ବିଜେଡିରେ ସୁଜାତାଙ୍କ ଗ୍ରାଣ୍ଡ ଏଣ୍ଟ୍ରି: ସରିଲା ସସପେନ୍ସ, ଆରମ୍ଭ ହେଲା ଅସଲ ଖେଳ !ନବୀନ ରହିବେ ‘ରାଜା’, ସୁଜାତା ସାଜିବେ ‘ସେନାପତି’ !
ପତ୍ନୀଙ୍କ ଜରିଆରେ ବିଜେଡିର ମଙ୍ଗ ଧରିବେ କି ପାଣ୍ଡିଆନ୍ ?
ଓଡ଼ିଶା ରାଜନୀତିରେ ନୂଆ ଅଧ୍ୟାୟ: ନାମକୁ ମାତ୍ର ନେତା ରହିବେ କି ନବୀନ ?
ବିରୋଧୀଙ୍କୁ ମାତ୍ ଦେବାକୁ ପ୍ରସ୍ତୁତ ବିଜେଡିର ନୂଆ ରଣନୀତି: ଫ୍ରଣ୍ଟଫୁଟ୍ରେ ସୁଜାତା !
ଓଡ଼ିଶା ରାଜନୀତିର ରଙ୍ଗମଞ୍ଚରେ ଏବେ ଆସିଛି ସବୁଠୁ ବଡ଼ ଟ୍ୱିଷ୍ଟ୍ ! ଯେଉଁ ଚର୍ଚ୍ଚା ଏତେ ଦିନ ଧରି ରାଜ୍ୟ ରାଜନୀତିର ଅନ୍ଦର ମହଲରେ କୁହୁଳୁଥିଲା, ଆଜି ତାହା ନେଇଛି ଏକ ବିସ୍ଫୋରକ ରୂପ । ଶଙ୍ଖ ଭବନରେ ଶେଷ ହୋଇଛି ସବୁ କଳ୍ପନା ଜଳ୍ପନା । କାରଣ ବିଜେଡିରେ ଗ୍ରାଣ୍ଡ ଏଣ୍ଟ୍ରି ମାରିଛନ୍ତି ପୂର୍ବତନ ଦକ୍ଷ ପ୍ରଶାସିକା ତଥା ୨୦୦୦ ମସିହା ବ୍ୟାଚର IAS ଅଫିସର ସୁଜାତା କାର୍ତ୍ତିକେୟନ । ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଏବଂ ଶୀର୍ଷ ନେତୃତ୍ୱଙ୍କ ଉପସ୍ଥିତିରେ ସେ ଆଜି ଆନୁଷ୍ଠାନିକ ଭାବେ ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି ।
କିନ୍ତୁ ଦର୍ଶକବନ୍ଧୁ, ପ୍ରଶ୍ନ ଉଠୁଛି, ସୁଜାତାଙ୍କ ଏହି ଏଣ୍ଟ୍ରି ପଛର ଅସଲ ରାଜନୈତିକ ସମୀକରଣ କଣ ? ରାଜନୈତିକ ବିଶେଷଜ୍ଞଙ୍କ ମତରେ, ଏହା କେବଳ ଜଣେ ସଫଳ ପୂର୍ବତନ ଅମଲାଙ୍କ ଯୋଗଦାନ ନୁହେଁ, ବରଂ ବିଜେଡିର ଏକ ସୁଚିନ୍ତିତ ମାଷ୍ଟରଷ୍ଟ୍ରୋକ୍ । ଆସନ୍ତୁ ବୁଝିବା ଏହା ପଛର ଅସଲ ଖେଳକୁ ।
ବିଗତ କିଛି ବର୍ଷ ଧରି ଓଡ଼ିଶା ରାଜନୀତିର କେନ୍ଦ୍ରବିନ୍ଦୁ ସାଜିଥିଲେ ଭି.କେ. ପାଣ୍ଡିଆନ୍ । ଏବେ ତାଙ୍କ ପ୍ରତ୍ୟକ୍ଷ ଅନୁପସ୍ଥିତି ପରେ, ପତ୍ନୀ ସୁଜାତାଙ୍କ ଜରିଆରେ ବିଜେଡିର ମଙ୍ଗ ଧରିବାକୁ ଯାଉଛି ଏକ ନୂଆ ଶକ୍ତି । ନବୀନ ପଟ୍ଟନାୟକ ଦଳର ସର୍ବୋଚ୍ଚ ନେତା ଭାବେ ରହିବେ ଏବଂ ଆଗାମୀ ନିର୍ବାଚନରେ ନେତୃତ୍ୱ ନେବେ ବୋଲି ସ୍ପଷ୍ଟ କରିବା ପରେ, ନେତୃତ୍ୱକୁ ନେଇ ବିରୋଧୀ କରୁଥିବା ସମସ୍ତ ସମାଲୋଚନାରେ ଏକ ବଡ଼ ପୂର୍ଣ୍ଣଚ୍ଛେଦ ପଡ଼ିଯାଇଛି । କିନ୍ତୁ ଏହି ଘୋଷଣା ଭିତରେ ଲୁଚି ରହିଛି ଏକ ବଡ଼ ଗେମ୍ ପ୍ଲାନ୍ !
