ଗୋଦାମରେ ସଢୁଛି ଲକ୍ଷ ଲକ୍ଷ ବହି, କାଗଜରେ ବଣ୍ଟା ସରିଲାଣି ୯୪% 

ଶିକ୍ଷା ବିଭାଗର ବଡ଼ ଧୋକା!

ଗୋଦାମରେ ସଢୁଛି ଲକ୍ଷ ଲକ୍ଷ ବହି 

କାଗଜରେ ବଣ୍ଟା ସରିଲାଣି ୯୪% 

ଆସିନାହାନ୍ତି ଶିକ୍ଷକ, ତେବେ ଲକ୍ଷ ଲକ୍ଷ ବହି ବାଣ୍ଟିଲା କିଏ?

ଏହି ମିଛୁଆ ଅଧିକାରୀଙ୍କ ପଛରେ କାହାର ହାତ?

ଗରିବ ପିଲାଙ୍କ ଭବିଷ୍ୟତ ସହ ଖେଳୁଛନ୍ତି କି ସରକାରୀ ବାବୁ?

ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। ଲକ୍ଷ୍ୟ ହେଉଛି- ଗରିବ ପିଲାଟିଏ ଯେମିତି ମାଗଣା ବହି ପାଇବ, ପାଠ ପଢ଼ିବ। ହେଲେ ଯଦି ରକ୍ଷକ ସାଜେ ଭକ୍ଷକ? ଯଦି ସେହି ବହି ବାଣ୍ଟିବା ଦାୟିତ୍ୱରେ ଥିବା ବାବୁମାନେ ସରକାରଙ୍କୁ ଦିଅନ୍ତି ଡାହା ମିଛ ରିପୋର୍ଟ? ଆଜି ଆମେ ଆପଣଙ୍କୁ ଦେଖାଇବୁ ସୁନ୍ଦରଗଡ଼ ଜିଲ୍ଲାରୁ ଆସିଥିବା ଏମିତି ଏକ ସଙ୍ଗୀନ ଅଭିଯୋଗ, ଯାହାକୁ ଶୁଣିଲେ ଆପଣ ବି କହିବେ- ସତରେ କଣ ଶିକ୍ଷା ବ୍ୟବସ୍ଥାରୁ ଲାଜସରମ ଉଠିଗଲାଣି?ଟିକେ ନଜର ପକାନ୍ତୁ ଏହି ଦୃଶ୍ୟ ଉପରେ। ବସ୍ତା ବସ୍ତା ବହି ଗୋଦାମରେ ଖାଉଛି ଉଈ। ପ୍ରଥମରୁ ଅଷ୍ଟମ ଶ୍ରେଣୀର ପିଲାଙ୍କୁ ଏପର୍ଯ୍ୟନ୍ତ ବହି ମିଳିନି। କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି, ଶିକ୍ଷା ବିଭାଗର ରେକର୍ଡ କହୁଛି- ଅଧିକାଂଶ ବ୍ଲକରେ ୮୫ ରୁ ୯୭ ପ୍ରତିଶତ ବହି ବଣ୍ଟା ସରିଲାଣି! ହଁ ଆଜ୍ଞା, କାଗଜପତ୍ରରେ ଶତ ପ୍ରତିଶତ ପାସ୍, ହେଲେ ବାସ୍ତବରେ ବିଗ୍ ଜିରୋ। ସୁନ୍ଦରଗଡ଼ ଜିଲ୍ଲାର ୧ ଲକ୍ଷ ୨୭ ହଜାର ୨୫୨ ପିଲାଙ୍କ ପାଇଁ ଦରକାର ଥିଲା ପ୍ରାୟ ୧୨ ଲକ୍ଷ ୮୨ ହଜାର ବହି। କିନ୍ତୁ ଉପର ହାକିମଙ୍କୁ ସନ୍ତୁଷ୍ଟ କରିବାକୁ ଯାଇ ଅଧିକାରୀମାନେ ରିପୋର୍ଟ ଦେଇଛନ୍ତି ଯେ, ୧୧ ଲକ୍ଷରୁ ଅଧିକ ବହି ପିଲାଙ୍କ ପାଖରେ ପହଞ୍ଚି ସରିଛି!ସବୁଠାରୁ ବଡ଼ ସସପେନ୍ସ ହେଉଛି- ଯଦି ଶିକ୍ଷକମାନେ ଏଫଏଲଏନ୍ (FLN) ବା ଅନ୍ୟ କାମରେ ବ୍ୟସ୍ତ ରହି ବହି ନେଇନାହାନ୍ତି, ତେବେ ଲାଠିକଟାରେ ୯୦% କିମ୍ବା ବିଶ୍ରା ବ୍ଲକରେ ୯୪% ବହି ବଣ୍ଟା ଗଲା କେମିତି? ରାଉରକେଲା, ଗୁରୁଣ୍ଡିଆ, କୋଇଡ଼ା ଠାରୁ ଆରମ୍ଭ କରି ନୂଆଗାଁ ପର୍ଯ୍ୟନ୍ତ ପ୍ରତିଟି ବ୍ଲକରୁ ଆସିଛି ଏହି ‘ଫେକ୍ ରିପୋର୍ଟ’। ତେବେ ବାସ୍ତବରେ ଏହି ବହି ଗଲା କେଉଁଆଡେ?

କାହା ସ୍ୱାର୍ଥରେ ଚାଲିଛି ଏହି ମିଥ୍ୟାଚାର? ଖାତାରେ ବହି ବାଣ୍ଟି ସରକାରଙ୍କ ଆଖିରେ ଧୂଳି ଦେଉଥିବା ଏହି ଅଧିକାରୀମାନଙ୍କ ପଛରେ କାହାର ଛତ୍ରଛାୟା ରହିଛି? ନୂଆ ସରକାର ଆଉ ନୂଆ ଶିକ୍ଷାମନ୍ତ୍ରୀ କଣ ଏହି ଘଟଣାର ଭିଜିଲାନ୍ସ ତଦନ୍ତ ନିର୍ଦ୍ଦେଶ ଦେବେ? ନା ପିଲାଙ୍କ ଭବିଷ୍ୟତ ଏମିତି ଗୋଦାମ ଘରେ ଅନ୍ଧକାରରେ ପଡ଼ିରହିବ?

Leave a Reply

Your email address will not be published. Required fields are marked *