ରାତି ଅଧରେ ରକ୍ତପାତ !

ରାତିର ନିରବତା ଭିତରେ ଲୁଚି ରହିଥିଲା ମୃତ୍ୟୁ। ଦିନକର ପରିଶ୍ରମ ପରେ ଶାନ୍ତିରେ ଶୋଇଥିଲେ, ହେଲେ କିଏ ଜାଣିଥିଲା ସେହି ନିଦ୍ରା ତାଙ୍କ ଜୀବନର ଶେଷ ନିଦ୍ରା ପାଲଟିଯିବ ବୋଲି! ହଁ ଦର୍ଶକବନ୍ଧୁ, ରାତି ଅଧରେ ଘଟିଛି ଏକ ବର୍ବର ତଥା ଲୋମହର୍ଷଣକାରୀ ହତ୍ୟାକାଣ୍ଡ। ଘର ବାହାରେ ମଶାରୀ ଟାଙ୍ଗି ଶୋଇଥିବା ବେଳେ ଜଣେ ବ୍ୟକ୍ତିଙ୍କୁ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହାଣି ହତ୍ୟା କରାଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ସାମ୍ନାକୁ ଆସିଛି କୋକସରା ଥାନା ଅନ୍ତର୍ଗତ ଡାଲଗୁମା ମଣ୍ଡି ନିକଟରୁ।

ମୃତକ ଜଣକ ହେଲେ ଡାଲଗୁମା ଗ୍ରାମର ୫୫ ବର୍ଷୀୟ ଶୁକଦେବ ଧରୁଆ। ସୂଚନା ମୁତାବକ, ଗତକାଲି ରାତିରେ ଶୁକଦେବ ରାସ୍ତା କଡ଼ରେ ଥିବା ଏକ ଘର ବାହାରେ ଶୋଇଥିଲେ। ହେଲେ କେହି ଅଜ୍ଞାତ ଦୁର୍ବୃତ୍ତ ରାତିର ଅନ୍ଧାରର ସୁଯୋଗ ନେଇ ଏହି ଜଘନ୍ୟ କାଣ୍ଡ ଭିଆଇଛି। ଆଜି ସକାଳେ ଶୁକଦେବଙ୍କ ଜଣେ ସମ୍ପର୍କୀୟ ଭାଇ ପ୍ରଥମେ ଏହି ରକ୍ତାକ୍ତ ଦୃଶ୍ୟ ଦେଖିବାକୁ ପାଇଥିଲେ। ଏହାପରେ ପରିବାର ଏବଂ ଗ୍ରାମବାସୀଙ୍କୁ ଖବର ଦେବା ପରେ ପୁରା ଗାଁରେ ଏକପ୍ରକାର ଆତଙ୍କ ଖେଳିଯାଇଛି।

ଖବର ପାଇ କୋକସରା ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଛି। ଘଟଣାସ୍ଥଳରୁ ପ୍ରମାଣ ଯୋଗାଡ଼ କରିବା ସହ ପାରିପାର୍ଶ୍ବିକ ସ୍ଥିତିର ତନ୍ନ ତନ୍ନ କରି ତଦନ୍ତ ଆରମ୍ଭ କରିଛି ପୋଲିସ ଟିମ୍। ତେବେ ସବୁଠାରୁ ବଡ଼ ପ୍ରଶ୍ନ ହେଉଛି- ଶୁକଦେବଙ୍କୁ କିଏ ମାରିଲା? ଏହି ହତ୍ୟାକାଣ୍ଡ ପଛରେ କାରଣ କଣ? କୌଣସି ପୂର୍ବ ଶତ୍ରୁତା ନା ଆଉ କିଛି ରହସ୍ୟ ଲୁଚି ରହିଛି? ଏଯାଏଁ ପୋଲିସ ହାତରେ କୌଣସି ସ୍ପଷ୍ଟ ସୂରାକ୍ ଲାଗିନଥିଲେ ବି, ଅପରାଧୀଙ୍କୁ ଧରିବା ପାଇଁ ଖୋଳତାଡ଼ ଜାରି ରଖିଛି କୋକସରା ପୋଲିସ। ଆଗକୁ ତଦନ୍ତ ପରେ ହିଁ ଏହି ହତ୍ୟାକାଣ୍ଡର ପୁରା ଗୁମର ଫିଟିବ ବୋଲି ଆଶା କରାଯାଉଛି।

Leave a Reply

Your email address will not be published. Required fields are marked *