ଏହାର ସିଧାସଳଖ ଅର୍ଥ ହେଉଛି- ନବୀନ ରହିବେ ଦଳର ଚେହେରା ବା ରାଜା, ଆଉ ସୁଜାତା ସାଜିବେ ‘ସେନାପତି’ ! ପ୍ରଶାସକ ଭାବେ ସଫଳ ଛାପ ଛାଡିଥିବା ସୁଜାତା ଏବେ ବିଜେଡି ପାଇଁ ରାଜନୈତିକ ରଣକ୍ଷେତ୍ରରେ ଯୁଦ୍ଧ ଲଢିବେ । ନବୀନ ନାମକୁ ମାତ୍ର ନେତୃତ୍ୱରେ ରହି ଦଳକୁ ସୁରକ୍ଷା କବଚ ଯୋଗାଇବେ, ଯେତେବେଳେ କି ସାଂଗଠନିକ ଦାୟିତ୍ୱ, ବ୍ଲୁ-ପ୍ରିଣ୍ଟ ପ୍ରସ୍ତୁତି ଏବଂ କ୍ଷେତ୍ରସ୍ତରୀୟ ଲଢେଇର ସମ୍ପୂର୍ଣ୍ଣ କମାଣ ସୁଜାତାଙ୍କ ହାତରେ ରହିବ । ଅର୍ଥାତ୍, ପରଦା ପଛରେ ରହି ଭି.କେ. ପାଣ୍ଡିଆନ୍ ନିଜ ପତ୍ନୀଙ୍କ ଜରିଆରେ ବିଜେଡିର ସାଂଗଠନିକ ସ୍ଥିତିକୁ ସୁଦୃଢ଼ କରିବେ ବୋଲି ରାଜନୈତିକ ଆନାଲିଟିକ୍ସ ଇସାରା କରୁଛି । ଗୋଟିଏ ପଟେ ନବୀନଙ୍କ କ୍ଲିନ୍ ଇମେଜ୍ ଏବଂ ଅନ୍ୟ ପଟେ ସୁଜାତାଙ୍କ ଦକ୍ଷତା ଓ ପାଣ୍ଡିଆନଙ୍କ ଅଦୃଶ୍ୟ ରଣନୀତି । ଏହି ତ୍ରିବେଣୀ ସଂଗମ ଆଗାମୀ ଦିନରେ ବିରୋଧୀଙ୍କ ପାଇଁ କେତେ ବଡ଼ ଚ୍ୟାଲେଞ୍ଜ୍ ସୃଷ୍ଟି କରିବ ତାହା ଦେଖିବା ବାକି ରହିଲା । ବିଜେଡିର ଏହି ନୂଆ ‘ସେନାପତି’ ଷ୍ଟ୍ରାଟେଜୀ କଣ ଓଡ଼ିଶା ରାଜନୀତିରେ ନୂଆ ଇତିହାସ ରଚିବ ? ସୁଜାତା କଣ ପାରିବେ ଦଳକୁ ପୁଣିଥରେ ସେହି ପୁରୁଣା ଦବଦବା ଫେରାଇଦେବାକୁ ? ଅପେକ୍ଷା କେବଳ ଆଗାମୀ ରଣକ୍ଷେତ୍ରର ନୂଆ ଅଧ୍ୟାୟକୁ !
