ ଏବେ ମଦ ବେପାରୀଙ୍କ ଉପରେ ପଡ଼ିଛି ସିଧାସଳଖ ଚାବୁକ୍ ପ୍ରହାର! ନିର୍ଦ୍ଦେଶ ଜାରି ହୋଇଛି… ରାଜ୍ୟର ସମସ୍ତ ମନ୍ଦିର, ମସଜିଦ, ଚର୍ଚ୍ଚ, ଶିକ୍ଷାନୁଷ୍ଠାନ ଏବଂ ବସ୍ ଷ୍ଟାଣ୍ଡର ୫୦୦ ମିଟର ପରିଧି ଭିତରେ ଥିବା ୭୧୭ଟି ସରକାରୀ ମଦ ଦୋକାନ ଉପରେ ପଡ଼ିବ ସ୍ଥାୟୀ ତାଲା। ଆଗାମୀ ଦୁଇ ସପ୍ତାହ ମଧ୍ୟରେ ଏହି ଦୋକାନ ଗୁଡ଼ିକୁ ସମ୍ପୂର୍ଣ୍ଣ ହଟାଇବା ପାଇଁ ତାସମାକ (TASMAC)କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି ବିଜୟ। ଏହା ସହ ୨୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଘୋଷଣା କରି ସେ ପ୍ରମାଣ କରିଛନ୍ତି ଯେ— ଯାହା କହିଥିଲେ, ତାହା କରୁଛନ୍ତି! ମେଣ୍ଟ ସରକାର ଗଠନ କରିବାର ମାତ୍ର ୨ ଦିନ ଭିତରେ ଏତେ ବଡ଼ ପଦକ୍ଷେପ!

କିନ୍ତୁ… ଏବେ ନଜର ପକାନ୍ତୁ ଆମ ରାଜ୍ୟ ଓଡ଼ିଶା ଉପରେ। ଚିତ୍ର ଏଠି ପୂରା ଓଲଟା! ଏଠି ସରକାର ନିଘୋଡ଼ ନିଦରେ ଶୋଇଛନ୍ତି |କ୍ଷମତାକୁ ଆସିବା ପୂର୍ବରୁ ବଡ଼ ବଡ଼ ପ୍ରତିଶ୍ରୁତିର ବର୍ଷା ହୋଇଥିଲା। ବର୍ତ୍ତମାନର ବିଜେପି ସରକାର ଡିଣ୍ଡିମ ପିଟିଥିଲେ ଯେ, ୨୦୨୯ ସୁଦ୍ଧା ଓଡ଼ିଶା ସମ୍ପୂର୍ଣ୍ଣ ରୂପେ ଏକ ‘ମଦମୁକ୍ତ ରାଜ୍ୟ’ ହେବ। ହେଲେ କ୍ଷମତା ମିଳିବା ପରେ ବାସ୍ତବ ଚିତ୍ର କ’ଣ? ମଦ ବନ୍ଦ ହେବା ତ ଦୂରର କଥା, ଓଲଟି ରାଜ୍ୟରେ ନୂଆ ନୂଆ ମଦ ଦୋକାନ ଖୋଲିବାକୁ ନେଇ ପ୍ରସ୍ତୁତି ଚାଲିଥିବା ଭଳି ମନେ ହେଉଛି। ପ୍ରତିଶ୍ରୁତି ପୂରଣ କରିବା ବଦଳରେ ସରକାର ନିଦାବିଷ୍ଣୁ ସାଜିଛନ୍ତି।

ଏହି ନିଷ୍ପତ୍ତିକୁ ନେଇ କିଛି ଦିନ ତଳେ ‘ମିଳିତ ଓଡ଼ିଶା ମଦ ମୁକ୍ତ ଅଭିଯାନ’ ତରଫରୁ ରାଜ୍ୟରେ ତୀବ୍ର ପ୍ରତିବାଦ କରାଯାଇଥିଲା। ଏବେ ସାଧାରଣ ଜନତା ପଚାରୁଛନ୍ତି ଗୋଟିଏ ପ୍ରଶ୍ନ… ଅନ୍ୟ ରାଜ୍ୟରେ ନୂଆ ସରକାର କ୍ଷମତାକୁ ଆସିବାର ମାତ୍ର ଦୁଇ ଦିନରେ ନିଜ ପ୍ରତିଶ୍ରୁତି ପୂରଣ ଦିଗରେ ଠୋସ୍ ଆକ୍ସନ ନେଉଛନ୍ତି। ହେଲେ ଆମ ରାଜ୍ୟରେ ଶାସକ ଦଳ ଭୋଟ୍ ବେଳର ପ୍ରତିଶ୍ରୁତିକୁ କାହିଁକି ଭୁଲିଯାଉଛନ୍ତି? କେବଳ ଭୋଟ୍ ବ୍ୟାଙ୍କ ହାତେଇବା ପାଇଁ କଣ ମଦମୁକ୍ତ ଓଡ଼ିଶାର ମିଥ୍ୟା ସ୍ୱପ୍ନ ଦେଖାଯାଇଥିଲା? କେବେ ଭାଙ୍ଗିବ ସରକାରଙ୍କ ନିଦ? ତାହା ଦେଖିବାକୁ ବାକି ରହିଲା | ତେବେ ଓଡ଼ିଶା ସରକାରଙ୍କୁ tvk ସରକାରଙ୍କ ଠାରୁ କିଛି ଶିଖିବାର ଆବଶ୍ୟକତା ଅଛି କି ନାହିଁ? ଆପଣଙ୍କ ମତାମତ କଣ, କମେଣ୍ଟ ବକ୍ସରେ ନିଶ୍ଚୟ ଜଣାନ୍ତୁ।

Leave a Reply

Your email address will not be published. Required fields are marked *