ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ଗଣଶିକ୍ଷା ମନ୍ତ୍ରୀ!

ପ୍ରତ୍ୟାହାର ହେବନି ତ୍ରୁଟିପୂର୍ଣ୍ଣ ବହି

ପିଲା ପଢିବେ ଭୁଲ୍ ପାଠ, ମନ୍ତ୍ରୀଙ୍କ ନୂଆ ଫର୍ମୁଲା!

ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକୁ ବେଖାତିର କଲେ ଗଣଶିକ୍ଷା ମନ୍ତ୍ରୀ!

ସଂଶୋଧିତ ପୁସ୍ତିକା ନାଁରେ ପ୍ରହସନ

ଓଡ଼ିଶାର ଶିକ୍ଷା ବ୍ୟବସ୍ଥା ସହ ଏ କେମିତି ଖେଳ?

ରାଜ୍ୟର ମୁଖିଆ କହୁଛନ୍ତି ଗୋଟିଏ କଥା… ଆଉ ତାଙ୍କରି ବିଭାଗୀୟ ମନ୍ତ୍ରୀ ସେହି କଥାକୁ କରୁଛନ୍ତି ସିଧାସଳଖ ଖଣ୍ଡନ! ଦର୍ଶକବନ୍ଧୁ, ଓଡ଼ିଶା ରାଜନୀତି ଏବଂ ପ୍ରଶାସନିକ ବ୍ୟବସ୍ଥାରେ ଏବେ ଏମିତି ଏକ ଚିତ୍ର ସାମ୍ନାକୁ ଆସିଛି, ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି। ପ୍ରସଙ୍ଗ ହେଉଛି- ରାଜ୍ୟର ଲକ୍ଷ ଲକ୍ଷ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ସହ ଜଡିତ “ତ୍ରୁଟିପୂର୍ଣ୍ଣ ପାଠ୍ୟପୁସ୍ତକ” ବିବାଦ!

ଗତ ସପ୍ତାହର କଥା ଟିକେ ମନେ ପକାନ୍ତୁ… ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବଡ଼ ଘୋଷଣା କରିଥିଲେ। କହିଥିଲେ, ପିଲାଙ୍କ ଭବିଷ୍ୟତ ସହ ଖେଳାଯିବନି, ବଜାରକୁ ଆସିଥିବା ସମସ୍ତ ତ୍ରୁଟିପୂର୍ଣ୍ଣ ବହିକୁ ତୁରନ୍ତ ପ୍ରତ୍ୟାହାର କରାଯିବ। ମୁଖ୍ୟମନ୍ତ୍ରୀଙ୍କ ଏହି କଥା ଶୁଣି ଅଭିଭାବକ ଆଶ୍ୱସ୍ତ ହୋଇଥିଲେ। କିନ୍ତୁ… କାହାଣୀରେ ଆସିଲା ଅସଲ ଟ୍ୱିଷ୍ଟ୍

ଖୋଦ୍ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ସାମ୍ନାକୁ ଆସି ମୁଖ୍ୟମନ୍ତ୍ରୀଙ୍କ କଥାକୁ ସମ୍ପୂର୍ଣ୍ଣ ରୂପେ ଓଲଟାଇ ଦେଇଛନ୍ତି। ମନ୍ତ୍ରୀ ସଫା ସଫା କହିଛନ୍ତି- “ତ୍ରୁଟିପୂର୍ଣ୍ଣ ବହି ପ୍ରତ୍ୟାହାର ହେବ ନାହିଁ!” ବରଂ ସ୍କୁଲ ଗୁଡିକୁ କେବଳ ଖଣ୍ଡେ ଖଣ୍ଡେ ସଂଶୋଧିତ ପୁସ୍ତିକା ପଠାଯିବ ଆଉ ପିଲାମାନେ ସେହି ଭୁଲ୍ ବହି ହିଁ ପଢିବେ।

ଏବେ ବଡ଼ ପ୍ରଶ୍ନ ଉଠୁଛି… ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ କାହା ଇସାରାରେ ଏଭଳି ନିଷ୍ପତ୍ତି ନେଲେ? କଣ ସେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଆଦେଶକୁ ବେଖାତିର କରୁଛନ୍ତି? ନାଁ ସରକାର ଭିତରେ ହିଁ ମୁଖ୍ୟମନ୍ତ୍ରୀ ଓ ମନ୍ତ୍ରୀଙ୍କ ମଧ୍ୟରେ କୌଣସି ତାଳମେଳ ନାହିଁ? ଗୋଟିଏ କ୍ୟାବିନେଟ୍‌ରେ ଥାଇ ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତିକୁ ମନ୍ତ୍ରୀ ଏଭଳି କାଟିଦେବା କଣ ଇଙ୍ଗିତ କରୁଛି?

ଆଉ ଗୋଟିଏ ବଡ଼ ଷଡଯନ୍ତ୍ରର ଗନ୍ଧ ଏବେ ବାରି ହୋଇପଡୁଛି। ତ୍ରୁଟିପୂର୍ଣ୍ଣ ବହି ଛପାଯିବା ଘଟଣାରେ କେବଳ ୩ ଜଣ ତଳିଆ ଅଧିକାରୀଙ୍କୁ ନିଲମ୍ବିତ କରି ସରକାର ବାଃ ବାଃ ନେବାକୁ ଚେଷ୍ଟା କରୁଛନ୍ତି। କିନ୍ତୁ ଓସେପା (OSEPA) ର ବଡ଼ ବଡ଼ିଆ ଅଫିସର, ବିଭାଗୀୟ ନିର୍ଦ୍ଦେଶକ ଏବଂ ୨୪ ଜଣିଆ କୋର୍ କମିଟି ସଦସ୍ୟଙ୍କ ଉପରେ କାହିଁକି ଆକ୍ସନ ନିଆଯାଉନି? ସେମାନଙ୍କୁ କିଏ ଘଣ୍ଟ ଘୋଡାଉଛି?

ମୁଖ୍ୟମନ୍ତ୍ରୀ କହୁଛନ୍ତି ନୂଆ ବହି ମିଳିବ, ମନ୍ତ୍ରୀ କହୁଛନ୍ତି ଭୁଲ୍ ବହି ପଢ। ନେତାଙ୍କ ଏହି କଥା କଟାକଟି ଭିତରେ, ପେଶି ହୋଇଯାଉଛି ଓଡ଼ିଶାର ପିଲାଙ୍କ ଭବିଷ୍ୟତ। ଏବେ ଦେଖିବାକୁ ବାକି ରହିଲା, ମନ୍ତ୍ରୀଙ୍କ ଏହି ବୟାନ ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ଜିଦ୍‌ରେ ଅଟଳ ରହୁଛନ୍ତି ନା ବିଭାଗୀୟ ଅଧିକାରୀଙ୍କ ଆଗରେ ମୁଣ୍ଡ ନୁଆଁଉଛନ୍ତି! ବ୍ୟୁରୋ ରିପୋର୍ଟ…

Leave a Reply

Your email address will not be published. Required fields are marked *