ବିଜେପି ହେଭିୱେଟଙ୍କୁ ନବୀନଙ୍କ ଗୁରୁମନ୍ତ୍ର !

ବିଜେପି କୋର କମିଟିର ମେଗା ମନ୍ଥନ

ସମସ୍ତ ମନ୍ତ୍ରୀ, ବିଧାୟକଙ୍କୁ ନବୀନଙ୍କ ଗୁରୁମନ୍ତ୍ର !

ଟାର୍ଗେଟରେ ‘ମିଶନ ୨୦୩୬’

ସରକାର ଓ ସଙ୍ଗଠନର ନୂଆ ଫର୍ମୁଲା: ପଞ୍ଚାୟତ ପାଇଁ ପ୍ରସ୍ତୁତ ହେଉଛି ବ୍ରହ୍ମାସ୍ତ୍ର !

ରାଜଧାନୀରେ ହାଇଭୋଲଟେଜ୍ ବୈଠକ। କ୍ଷମତାକୁ ଆସିବା ପରେ ବିଜେପିର ଆଖି ଏବେ ସିଧାସଳଖ ‘ମିଶନ ୨୦୩୬’ ଉପରେ। ରାଜ୍ୟରେ ବିଜେପି ସରକାର କିଭଳି ନିଖୁଣତାର ସହ ଲୋକଙ୍କ ପାଖରେ ପହଞ୍ଚିବ, ସେନେଇ କୋର କମିଟି ବୈଠକରେ ବାଢିଛନ୍ତି ନୂଆ ରଣନୀତି।

ସରକାର ଅଛି ବୋଲି ସଙ୍ଗଠନ ଶୋଇବନି, କିମ୍ବା ଅଳ୍ପରେ ସନ୍ତୁଷ୍ଟ ହେବାର ନାହିଁ। ନୀତିନ ନବୀନ ଦେଇଛନ୍ତି ସ୍ପଷ୍ଟ ବାର୍ତ୍ତା- ସଙ୍ଗଠନ ସୁସ୍ଥ ରହିଲେ ହିଁ ସରକାର ଦୌଡିବ। ସୁଭଦ୍ରା ହେଉ କି ଆୟୁଷ୍ମାନ… ଯୋଜନା ଯେମିତି ଧାଡ଼ିର ଶେଷ ଲୋକ ପାଖରେ ପହଞ୍ଚିବ, ସେଥିପାଇଁ ପ୍ରସ୍ତୁତ ହୋଇଛି ବ୍ଲୁ-ପ୍ରିଣ୍ଟ।

ସବୁଠୁ ବଡ଼ କଥା ହେଲା- ଦଲାଲ ଓ ମଧ୍ୟସ୍ଥିଙ୍କୁ ‘ରେଡ୍ ସିଗନାଲ୍’। ସିଷ୍ଟମରୁ ବିଦା ହେବେ ଦଲାଲ୍। ଲୋକଙ୍କ ଟଙ୍କା ସିଧା ସେମାନଙ୍କ ବ୍ୟାଙ୍କ ଖାତାକୁ ଯିବ। ମୋଦୀ ସରକାର ଓ ରାଜ୍ୟ ସରକାରଙ୍କ ଡବଲ ଇଞ୍ଜିନ ଯୋଜନା ହିଁ ହେବ ଦଳର ସବୁଠାରୁ ବଡ଼ ପ୍ରଚାର ଅସ୍ତ୍ର।

ଅନ୍ୟପଟେ ବୈଠକ ପରେ ରାଜ୍ୟ ରାଜନୀତିରେ ସବୁଠାରୁ ବଡ଼ ସସପେନ୍ସ ସୃଷ୍ଟି କରିଛି ବୋର୍ଡ ଓ ନିଗମ ନିଯୁକ୍ତି କଥା। ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ଇସାରା- ପ୍ରକ୍ରିୟା ଶେଷ ସୋପାନରେ, ଏହି ମାସ ଶେଷ ସୁଦ୍ଧା ଖୋଲିବ ସସପେନ୍ସ ପେଡ଼ି। କିଏ ପାଇବ ପଦବୀ, ଆଉ କିଏ ହେବ ନିରାଶ? ତାକୁ ନେଇ ବଢିଲାଣି ନେତାଙ୍କ ହୃଦସ୍ପନ୍ଦନ।

ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀ, କେନ୍ଦ୍ରମନ୍ତ୍ରୀଙ୍କ ସମେତ ରାଜ୍ୟ ବିଜେପିର ସମସ୍ତ ହେଭିୱେଟଙ୍କ ଏକାଠି ଉପସ୍ଥିତି ଗୋଟିଏ କଥା ସ୍ପଷ୍ଟ କରୁଛି ଯେ… ପଞ୍ଚାୟତ ନିର୍ବାଚନ ପାଇଁ ବିଜେପି ଏବେଠୁ ନିଜର ଶାଣିତ ଅସ୍ତ୍ର ପ୍ରସ୍ତୁତ କରିସାରିଲାଣି। ଆଗକୁ ଦେଖିବାକୁ ବାକି ରହିଲା, ଏହି ମେଗା ପ୍ଲାନ୍ ବିରୋଧୀଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ ସୃଷ୍ଟି କରୁଛି!

Leave a Reply

Your email address will not be published. Required fields are marked *