ବଦଳିଲା ପୁରୁଣା ନିୟମ
ବାପା ଚାକିରୀ ଉପରେ ଅଛି ବିବାହିତ ଝିଅର ଅଧିକାର !
କୋର୍ଟ ଦେଲେ ଐତିହାସିକ ରାୟ
ସମ୍ବିଧାନ ଆଗରେ ପୁଅ-ଝିଅ ସମାନ
ଏଥର ବିବାହିତ ଝିଅଙ୍କୁ ବି ମିଳିବ ଅନୁକମ୍ପାମୂଳକ ନିଯୁକ୍ତି !
ରାଜ୍ୟ ସରକାରଙ୍କୁ ହାଇକୋର୍ଟଙ୍କ ଶକ୍ତ ଝଟକା!
ବାହା ହୋଇ ଶାଶୂ ଘରକୁ ଚାଲିଗଲେ କ’ଣ ଝିଅ ପର ହୋଇଯାଏ? ପିତାମାତାଙ୍କ ଅନ୍ତେ ସେମାନଙ୍କ ସମ୍ପତ୍ତି କିମ୍ବା ଚାକିରି ଉପରେ କ’ଣ କେବଳ ପୁଅର ହିଁ ଏକଚାଟିଆ ଅଧିକାର ରହିବ? ବର୍ଷ ବର୍ଷ ଧରି ଚାଲିଆସୁଥିବା ଏହି ପୁରୁଣା ଚିନ୍ତାଧାରା ଓ ସରକାରୀ ବ୍ୟବସ୍ଥା ଉପରେ ଆଜି ବଜ୍ରପାତ ହୋଇଛି। ହାଇକୋର୍ଟ ଦେଇଛନ୍ତି ଏମିତି ଏକ ଐତିହାସିକ ରାୟ, ଯାହା ଶୁଣିଲେ ଆପଣ ବି କହିବେ… ନ୍ୟାୟ ମିଳିଲା!
ଓଡ଼ିଶା ହାଇକୋର୍ଟ ସ୍ପଷ୍ଟ କରିଦେଇଛନ୍ତି ଯେ- ବିବାହିତା ଝିଅ ବି ଅନୁକମ୍ପାମୂଳକ ନିଯୁକ୍ତି ପାଇଁ ସମ୍ପୂର୍ଣ୍ଣ ଯୋଗ୍ୟ। କୋର୍ଟ ସିଧାସଳଖ ପ୍ରଶ୍ନ କରିଛନ୍ତି, ଯଦି ସରକାରୀ ଚାକିରିରେ ଥାଇ ବାପାମାଆଙ୍କ ମୃତ୍ୟୁ ପରେ ଜଣେ ‘ବିବାହିତ ପୁଅ’ ଅନୁକମ୍ପା ନିଯୁକ୍ତି ପାଇପାରୁଛି, ତେବେ ଜଣେ ‘ବିବାହିତା ଝିଅ’ କାହିଁକି ନୁହେଁ? ବିବାହ କରିସାରିଥିବା କାରଣରୁ ତାଙ୍କୁ ଏହି ଅଧିକାରରୁ ବଞ୍ଚିତ କରିବା ସମ୍ବିଧାନର ସମାନତା ଅଧିକାରର ଖୋଲା ଉଲ୍ଲଂଘନ। ବିବାହିତା ଝିଅ ଉପରେ ବି ନିର୍ଭରଶୀଳ ବାପଘର ଲୋକଙ୍କ ଦେଖାରଖା ଦାୟିତ୍ୱ ରହିଥାଏ। ଜଷ୍ଟିସ୍ ବିରଜା ପ୍ରସନ୍ନ ଶତପଥୀଙ୍କୁ ନେଇ ଗଠିତ ଖଣ୍ଡପୀଠ, ଗୌରୀ ଜେନା ନାମକ ଜଣେ ଆବେଦନକାରୀଙ୍କ ମାମଲାର ଶୁଣାଣି କରି ଏହି ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଆବେଦନକାରୀଙ୍କ ବାପା ସରକାରୀ ଚାକିରିରେ ଥିବା ବେଳେ ପ୍ରାଣ ହରାଇଥିଲେ। କିନ୍ତୁ ଆବେଦନକାରୀ ଜଣେ ବିବାହିତା ଝିଅ ହୋଇଥିବାରୁ, ୨୦୧୬ ମସିହାରେ ରାଜ୍ୟ ସରକାର ତାଙ୍କୁ ନିଯୁକ୍ତି ଦେବାକୁ ମନା କରିଦେଇଥିଲେ। ଆଜି ହାଇକୋର୍ଟ ସରକାରଙ୍କ ସେହି ନିର୍ଦ୍ଦେଶକୁ ରଦ୍ଦ କରିବା ସହ, ଆସନ୍ତା ୨ ମାସ ଭିତରେ ଏହି ଆବେଦନ ଉପରେ ସାନି ନିଷ୍ପତ୍ତି ନେବାକୁ ରାଜ୍ୟ ସରକାରଙ୍କୁ କଡ଼ା ନିର୍ଦ୍ଦେଶ ଦେଇଛନ୍ତି।
ପୂର୍ବରୁ ମମିତା ପରିଡ଼ା ଓ ଗାୟତ୍ରୀ ନାୟକ ମାମଲାର ଉଦାହରଣ ଦେଇ ହାଇକୋର୍ଟ ସ୍ପଷ୍ଟ କରିଛନ୍ତି ଯେ ସମ୍ବିଧାନ ଆଖିରେ ଉଭୟ ପୁଅ ଏବଂ ଝିଅଙ୍କ ଅଧିକାର ସମାନ। ଏହି ଐତିହାସିକ ରାୟ ଉପରେ ଆପଣଙ୍କ ମତ କ’ଣ? କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ
