ଦେଖନ୍ତୁ ଏହି ଶୂନ୍ୟସ୍ଥାନକୁ… କାଗଜପତ୍ର କହୁଛି ଏଠାରେ ଏକ ବିଶାଳ ପୋଖରୀ ଅଛି! କିନ୍ତୁ ବାସ୍ତବତା କହୁଛି- ଏହା କେବଳ ସରକାରୀ ଫାଇଲ୍ ଭିତରେ ଲହଡ଼ି ମାରୁଥିବା ଏକ ‘ମାୟାବୀ ପ୍ରକଳ୍ପ’। ହଁ ଦର୍ଶକବନ୍ଧୁ, ମାଟି ଉପରେ କାମ ଶୂନ, ଅଥଚ ଅଫିସ୍ ବାବୁଙ୍କ ଖାତାରେ କୋଟି କୋଟି ଟଙ୍କାର ଚୂନ! ଏ ହେଉଛି କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ୍ ମହିଚଳା ପଞ୍ଚାୟତର ସତ, ଯେଉଁଠି ଗରିବଙ୍କ ‘ମନରେଗା’ ଯୋଜନା ଏବେ ଦୁର୍ନୀତିଖୋରଙ୍କ ପାଇଁ ପାଲଟିଛି କୁବେରର ଭଣ୍ଡାର।
ପ୍ରଶ୍ନ ଉଠୁଛି, ବିନା ଶ୍ରମିକରେ କାମ ହେଲା କେମିତି? ଆଉ ବିଲ୍ ପାସ୍ କଲା କିଏ? ଷଡ଼ଯନ୍ତ୍ରର ବ୍ଲୁ-ପ୍ରିଣ୍ଟ ଶୁଣିଲେ ଆପଣଙ୍କ ମୁଣ୍ଡ ଘୂରାଇଦେବ। ନିୟମ ଅନୁସାରେ କାମ ହାତକୁ ମିଳିବା କଥା, କିନ୍ତୁ ଏଠାରେ ଶ୍ରମିକଙ୍କ ବଦଳରେ ଗର୍ଜନ କରୁଛି ଜେସିବି (JCB) ମେସିନ୍। କିଛି ଜବ୍କାର୍ଡ ଧାରୀଙ୍କ ମୋହରା ବନାଇ, ମୋବାଇଲ୍ ଆପ୍ ‘NMMS’ରେ ନକଲି ଉପସ୍ଥିତି ଦର୍ଶାଇ ଲୁଟ୍ କରାଯାଉଛି ଶ୍ରମିକଙ୍କ ହକ୍। କ୍ଷେତ୍ରରେ ନା ଅଛି ସୂଚନା ଫଳକ, ନା ଦିଶୁଛି ସରକାରୀ ସ୍ୱଚ୍ଛତା!
ଦୁର୍ନୀତିର ସବୁଠୁ ବଡ଼ ଏକ୍ସ-ରେ (X-Ray) ଦେଖିବାକୁ ଆସନ୍ତୁ ଚକୁଳି ଗାଁ। ଗାଁର ଏକମାତ୍ର ସରକାରୀ ପୋଖରୀ… କାମ ଗୋଟିଏ, କିନ୍ତୁ ନାଁ ଦୁଇଟି! ‘ଅମୃତ ସରୋବର’ ନାଁରେ ୧୦ ଲକ୍ଷ ଆଉ ‘ଆଗ ବନ୍ଦ’ ନାଁରେ ୫ ଲକ୍ଷ- ଅର୍ଥାତ୍ ସିଧାସଳଖ ୧୫ ଲକ୍ଷ ଟଙ୍କାର ଡବଲ୍ ଗେମ୍! କାଗଜରେ ପୋଖରୀ ଖୋଳା ସରିଲାଣି, ପାଣି ବି ଭର୍ତ୍ତି ହୋଇସାରିଲାଣି, କିନ୍ତୁ ଗାଁର ଭୂଇଁ ଆଜି ବି ଡାହିମାହି। କେବଳ ଏହି ଗୋଟିଏ ନୁହେଁ, ପୂରା ପଞ୍ଚାୟତରେ ଏମିତି ଅନେକ ‘ଗୋଷ୍ଟ ପ୍ରଜେକ୍ଟ’ର ଚାଲିଛି ମହାଲୁଟ୍।
ଅଭିଯୋଗ ପରେ ଅଧିକାରୀ ତଦନ୍ତର ରାଗ ଆଳାପିଛନ୍ତି ସତ, କିନ୍ତୁ କ୍ୟାମେରା ସାମ୍ନାକୁ ଆସିବାକୁ ନାରାଜ ପଞ୍ଚାୟତର ବଡ଼ପଣ୍ଡା। ତେବେ ଦେଖିବାକୁ ବାକି ରହିଲା- କାଗଜପତ୍ରର ଏହି ‘ମାୟା ପୋଖରୀ’ରୁ ପ୍ରଶାସନ ସତର ମାଛ ଧରିପାରୁଛି, ନା ଦୁର୍ନୀତିର ତିମିଙ୍ଗଳମାନେ ପୁଣି ଥରେ ପାଣି ପିଇ ଖସିଯାଉଛନ୍ତି?
