ଥାନା ଭିତରେ ମହିଳା ଆଇଆଇସିଙ୍କ ବର୍ବରତା
ପୀଡ଼ିତାଙ୍କ ମଥାରୁ ସିନ୍ଦୂର ଲିଭାଇଦେଲେ ମହିଳା ପୋଲିସ ବାବୁ!
କେନ୍ଦୁଝର, ଝାରସୁଗୁଡ଼ା ପରେ କେନ୍ଦ୍ରାପଡ଼ା… ମାଡାମ୍ଙ୍କ ଟାର୍ଗେଟରେ ନିରୀହ ଲୋକେ !
ବାରମ୍ବାର ନିଲମ୍ବନ, ତଥାପି ମିଳୁଛି ପୋଷ୍ଟିଂ…
ଏହି ବିବାଦୀୟ ଅଫିସରଙ୍କ ପଛରେ ରହିଛି କାହାର ହାତ ? କାହିଁକି ମିଳୁନି ଉଚିତ ନ୍ୟାୟ ?
ନ୍ୟାୟ ମାଗିବାକୁ ଯାଇଥିଲେ, କିନ୍ତୁ ବଦଳରେ ମିଳିଲା ମାଡ଼, ଅପମାନ ଆଉ ଅକଥନୀୟ ନିର୍ଯାତନା! ଆଉ ଯିଏ ଏହି ନିର୍ଯାତନା ଦେଲେ, ସେ କୌଣସି ପେସାଦାର ଗୁଣ୍ଡା କି ଅପରାଧୀ ନୁହଁନ୍ତି… ସେ ହେଉଛନ୍ତି ଖୋଦ୍ ଆଇନର ରକ୍ଷକ, ଖାକି ବର୍ଦ୍ଦି ପିନ୍ଧିଥିବା ଜଣେ ମହିଳା ପୋଲିସ୍ ଅଫିସର। ନାଁ ତାଙ୍କର- ସନ୍ଧ୍ୟାରାଣୀ ଜେନା।
କେନ୍ଦ୍ରାପଡ଼ା ଜିଲ୍ଲା ତାଳଚୁଆ ସାମୁଦ୍ରିକ ଥାନାର ଏହି ଘଟଣା ଏବେ ସାରା ଓଡ଼ିଶାରେ ଚହଳ ସୃଷ୍ଟି କରିଛି। ଅଭିଯୋଗ ଏତେ ସାଂଘାତିକ ଯେ, ଶୁଣିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ। ଥାନାକୁ ନ୍ୟାୟ ଆଶାରେ ଆସିଥିବା ଜଣେ ମହିଳାଙ୍କୁ ଆଇଆଇସି ମାଡାମ୍ ଅର୍ଦ୍ଧଉଲଗ୍ନ କରି ପିଟିଲେ। ଏତିକିରେ ତାଙ୍କ ରାଗ ଶାନ୍ତ ହେଲାନି, ମହିଳାଙ୍କ ପୁଅକୁ ଶୌଚାଳୟରେ ପୂରାଇ ନିର୍ମମ ଭାବେ ଛେଚିଲେ। ଆଉ ସବୁଠାରୁ ବଡ଼ ବର୍ବରତା ହେଲା- ଜଣେ ମହିଳା ହୋଇ ମଧ୍ୟ ସେହି ପୀଡ଼ିତାଙ୍କ ମଥାରୁ ସିନ୍ଦୂର ପୋଛିଦେଲେ ଆଇଆଇସି ସନ୍ଧ୍ୟାରାଣୀ!
କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଏହା ପ୍ରଥମ ଘଟଣା ନୁହେଁ! ମାଡାମ୍ ସନ୍ଧ୍ୟାରାଣୀଙ୍କ ଫାଇଲ୍ ଖୋଲିଲେ ବାହାରିବ ଗୋଟିଏ ପରେ ଗୋଟିଏ କଳା କାରନାମା। ୨୦୨୦ ମସିହାର ସେହି ଭାଇରାଲ୍ ଭିଡିଓ… କେନ୍ଦୁଝର ପାଟଣା ଥାନାରେ ଜଣେ ଯୁବକଙ୍କୁ ଲାଠିରେ କିପରି ପିଟୁଥିଲେ ସନ୍ଧ୍ୟାରାଣୀ! ସେତେବେଳେ ରାଜ୍ୟ ମାନବାଧିକାର କମିଶନଙ୍କ ହସ୍ତକ୍ଷେପ ପରେ ତାଙ୍କୁ ନିଲମ୍ବନ କରାଯାଇଥିଲା। ପୁଣି ୨୦୨୪ ଜାନୁଆରୀ… ଝାରସୁଗୁଡ଼ା ଲଖନପୁର ଥାନାରେ ଥାଇ ୩ ମୃତ ଯୁବକଙ୍କ ଶବକୁ ଅନ୍ୟ ଥାନା ଅଞ୍ଚଳରେ ଫିଙ୍ଗିଦେବାର ସାଂଘାତିକ ଅଭିଯୋଗ ଆସିଥିଲା। ସେଥର ବି ତାଙ୍କୁ ତତ୍କାଳୀନ ଆଇଜି ନିଲମ୍ବିତ କରିଥିଲେ।
ଏବେ ବଡ଼ ପ୍ରଶ୍ନ ଉଠୁଛି… ଥରେ ନୁହେଁ, ବାରମ୍ବାର ନିଲମ୍ବନ ଏବଂ ବିବାଦରେ ଫସିବା ସତ୍ତ୍ୱେ ଏହି ଅଫିସରଙ୍କୁ ବାରମ୍ବାର ଫିଲ୍ଡ ପୋଷ୍ଟିଂ ଦେଉଛି କିଏ? ତାଙ୍କ ମୁଣ୍ଡ ଉପରେ କାହାର ହାତ ଅଛି? ବର୍ତ୍ତମାନ ଡିଜିପି ତାଙ୍କୁ ତାଳଚୁଆରୁ ନିଲମ୍ବିତ କରି କଟକ ଆଇଜିଙ୍କ ଅଧୀନରେ ରଖିଛନ୍ତି ସତ, କିନ୍ତୁ ଲୋକେ ଏବେ ଆଉ କେବଳ ନିଲମ୍ବନ ଚାହୁଁନାହାନ୍ତି। ଏଭଳି ବର୍ବରତା ପାଇଁ ତାଙ୍କୁ ସିଧାସଳଖ ଚାକିରିରୁ ବହିଷ୍କାର କରାଯିବା ଦରକାର ବୋଲି ଦାବି ଜୋର ଧରିଲାଣି।
