ନବୀନ ପଟନାୟକଙ୍କ ପାଖରେ ଫାଇଲ ! ମୋହନ ମାଝୀ ନେଇପାରିବେ କି କାର୍ଯ୍ୟାନୁଷ୍ଠାନ?

ଖୋଲିବ ସ୍ବାମୀ ଲକ୍ଷ୍ମଣାନନ୍ଦ ହତ୍ୟାକାଣ୍ଡର ଗୁମର !

ହଜିଗଲା ନା ହଜାଇଦିଆଗଲା ?

କୁଆଡ଼େ ଗଲା ୨ ହଜାର ପୃଷ୍ଠାର ସତ?

୬ ମାସ ହେଲା ହଜିଲା ଫାଇଲ୍ ଖୋଜୁଛନ୍ତି ନବୀନଙ୍କ ସଚିବ!

ନବୀନଙ୍କ ବିରୋଧରେ ମୋହନ ନେବେ କଡା କାର୍ଯ୍ୟାନୁଷ୍ଠାନ !

ଓଡ଼ିଶା ରାଜନୀତିର ସବୁଠାରୁ ବଡ଼ ପ୍ରଶ୍ନ… ସତ କଣ ଫାଇଲ୍ ତଳେ ଚାପି ହୋଇଯାଇଛି? ନା ସତକୁ ଜାଣିଶୁଣି ଗାଏବ କରିଦିଆଯାଇଛି? ରାଜ୍ୟର ପାୱାର କରିଡରରେ ଏବେ ଗୋଟିଏ ଚର୍ଚ୍ଚା, କୁଆଡ଼େ ଗଲା ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟା ମାମଲାର ତଦନ୍ତ ରିପୋର୍ଟ?

୨୩ ଅଗଷ୍ଟ ୨୦୦୮। କନ୍ଧମାଳ ଜଲେଶପଟ୍ଟା କନ୍ୟାଶ୍ରମରେ ସ୍ବାମୀ ଲକ୍ଷ୍ମଣାନନ୍ଦ ଓ ତାଙ୍କର ଚାରି ଜଣ ସହଯୋଗୀଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା। ଏହି ଘଟଣା ପରେ ସାରା ରାଜ୍ୟରେ ଯେଉଁ ନିଆଁ ଜଳିଲା, ତାକୁ ଲିଭାଇବାକୁ ତତ୍କାଳୀନ ବିଜେଡି ସରକାରଙ୍କୁ ବହୁ ସମୟ ଲାଗିଥିଲା। ଘଟଣାର ପୂର୍ଣ୍ଣାଙ୍ଗ ତଦନ୍ତ ପାଇଁ ବସିଥିଲା କମିଶନ। ଦୀର୍ଘ ୮ ବର୍ଷର ଖୋଳତାଡ଼ ପରେ ୧୬ ସେପ୍ଟେମ୍ବର ୨୦୧୬ରେ ଗୃହ ବିଭାଗ ଏବଂ ୧୯ ସେପ୍ଟେମ୍ବରରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରେ ପହଞ୍ଚିଥିଲା ଜଷ୍ଟିସ ନାଇଡୁ କମିଶନଙ୍କ ରିପୋର୍ଟ। ହେଲେ ଆଶ୍ଚର୍ଯ୍ୟର କଥା, ରିପୋର୍ଟ ମିଳିବା ପରେ ବି ତତ୍କାଳୀନ ମୁଖ୍ୟମନ୍ତ୍ରୀ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନେଲେ ନାହିଁ। କ’ଣ ଲୁଚାଇବାକୁ ଚାହୁଁଥିଲେ ସେତେବେଳର ସରକାର?

୨୦୨୪ରେ ସରକାର ବଦଳିଲା। ନୂଆ ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ସବୁ ଫାଇଲ ଗୃହ ବିଭାଗକୁ ଗଲା, ହେଲେ ଦେଢ଼ ହଜାରରୁ ଦୁଇ ହଜାର ପୃଷ୍ଠା ସମ୍ବଳିତ ସେହି ଅତି ଗୁରୁତ୍ୱପୂର୍ଣ୍ଣ ରିପୋର୍ଟ ଆସିଲା ନାହିଁ। ସମ୍ ହସ୍ପିଟାଲ୍ ତଦନ୍ତ ରିପୋର୍ଟ ମଧ୍ୟ ଗାଏବ। ଏହା ପଛର ଅଭିସନ୍ଧି କ’ଣ? ସରକାର ବଦଳିବା ପରେ ୧୨ ଜୁନ ୨୦୨୪ରୁ ଅକ୍ଟୋବର ୨୦୨୫ ପର୍ଯ୍ୟନ୍ତ କେହି ଫାଇଲ୍ ଖୋଜିଲେନି। ଶେଷରେ ଯେବେ ବିଜେପି ସରକାର ଚିଠି ଲେଖିଲେ, ନବୀନଙ୍କ ଅଫିସରୁ କୌଣସି ଉତ୍ତର ଆସିଲାନି। ନଭେମ୍ବର ୪ରେ ପୁଣି ତାଗିଦ୍ କରିବା ପରେ ନଭେମ୍ବର ୧୫, ୨୦୨୫ରେ ନବୀନଙ୍କ ବ୍ୟକ୍ତିଗତ ସଚିବ ଜଣାଇଲେ ଯେ “ଫାଇଲ୍ ଖୋଜା ଚାଲିଛି।”

ନଭେମ୍ବର ୨୦୨୫ରୁ ଆଜି ଜୁନ୍ ୨୦୨୬ ହେଲାଣି। ୬ ମାସ ବିତିଯାଇଥିଲେ ବି ଫାଇଲ୍ ମିଳିନି ଆଉ ସରକାର ବି ସମୟ ଦେଇଚାଲିଛନ୍ତି। ପ୍ରଶ୍ନ ଉଠୁଛି, ଫାଇଲ୍ ପ୍ରକୃତରେ ହଜିଛି ନା ଯୋଜନାବଦ୍ଧ ଭାବେ ହଜାଇ ଦିଆଯାଇଛି? ଦେଖିବାର ବାକି ରହିଲା ଏହି ରାଜନୈତିକ ଲୁଚକାଳି ଖେଳ କେବେ ସରୁଛି। ବ୍ୟୁରୋ ରିପୋର୍ଟ…

Leave a Reply

Your email address will not be published. Required fields are marked *