ଘଞ୍ଚ ଜଙ୍ଗଲ… ବିସ୍ତୀର୍ଣ୍ଣ ପାହାଡ଼… ଆଉ ତା’ରି ଭିତରେ ଲୁଚି ରହିଛି ପ୍ରକୃତିର ଏକ ଅଦ୍ଭୁତ ଚମତ୍କାର! ଏମିତି ଏକ ରହସ୍ୟମୟ ଜଳସ୍ରୋତ, ଯାହା ଶୁଖିଲା ମରୁଡ଼ି ପ୍ରପୀଡ଼ିତ ମାଟିର ଭାଗ୍ୟକୁ ସମ୍ପୂର୍ଣ୍ଣ ବଦଳାଇ ଦେଇଛି।
ଆମେ କହୁଛୁ କଳାହାଣ୍ଡି ଜିଲ୍ଲାର ଆମପାଣି ଅଞ୍ଚଳରେ ଥିବା ‘କରକ ଝରଣା’ କଥା। ଯାହା ଏବେ ସ୍ଥାନୀୟ ଚାଷୀଙ୍କ ପାଇଁ କେବଳ ଏକ ଝରଣା ନୁହେଁ, ବରଂ ଅନ୍ଧକାର ଭିତରେ ବଞ୍ଚିବାର ଏକ ନୂଆ ଆଶାର କିରଣ ପାଲଟିଛି।
ଦିନ ଥିଲା, ଯେତେବେଳେ ଏହି ଅଞ୍ଚଳର ଚାଷୀମାନେ ଆକାଶକୁ ଚାହିଁ ଚାହିଁ ଚାତକ ଭଳି ବର୍ଷାକୁ ଅପେକ୍ଷା କରୁଥିଲେ। ବର୍ଷା ହେଲେ ଚାଷ ହେଉଥିଲା, ନହେଲେ ମରୁଡ଼ି ସବୁକିଛି ଉଜାଡ଼ି ଦେଉଥିଲା। କିନ୍ତୁ ବର୍ଷସାରା ଅବିରତ ଭାବେ ବୋହି ଚାଲିଥିବା କରକ ଝରଣାର ଏହି ମିଠା ପାଣି ସବୁ କିଛି ବଦଳାଇ ଦେଲା। ଧାନ, ମକା ଠାରୁ ଆରମ୍ଭ କରି ସବୁଜ ପନିପରିବାରେ ହସୁଛି ଚାଷୀର ଜମି। ଯେଉଁ ମାଟି କେବେ ଶୁଖିଲା ପଡ଼ି ରହୁଥିଲା, ଆଜି ସେଠି ସୁନା ଫଳୁଛି!
କିନ୍ତୁ ଏହି କାହାଣୀ ଏତିକିରେ ସରିନାହିଁ। ପାହାଡ଼ ଆଉ ଜଙ୍ଗଲର ପଣତ କାନି ଭିତରେ ଲୁଚି ରହିଥିବା ଏହି ଝରଣାର ପ୍ରାକୃତିକ ସୌନ୍ଦର୍ଯ୍ୟ ଯେକୌଣସି ପର୍ଯ୍ୟଟକଙ୍କୁ ମନ୍ତ୍ରମୁଗ୍ଧ କରିଦେବ। ଶୀତ ହେଉ କି ବର୍ଷା, ଏହାର ମନୋରମ ଦୃଶ୍ୟ ଦେଖିବାକୁ ଛୁଟି ଆସୁଛନ୍ତି ଶହ ଶହ ପର୍ଯ୍ୟଟକ। ହେଲେ, ଏତେ ସବୁ ସମ୍ଭାବନା ପରେ ବି ଏଠାରେ ଗୋଟିଏ ବଡ଼ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି! ଏତେ ସୁନ୍ଦର ପର୍ଯ୍ୟଟନ ସ୍ଥଳୀ ଆଜି ବି ଅବହେଳିତ କାହିଁକି? ପର୍ଯ୍ୟଟନ ସୁବିଧାର ଚରମ ଅଭାବ ଏହାର ବିକାଶ ପଥରେ ପାଚେରୀ ସାଜି ଠିଆ ହୋଇଛି।
ସରକାର ଯଦି ଏହାର ସଂରକ୍ଷଣ ଓ ସଠିକ୍ ବିକାଶ ଦିଗରେ ଦୃଷ୍ଟି ଦିଅନ୍ତି, ତେବେ ଖୁବ୍ଶୀଘ୍ର ଏହା ଓଡ଼ିଶାର ଏକ ପ୍ରମୁଖ ପର୍ଯ୍ୟଟନ ସ୍ଥଳୀ ଭାବେ ବିଶ୍ୱ ମାନଚିତ୍ରରେ ସ୍ଥାନ ପାଇବ ଏବଂ ସ୍ଥାନୀୟ ଲୋକଙ୍କ ଜୀବିକାର ମାଧ୍ୟମ ସାଜିବ। କିନ୍ତୁ ପ୍ରଶ୍ନ ଉଠୁଛି, କେବେ ବଦଳିବ କରକ ଝରଣାର ଭାଗ୍ୟ? କେବେ ନିଦ ଭାଙ୍ଗିବ ପ୍ରଶାସନର? ତାହା ହିଁ ଏବେ ସବୁଠାରୁ ବଡ଼ ସସପେନ୍ସ!
