BDA ଟେଣ୍ଡର ଘୋଟାଲା: ଗୋଟିଏ ପ୍ରକଳ୍ପ, ୩ଟି ଟେଣ୍ଡର! ଉଡିଗଲା କୋଟି କୋଟି ଟଙ୍କା

ସ୍ୱପ୍ନର ଘର ନାଁରେ କୋଟି କୋଟି ଟଙ୍କାର ଖେଳ!

ସୁବୁଦ୍ଧିପୁର ହାଉସିଂ ପ୍ରକଳ୍ପରେ BDA ର ମହା-କେଳେଙ୍କାରୀ !

ଗୋଟିଏ ପ୍ରକଳ୍ପ… ୩ଟି ଟେଣ୍ଡର, ପଛରେ ଅଛି କାହାର ହାତ?

ଲିଫ୍ଟ ଆଉ ଡିଜି ନାଁରେ ଉଡିଗଲା ୫ କୋଟିରୁ ଅଧିକ ଟଙ୍କା!

ରାଜଧାନୀ ଭୁବନେଶ୍ୱରରେ ନିଜର ଖଣ୍ଡିଏ ଘର… ମଧ୍ୟବିତ୍ତ ପରିବାର ପାଇଁ ଏକ ବଡ଼ ସ୍ୱପ୍ନ। ଆଉ ଏହି ସ୍ୱପ୍ନକୁ ସାକାର କରିବା ପାଇଁ ଭରସା ଦିଏ ଖୋଦ୍ ସରକାରୀ ସଂସ୍ଥା ‘ବିଡିଏ’ (BDA)। କିନ୍ତୁ… ସୁଲଭ ଦରରେ ଘର ଯୋଗାଇଦେବା ନାଁରେ ପରଦା ପଛରେ ଏବେ ଚାଲିଛି କିଛି ଅଲଗା ଖେଳ।

ତେବେ ଘଟଣାଟି ହେଉଛି ଭୁବନେଶ୍ୱର ସୁବୁଦ୍ଧିପୁର ହାଉସିଂ ପ୍ରକଳ୍ପର। ଏଠାରେ ନିର୍ମାଣ ଚାଲିଛି ୨୭ ମହଲା ବିଶିଷ୍ଟ ବିରାଟ ଆପାର୍ଟମେଣ୍ଟ। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି… ଏହି ନିର୍ମାଣ କାର୍ଯ୍ୟ ପାଇଁ ହୋଇଥିବା ଟେଣ୍ଡର ପ୍ରକ୍ରିୟାରୁ ବାସ୍ନା ମାରୁଛି ବଡ଼ ଧରଣର କେଳେଙ୍କାରୀର।

ସାଧାରଣତଃ ଗୋଟିଏ ପ୍ରକଳ୍ପ ପାଇଁ ଗୋଟିଏ ଟେଣ୍ଡର ହୁଏ |  କିନ୍ତୁ ଏଠାରେ ନିୟମକୁ ଫୁ କରି ମୂଳ ଟେଣ୍ଡର ବାହାରେ ଆଉ ଦୁଇଟି ନୂଆ ସଂସ୍ଥାକୁ ଟେଣ୍ଡର ଦେଇଛି ବିଡିଏ। କାହିଁକି? କେବଳ ଡିଜି (DG) ବସାଇବା ପାଇଁ ୩ କୋଟି ୩୬ ଲକ୍ଷ ଏବଂ ଲିଫ୍ଟ ଲଗାଇବା ପାଇଁ ୨ କୋଟି ୨୭ ଲକ୍ଷ ଟଙ୍କାର ଅଲଗା ଟେଣ୍ଡର ଦିଆଯାଇଛି। ମୋଟ୍ ଉପରେ ପାଖାପାଖି ସାଢେ ୫ କୋଟିର ଖେଳ!

ସବୁଠୁ ବଡ଼ ପ୍ରଶ୍ନ… ଯଦି ଗୋଟିଏ ସଂସ୍ଥା ପ୍ରକଳ୍ପ କାମ ନେଇଛି ଏବଂ ତା’ର କାମ ସରିନି, ତେବେ ମଝିରେ ଆଉ ଦୁଇଟି ସଂସ୍ଥାକୁ ଏଣ୍ଟ୍ରି ମିଳିଲା କେମିତି? ଯଦି ଲିଫ୍ଟ ଓ ଡିଜିର ଆବଶ୍ୟକତା ଥିଲା, ତେବେ ମୂଳ ଟେଣ୍ଡର ନେଇଥିବା ସଂସ୍ଥାକୁ ଏହା କାହିଁକି ଦିଆଗଲା ନାହିଁ? ଏହା କ’ଣ ସରକାରୀ ଅର୍ଥର ଖୋଲା ଲୁଟ୍ ନୁହେଁ କି4

ସୁବୁଦ୍ଧିପୁର ହାଉସିଂ ପ୍ରକଳ୍ପ ନାଁରେ ଏହି ଯେଉଁ ଟେଣ୍ଡର ଫିକ୍ସିଂର ଅଭିଯୋଗ ଆସିଛି, ଏହା ପଛରେ ଥିବା ଅଦୃଶ୍ୟ ଶକ୍ତି କିଏ? ବିଡିଏର ଉଚ୍ଚ କର୍ତ୍ତୃପକ୍ଷ ଏହା ଜାଣିଶୁଣି ନୀରବ ଅଛନ୍ତି ନା ଏହି ମିଠା ହାଣ୍ଡିରେ ସମସ୍ତଙ୍କର ଭାଗ ଅଛି? ସରକାର ଏହାର ଉଚ୍ଚସ୍ତରୀୟ ତଦନ୍ତ କରିବେ ତ?

Leave a Reply

Your email address will not be published. Required fields are marked *