କେ.ଭି.ଙ୍କ ଗଡ଼ରେ ବିଜେଡିର ହଲ୍ଲାବୋଲ!ଅଫିସରେ ପଶିଲେ ଲୋକେ! 

ପ୍ରତିଶ୍ରୁତି ଦେଇ ଫସିଗଲେ କି ସରକାର? ଉପ-ମୁଖ୍ୟମନ୍ତ୍ରୀ କେ.ଭି. ସିଂଦେଓଙ୍କ ନିଜ ଗଡ଼ ପାଟଣାଗଡ଼ରେ ଏବେ ତେଜିଲାଣି ଅସନ୍ତୋଷର ନିଆଁ। କଂଗ୍ରେସ ପରେ ଏବେ ରାସ୍ତାକୁ ଓହ୍ଲାଇଛି ବିଜେଡି। ବିଶେଷ କରି ସୁଭଦ୍ରା ଯୋଜନା ଏବଂ ବାର୍ଦ୍ଧକ୍ୟ ଭତ୍ତାକୁ ନେଇ ତାତିଲା ଖରାରେ ନେତାଙ୍କ ସହ କାନ୍ଧ ମିଳାଇ ଗର୍ଜିଛନ୍ତି ଶତାଧିକ ବୃଦ୍ଧବୃଦ୍ଧା।

ଦୃଶ୍ୟ ହେଉଛି ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର। ଜିଲ୍ଲା ବିଜେଡି ସଭାପତି ସରୋଜ ମେହେରଙ୍କ ନେତୃତ୍ୱରେ ବ୍ଲକ ଘେରାଉ କରିଛନ୍ତି ଶତାଧିକ ହିତାଧିକାରୀ। ବିଡ଼ିଓ ବାହାରକୁ ନଆସିବାରୁ ଦୀର୍ଘ ସମୟ ନାରାବାଜି କରିବା ପରେ ସିଧା ଅଫିସ ଭିତରେ ପଶିଗଲେ ଉତ୍ୟକ୍ତ ଲୋକେ। ବିଡ଼ିଓଙ୍କୁ ଦାବିପତ୍ର ଦେବା ସହ ଏକାଧିକ ଦାବି ଉଠାଇଛନ୍ତି।

ସେମାନଙ୍କର ମୁଖ୍ୟ ଦାବି ହେଲା- ନିର୍ବାଚନୀ ଇସ୍ତାହାର ଅନୁଯାୟୀ ୩୫୦୦ ଟଙ୍କା ଭତ୍ତା ଦିଆଯାଉ, ସୁଭଦ୍ରା ଯୋଜନାର ଟଙ୍କା ଏକାଥରକେ ମିଳୁ। ଯଦି ୩୫୦୦ ଦେବାରେ ବିଳମ୍ବ ହେଉଛି, ତେବେ ଅଟକି ଥିବା ୩ ମାସର ବକେୟା ଭତ୍ତା ତୁରନ୍ତ ପ୍ରଦାନ କରାଯାଉ। “୩୫୦୦ ନଦେଲ ନାହିଁ, ଆମ ବକେୟା ଶୀଘ୍ର ଦିଅ”- ଏହି ନାରାରେ ଆଜି କମ୍ପିଥିଲା ପୂରା ଖପ୍ରାଖୋଲ ବ୍ଲକ | ଉପମୁଖ୍ୟମନ୍ତ୍ରୀଙ୍କ ନିଜ ନିର୍ବାଚନ ମଣ୍ଡଳୀରେ ଏଭଳି ଆନ୍ଦୋଳନ ଆଗାମୀ ଦିନରେ କେଉଁ ରୂପ ନେଉଛି, ତାହା ଦେଖିବା ବାକି ରହିଲା।

Leave a Reply

Your email address will not be published. Required fields are marked *