ପାଠ୍ୟପୁସ୍ତକ ମହାଘୋଟାଲାରେ ଯିବ କି ମନ୍ତ୍ରୀଙ୍କ ଚୌକି?
ଓଡ଼ିଶା ବହିରେ କର୍ଣ୍ଣାଟକ ବିଧାନସଭା !
ମହାଭୁଲ୍ ପଛରେ କେଉଁ ଦାୟିତ୍ୱହୀନ ଅଫିସରଙ୍କ ହାତ?
ଓଡ଼ିଶା ଶିକ୍ଷା ଇତିହାସରେ ସବୁଠୁ ବଡ଼ ତ୍ରୁଟି
FIR ହେବ ରୁଜୁ, ଜେଲ୍ ଯିବେ କି ଖାମଖିଆଲି ଅଧିକାରୀ?
ସରକାରଙ୍କ ଆଗରେ କଳିଙ୍ଗସେନାର ବଡ଼ ଚେତାବନୀ !
ରାଜ୍ୟରେ ଶିକ୍ଷା ବ୍ୟବସ୍ଥା ଚାଲିଛି ନା କୌଣସି ବିରାଟ ଷଡ଼ଯନ୍ତ୍ର? ପିଲାଙ୍କ ଭବିଷ୍ୟତକୁ ନେଇ ଏତେ ବଡ଼ ଖେଳ ଖେଳିଲା କିଏ? ଓଡ଼ିଶା ପାଠ୍ୟପୁସ୍ତକରେ ଏମିତି ଏକ ଭୟଙ୍କର ଏବଂ ଅକ୍ଷମଣୀୟ ତ୍ରୁଟି ସାମ୍ନାକୁ ଆସିଛି, ଯାହା ପୂରା ସିଷ୍ଟମ୍ର ପୋଲ୍ ଖୋଲିଦେଇଛି। ଆଉ ଏବେ ଉଠୁଛି ଗୋଟିଏ ବଡ଼ ଦାବି- ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ତୁରନ୍ତ ଇସ୍ତଫା ଦିଅନ୍ତୁ !
ଟିକେ ଚିନ୍ତା କରନ୍ତୁ, ଓଡ଼ିଶା ପିଲା ପଢ଼ିବେ ଓଡ଼ିଶା ବିଷୟରେ, କିନ୍ତୁ ବହିରେ ଛପା ହୋଇଛି କର୍ଣ୍ଣାଟକ ବିଧାନସଭାର ଫଟୋ! ହଁ ଦର୍ଶକବନ୍ଧୁ, ସଦ୍ୟ ପ୍ରକାଶିତ ଓଡ଼ିଆ ପାଠ୍ୟପୁସ୍ତକରେ ଗୋଟିଏ କି ଦୁଇଟି ନୁହେଁ, ବରଂ ରହିଛି ହଜାର ହଜାର ତ୍ରୁଟି। ରାଜ୍ୟର ବରପୁତ୍ରମାନଙ୍କ ବିଷୟରେ ଦିଆଯାଇଛି ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ତଥ୍ୟ। ବିନା ଯାଞ୍ଚରେ ଛପା ସରିଲା ଲକ୍ଷ ଲକ୍ଷ ବହି। ବିଭାଗୀୟ ମନ୍ତ୍ରୀ କିମ୍ବା ବାବୁମାନେ କ’ଣ ଆଖି ବନ୍ଦ କରି ବସିଥିଲେ? ବହି ଛାପିବା ପୂର୍ବରୁ କାହାରି ନଜର କେମିତି ପଡ଼ିଲାନି?
ଏହି ଘଟଣାକୁ ନେଇ ଏବେ ରାଜ୍ୟରେ ତେଜିଛି ଅସନ୍ତୋଷର ନିଆଁ। ମଇଦାନକୁ ଓହ୍ଲାଇଛି କଳିଙ୍ଗସେନା। କଳିଙ୍ଗସେନା ସୁପ୍ରିମୋ ହେମନ୍ତ ରଥ ସିଧାସଳଖ ଟାର୍ଗେଟ୍ କରିଛନ୍ତି ଗଣଶିକ୍ଷା ମନ୍ତ୍ରୀଙ୍କୁ। ନୈତିକତା ଦୃଷ୍ଟିରୁ ମନ୍ତ୍ରୀ ତୁରନ୍ତ ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ ବୋଲି ସେ ଦାବି କରିଛନ୍ତି। କେବଳ ସେତିକି ନୁହେଁ, ଯେଉଁ ଅଧିକାରୀ ଓ କର୍ମଚାରୀମାନେ ଏହି ମହାଘୋଟାଲା ପାଇଁ ଦାୟୀ, ସେମାନଙ୍କ ନାଁରେ ତୁରନ୍ତ ମାମଲା ରୁଜୁ ହେଉ ଏବଂ ସେମାନଙ୍କୁ ଗିରଫ କରାଯାଉ ବୋଲି ଶ୍ରୀ ରଥ ଚେତାବନୀ ଦେଇଛନ୍ତି।
ବଡ଼ ପ୍ରଶ୍ନ ହେଉଛି- ପାଠ୍ୟପୁସ୍ତକ ପ୍ରକାଶନ ଦାୟିତ୍ୱରେ କିଏ ଥିଲା? କେଉଁ ସଂସ୍ଥା କେତେ କୋଟି ଟଙ୍କା ନେଇଛି, ରାଜ୍ୟ ସରକାର ତାହା ତୁରନ୍ତ ସାର୍ବଜନୀନ କରନ୍ତୁ। ଭୁଲ୍ ବହି ଛାପି ଲକ୍ଷାଧିକ ଟଙ୍କାର ସରକାରୀ ରାଜସ୍ୱ ପାଣିରେ ପକାଇଥିବା ବାବୁମାନଙ୍କ ଠାରୁ ହିଁ ଏହି କ୍ଷତିପୂରଣ ଅର୍ଥ ଆଦାୟ କରିବାକୁ କଳିଙ୍ଗସେନା ଅଡ଼ି ବସିଛି। ଏହା ସହ ଉକ୍ତ ପ୍ରକାଶନ ସଂସ୍ଥାକୁ ତୁରନ୍ତ କଳା ତାଲିକାଭୁକ୍ତ କରିବାକୁ ଦାବି ହୋଇଛି।
ପିଲାଙ୍କ ଭବିଷ୍ୟତ ସହ ଖେଳାଯାଇଥିବା ଏହି ଭୟଙ୍କର ଖେଳର ପରିଣାମ କ’ଣ ହେବ? ସରକାର କଳିଙ୍ଗସେନାର ଦାବି ମାନି ଅଧିକାରୀଙ୍କୁ ଜେଲ୍ ପଠାଇବେ ନା କଥାକୁ ଚାପିଦେବେ? ଛାତ୍ରଛାତ୍ରୀଙ୍କୁ ସଂଶୋଧିତ ସଠିକ୍ ପାଠ୍ୟପୁସ୍ତକ କେବେ ମିଳିବ?
