ରଣମାଲ ମଣ୍ଡି ଅବ୍ୟବସ୍ଥା: ଚାଷୀଙ୍କ ହଙ୍ଗାମା ପରେ ପ୍ରଶାସନର ଉଡିଲା ହୋସ୍! 

କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକର ରଣମାଲ ମଣ୍ଡିରେ ଏବେ ଦେଖିବାକୁ ମିଳିଛି ଚାଷୀଙ୍କ ତୀବ୍ର ଅସନ୍ତୋଷ। ଧାନ ଉଠାଣରେ ବିଳମ୍ବ ଏବଂ ମଣ୍ଡି ଅବ୍ୟବସ୍ଥା ପ୍ରତିବାଦରେ ଚାଷୀମାନେ ବିଶାଳ ଧାରଣା ଦେଇଥିବା ବେଳେ, ସେମାନଙ୍କ ନ୍ୟାୟୋଚିତ ଲଢ଼େଇକୁ ସାଥ୍ ଦେଇଛନ୍ତି ଜୁନାଗଡ଼ ବିଧାୟକ ଦିବ୍ୟଶଙ୍କର ମିଶ୍ର।

ଧାରଣାସ୍ଥଳରୁ ହିଁ ବିଧାୟକ ଜିଲ୍ଲା ପ୍ରଶାସନ ଓ ମିଲରଙ୍କୁ ଫୋନ୍ କରି କଡ଼ା ତାଗିଦ୍ କରିଥିଲେ। ବିଧାୟକଙ୍କ ହସ୍ତକ୍ଷେପ ଓ ଚାଷୀଙ୍କ ଚାପ ଫଳରେ ତୁରନ୍ତ ଧାନ ଉଠାଇବାକୁ ଟ୍ରକ୍ ଆସି ପହଞ୍ଚିଥିଲା।କେବଳ ଗାଡ଼ି ନୁହେଁ, ସ୍ଥାୟୀ ସମାଧାନ ଜିଦ୍‌ରେ ଅଟଳ ଥିଲେ ଚାଷୀ। ସେମାନଙ୍କର ପ୍ରମୁଖ ଦାବି ଥିଲା- ପର୍ଯ୍ୟାପ୍ତ ଟ୍ରକ୍ ଓ ବସ୍ତା ଯୋଗାଣ, ଶ୍ରମିକଙ୍କ ଦ୍ୱାରା ବସ୍ତା ପିଛା ବେଆଇନ ଟଙ୍କା ଆଦାୟ ସମ୍ପୂର୍ଣ୍ଣ ବନ୍ଦ ଏବଂ ସ୍ୱଚ୍ଛତା ପାଇଁ ବଡ଼ ଓଜନକଣ୍ଟାର ବ୍ୟବହାର।
ଆନ୍ଦୋଳନ ଉଗ୍ର ରୂପ ନେବା ଦେଖି ରାଜସ୍ୱ ନିରୀକ୍ଷକ, ଯୋଗାଣ ଅଧିକାରୀ ଏବଂ ସମବାୟ ବିଭାଗ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଥିଲେ। ଏକ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ସବୁ ଦାବି ପୂରଣ କରିବାକୁ ପ୍ରଶାସନ ପ୍ରତିଶ୍ରୁତି ଦେବା ପରେ ଧାରଣା ପ୍ରତ୍ୟାହୃତ ହୋଇଛି। ତେବେ, ପ୍ରତିଶ୍ରୁତି ପାଳନ ନହେଲେ ଆଗାମୀ ଦିନରେ ଆନ୍ଦୋଳନ ଆହୁରି ବ୍ୟାପକ ହେବ ବୋଲି ଚାଷୀ ସଂଘ କଡ଼ା ଚେତାବନୀ ଦେଇଛି।

Leave a Reply

Your email address will not be published. Required fields are marked *