ମେଟାରେ ପୁଣି ଆରମ୍ଭ ହେଲା ବଡ଼ ଧରଣର ଛଟେଇ!
ଗୋଟି ଗୋଟି କରି ସମସ୍ତଙ୍କୁ କଲା ବିଦା !
ରାତାରାତି ବଦଳିଗଲା ୮ ହଜାର କର୍ମଚାରୀଙ୍କ ଭାଗ୍ୟ !
ଭୋର ୪ ଟାରୁ ଆସିଲା ମେଲ; ହଠାତ ଚାଲିଗଲା ସମସ୍ତଙ୍କ ଚାକିରି
ମେଟା ପରେ ଏହି ସବୁ କମ୍ପାନୀ ଉପରେ ମାଡ଼ି ଆସୁଛି ଚାକିରି ସଙ୍କଟ!
କଣ ମଣିଷକୁ ପଛରେ ପକାଇଦେବ କି ଏଆଇ (AI)? କଣ ଟେକ୍ନୋଲୋଜି ଯୋଗୁଁ ରାସ୍ତାକୁ ଆସିଯିବେ ଲକ୍ଷ ଲକ୍ଷ ଲୋକ? ଏଭଳି ଏକ ଭୟାନକ ଚିତ୍ର ଏବେ ସାମ୍ନାକୁ ଆସିଛି ଦୁନିଆର ସବୁଠୁ ବଡ଼ ସୋସିଆଲ ମିଡିଆ କମ୍ପାନି ‘ମେଟା’ରୁ।
ରାତି ପାହିଲା ବେଳକୁ ହାତରୁ ଚାଲିଯାଉଛି ଚାକିରି। ଭୋର ୪ଟାରେ ଆସୁଛି ଗୋଟିଏ ଇମେଲ୍ ଆଉ ଛଡାଇ ନେଉଛି ବର୍ଷ ବର୍ଷର ରୋଜଗାର। ଫେସବୁକ୍, ଇନଷ୍ଟାଗ୍ରାମର ପ୍ୟାରେଣ୍ଟ୍ କମ୍ପାନି ମେଟା ନିଜର ୮ ହଜାର କର୍ମଚାରୀଙ୍କୁ ବାହାର ରାସ୍ତା ଦେଖାଇଛି। ଆମେରିକା ଓ ବ୍ରିଟେନରେ କର୍ମଚାରୀଙ୍କୁ ଅଫିସ ନଆସି ଘରୁ କାମ କରିବାକୁ ଜରୁରୀ ନିର୍ଦ୍ଦେଶ ଦିଆଯାଇଥିବା ବେଳେ, ୬ ହଜାର ନୂଆ ନିଯୁକ୍ତି ଉପରେ ମଧ୍ୟ ସମ୍ପୂର୍ଣ୍ଣ ରୋକ୍ ଲଗାଇ ଦିଆଯାଇଛି। ସବୁଠୁ ବଡ଼ ଝଟକା ଲାଗିଛି ଇଞ୍ଜିନିୟରିଂ ଏବଂ ପ୍ରଡକ୍ଟ ଟିମ୍କୁ।
କିନ୍ତୁ କାହିଁକି ଏମିତି କରୁଛନ୍ତି ମାର୍କ ଜୁକରବର୍ଗ? ଏହାର ଗୋଟିଏ ହିଁ ଉତ୍ତର- ଏଆଇ।
ମେଟା ଏବେ ଏକ ଛୋଟ ଏବଂ ‘ଫ୍ଲାଟର ଷ୍ଟ୍ରକଚର’ ଉପରେ କାମ କରୁଛି। ମଣିଷ ବଦଳରେ ଏଆଇ ଉପରେ ଅଧିକ ଭରସା କରୁଛି କମ୍ପାନି। ଚଳିତ ବର୍ଷ ଏଆଇ ପାଇଁ ୧୦ ରୁ ୧୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ କରିବାକୁ ଯାଉଛି ମେଟା। ୭ ହଜାର କର୍ମଚାରୀଙ୍କୁ ନୂଆ ‘ଏଆଇ-ନେଟିଭ୍’ ଟିମରେ ସାମିଲ କରିବାକୁ ପ୍ରସ୍ତୁତି ସରିଛି।
ଗୋଟିଏ ପଟେ ଚାକିରି ଯିବାର ଭୟ, ଅନ୍ୟପଟେ କମ୍ପାନିର ଗୁଇନ୍ଦାଗିରି। କର୍ମଚାରୀଙ୍କ ପ୍ରତିଟି କ୍ଲିକ୍ ଉପରେ ନଜର ରଖିବାକୁ ମେଟା ବ୍ୟବହାର କରୁଛି ‘ମାଉସ୍-ଟ୍ରାକିଂ ଓ କୀ-ଷ୍ଟ୍ରୋକ’ ସଫ୍ଟୱେର। ଯାହାକୁ ନେଇ କମ୍ପାନି ଭିତରେ ତେଜିଲାଣି ଅସନ୍ତୋଷର ନିଆଁ। ହଜାରେରୁ ଅଧିକ କର୍ମଚାରୀ ଏହା ବିରୋଧରେ ସ୍ୱର ଉତ୍ତୋଳନ କଲେଣି।
କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ, ଏହି ବିପଦ କେବଳ ମେଟାରେ ସୀମିତ ନାହିଁ। ଓରାକଲ୍ରେ ୩୦ ହଜାର ଛଟେଇ ହୋଇଥିବା ବେଳେ, ସିସ୍କୋ, ମାଇକ୍ରୋସଫ୍ଟ, ଆଉ ଆମାଜନ ଭଳି ଟେକ୍ ଜିଆଣ୍ଟ ମଧ୍ୟ ଏଆଇ ପାଇଁ ନିଜ କର୍ମଚାରୀଙ୍କୁ ବିଦା କରୁଛନ୍ତି। ତେବେ ଟେକ୍ ଦୁନିଆରେ ଏବେ ସବୁଠୁ ବଡ଼ ପ୍ରଶ୍ନ- ଆଗକୁ ମଣିଷର ସ୍ଥାନ କଣ ପୂରାପୂରି ନେଇଯିବେ ଏହି କୃତ୍ରିମ ବୁଦ୍ଧିମତ୍ତା?
