ଭୋଟ୍ ସରିଲା, ଭୁଲିଗଲେ ନେତା!

୪୦ ବର୍ଷ ହେଲା ଆମେ ଅନ୍ଧାରରେ!

ସ୍ୱାଧୀନତାର ଏତେ ବର୍ଷ ପରେ ବି ଏମିତି ଏକ ଗାଁ ଅଛି… ଯେଉଁଠି ଆଲୁଅ ନୁହେଁ, ଅନ୍ଧାର ହିଁ ଭାଗ୍ୟ ! ଯେଉଁଠି ମଣିଷ ବଞ୍ଚିବା ପାଇଁ ପ୍ରତିଦିନ ସଂଘର୍ଷ କରୁଛି, ଆଉ ପ୍ରଶାସନ ଘୁମେଇ ଶୋଇଛି ! ଏ ଦୃଶ୍ୟ ଦେଖିଲେ ଆପଣଙ୍କ ଲୋମ ଟାଙ୍କୁରି ଉଠିବ… ଆପଣ ଭାବିବାକୁ ବାଧ୍ୟ ହେବେ ଏହା ବିକାଶର ଚିତ୍ର ନା ବିନାଶର?

ଦୃଶ୍ୟଟି ହେଉଛି ପଶ୍ଚିମ ଓଡ଼ିଶାର ବଲାଙ୍ଗୀର ଜିଲ୍ଲା, ଖପ୍ରାଖୋଲ ବ୍ଲକର ଘୁନସର ପଞ୍ଚାୟତ ଅଧୀନରେ ଥିବା ଚଚରା ଭଟା ଗାଁର । ଏହି ଜଙ୍ଗଲ ଜମିରେ ଦୀର୍ଘ ୪ ଦଶନ୍ଧି ଧରି ବଞ୍ଚିବାକୁ ସଂଘର୍ଷ କରୁଛନ୍ତି ୮ଟି ଆଦିବାସୀ ପରିବାର । ମନରେଗାରେ କୋଟି କୋଟି ଟଙ୍କା ଖର୍ଚ୍ଚ ହେଉଛି, କିନ୍ତୁ ଏମାନଙ୍କ ପାଇଁ ରାସ୍ତା ଖଣ୍ଡେ ନାହିଁ । ପିଇବା ପାଣି ପାଇଁ ଭରସା କେବଳ ଖୋଳା କୂଅ । ନେତା ଆସନ୍ତି, ମିଛ ପ୍ରତିଶ୍ରୁତିର ପାହାଡ଼ ଠିଆ କରନ୍ତି, ଭୋଟ୍ ନିଅନ୍ତି ଆଉ ତା’ପରେ ସବୁକିଛି ଗାଏବ୍ ! ପଞ୍ଚାୟତରୁ ବ୍ଲକ ଯାଏଁ ଗୁହାରି କଲେ ବି ଶୁଣୁଛି କିଏ?କିନ୍ତୁ ସବୁ ସୀମା ପାର୍ ହୋଇଗଲା ସେଦିନ… ଯେବେ ରାସ୍ତା ନଥିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ଖଟରେ ବୋହି ବୋହି ନେବାକୁ ପଡ଼ିଲା । ଆଉ ତାର ପରିଣାମ? ଗୋଟେ ନିଷ୍ପାପ ଶିଶୁ ଦୁନିଆର ଆଲୁଅ ଦେଖିବା ଆଗରୁ ସବୁଦିନ ପାଇଁ ଆଖି ବୁଜିଦେଲା ।

Leave a Reply

Your email address will not be published. Required fields are marked *