୨୦୨୭ ବିଶ୍ବକପ୍ ଖେଳିବେନି କିଙ୍ଗ୍ କୋହଲି !
ଅବସର ଗୁଜବ ଭିତରେ ବିରାଟଙ୍କ ବିସ୍ଫୋରକ ବୟାନ!
“ଯୋଗ୍ୟତା ପ୍ରମାଣ କରିବାକୁ ପଡ଼ିଲେ ମୁଁ ଖେଳିବିନି…”
ଦିନିକିଆ କ୍ରିକେଟ୍ ଛାଡିବେ କି ବିରାଟ?
କ୍ରିକେଟର ଭଗବାନ ହୁଅନ୍ତୁ କିମ୍ବା ମିଷ୍ଟର ୩୬୦ ଡିଗ୍ରୀ… ସମସ୍ତଙ୍କ ଭିତରେ ଜଣେ ହିଁ ଷ୍ଟାର୍, ଯାହାଙ୍କ ନାଁ ଶୁଣିଲେ ଷ୍ଟାଡିୟମ୍ ଦୁଲୁକେ। ସେ ହେଉଛନ୍ତି କ୍ରିକେଟର ରନ୍ ମେସିନ୍, କିଙ୍ଗ୍ କୋହଲି। ଟେଷ୍ଟ ଏବଂ ଟି-ଟ୍ବେଣ୍ଟିରୁ ବିଦାୟ ନେବା ପରେ, ଏବେ ସମସ୍ତଙ୍କ ନଜର ଦିନିକିଆ ବିଶ୍ବକପ୍ ଉପରେ। ଆସନ୍ତା ବର୍ଷ ଖେଳାଯିବ ଦିନିକିଆ ବିଶ୍ବକପ୍… ହେଲେ ସସପେନ୍ସ ହେଉଛି, ବିରାଟ ଖେଳିବେ ତ?
ଆଇପିଏଲ୍ ୨୦୨୬ରେ ଅରେଞ୍ଜ କ୍ୟାପ୍ ରେସରେ ୩ୟ ସ୍ଥାନରେ ଥିବା ଏହି ୩୭ ବର୍ଷୀୟ ଖେଳାଳିଙ୍କ ବ୍ୟାଟରୁ ବର୍ଷୁଛି ନିଆଁ। ୧୨ ଇନିଂସରେ ୪୮୪ ରନ୍, ଯେଉଁଥିରେ ଅଛି ଦମଦାର ଶତକ। ତଥାପି ଅନ୍ତର୍ଜାତୀୟ ଭବିଷ୍ୟତକୁ ନେଇ ଚାଲିଛି ଟୁପୁରୁ ଟାପୁରୁ ଚର୍ଚ୍ଚା। ଏହାରି ଭିତରେ ଆରସିବି (RCB) ପୋଡକାଷ୍ଟରେ କୋହଲି ଏମିତି କିଛି କହିଛନ୍ତି, ଯାହା କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ମନରେ ସସ୍ପେନ୍ସ ବଢ଼ାଇ ଦେଇଛି।
ବିରାଟ ସିଧାସଳଖ ଚେତାବନୀ ଦେଇ କହିଛନ୍ତି… “ଯଦି ମୋତେ ବାରମ୍ବାର ମୋ ଯୋଗ୍ୟତା ପ୍ରମାଣ କରିବାକୁ ବାଧ୍ୟ କରାଯାଏ, ତେବେ ସେହି ସ୍ଥାନ ମୋ ପାଇଁ ନୁହେଁ। ମୁଁ ମୋ ଖେଳ ପ୍ରତି ସମ୍ପୂର୍ଣ୍ଣ ସମର୍ପିତ। ଯଦି ମୋତେ ଦିନିକିଆରେ ୪୦ ଓଭର ଯାଏଁ କେବଳ ଚୌକା-ଛକା ମାରିବାକୁ କୁହାଯାଏ, ମୁଁ ବିନା ଅଭିଯୋଗରେ ତାହା କରିବି। ପଡ଼ିଆରେ ପାଦ ଦେବା ମାତ୍ରେ, ପ୍ରଥମ ବଲରୁ ୫୦ ଓଭରର ଶେଷ ବଲ୍ ପର୍ଯ୍ୟନ୍ତ ମୋ ଭିତରେ ସମାନ ଜୋସ୍ ଏବଂ ଏନର୍ଜି ରହିଛି।”
ବିରାଟଙ୍କ ଏହି କଥା ଗୋଟିଏ ସନ୍ଦେଶ ଦେଉଛି- ଯେଉଁଠି ସମ୍ମାନ ଥିବ, ସେଠି ସେ ଯେକୌଣସି ପରିସ୍ଥିତିରେ ଲଢ଼ିବାକୁ ପ୍ରସ୍ତୁତ। ତେବେ କଣ ୨୦୨୭ ବିଶ୍ବକପ୍ରେ ଆମେ ପୁଣିଥରେ ରୋହିତ-କୋହଲି ଯୋଡିର ଜଲୱା ଦେଖିବାକୁ ପାଇବା? ତାହା କେବଳ ସମୟ ହିଁ କହିବ।
