ସରିଲା ଯୁଦ୍ଧ, ଭାରତକୁ ମିଳିଲା କଣ ?

ସାରିଲା ଯୁଦ୍ଧ ଖୋଲିଲା ହରମୁଜ୍ ପ୍ରଣାଳୀ

ଭାରତ ପାଇଁ ଖୁସି ଖବର !

କମିବ ତୈଳ ଦର ଓ ମଜବୁତ ହେବ ଟଙ୍କା !

ଆମେରିକାର ମଜବୁରୀ ନା ଭାରତର କୂଟନୈତିକ ସଫଳତା?

ଆମେରିକା-ଇରାନ ଚୁକ୍ତିରୁ ଭାରତକୁ ମିଳିବ କି ସବୁଠୁ ବଡ଼ ଫାଇଦା?

ପଶ୍ଚିମ ଏସିଆରୁ ଆସିଲା ଏମିତି ଏକ ଖବର, ଯାହା ସାରା ବିଶ୍ୱର ଭୂ-ରାଜନୀତିକୁ ହଲାଇ ଦେଇଛି! ଯେଉଁ ଆମେରିକା ଦିନେ ଇରାନକୁ ଧୂଳିସାତ କରିଦେବାକୁ ଜିଦ ଧରିଥିଲା, ସେହି ସୁପରପାୱାର୍ ଆଜି ନଇଁବାକୁ ବାଧ୍ୟ ହୋଇଛି। ପାକିସ୍ତାନ ଓ କାତାରର ମଧ୍ୟସ୍ଥତାରେ ଆମେରିକା ଏବଂ ଇରାନ ମଧ୍ୟରେ ଏକ ବଡ଼ ବୁଝାମଣା ପତ୍ର ବା MoU ସ୍ୱାକ୍ଷର ହୋଇସାରିଛି। ଆଉ ଆସନ୍ତା ଶୁକ୍ରବାର ଜେନେଭାଠାରେ ହେବାକୁ ଯାଉଛି ଚୂଡ଼ାନ୍ତ ମହାଚୁକ୍ତି! କିନ୍ତୁ ପ୍ରଶ୍ନ ଉଠୁଛି, ଆମେରିକା ହଠାତ ନିଜ ଜିଦରୁ ଓହରିଲା କାହିଁକି? ଏହା ପଛରେ କେଉଁ ବଡ଼ ମଜବୁରୀ ଲୁଚି ରହିଛି?

ଏହି ଚୁକ୍ତି ସାରା ବିଶ୍ୱ ପାଇଁ ଯାହା ହେଉନା କାହିଁକି, ଭାରତ ପାଇଁ ଏହା ଏକ ବିରାଟ ବିଜୟ ଏବଂ ବଡ଼ ଆଶ୍ୱସ୍ତି। ଚୁକ୍ତି ଘୋଷଣା ହେବାର କିଛି ଘଣ୍ଟା ମଧ୍ୟରେ ହିଁ, ଅନ୍ତର୍ଜାତୀୟ ବାଣିଜ୍ୟର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ‘ହରମୁଜ୍ ପ୍ରଣାଳୀ’ ପୁଣିଥରେ ଖୋଲିଯାଇଛି। ଆଉ ଏହି ରାସ୍ତା ଦେଇ ଭାରତୀୟ ଟ୍ୟାଙ୍କର ‘ଦିଶା’ ୬୨,୩୭୦ ମେଟ୍ରିକ୍ ଟନ୍ ଏଲଏନଜି ଧରି ଗୁଜରାଟ ଅଭିମୁଖେ ବାହାରି ସାରିଛି।

ବାସ୍ତବରେ, ଏହି ଯୁଦ୍ଧ ଭାରତର ସବୁଠାରୁ ବଡ଼ ଦୁର୍ବଳତାକୁ ପଦାରେ ପକାଇ ଦେଇଥିଲା। ଭାରତ ନିଜର ମୋଟ ଅଶୋଧିତ ତୈଳର ୫୦ ପ୍ରତିଶତ, LPGର ୭୦ ପ୍ରତିଶତ ଏବଂ LNGର ପ୍ରାୟ ୯୦ ପ୍ରତିଶତ କେବଳ ପଶ୍ଚିମ ଏସିଆରୁ ହିଁ ଆଣିଥାଏ। ଯୋଗାଣ ବାଧାପ୍ରାପ୍ତ ହେବାରୁ ଭାରତକୁ ଭେନେଜୁଏଲା ଭଳି ଦୂର ଦେଶରୁ ମହଙ୍ଗା ତୈଳ ଆଣିବାକୁ ପଡ଼ୁଥିଲା। କିନ୍ତୁ ଏବେ ଏହି ସଙ୍କଟ ଟଳିଯିବ। ଅର୍ଥନୈତିକ ସଂସ୍ଥା GTRI ର ପ୍ରତିଷ୍ଠାତା ଅଜୟ ଶ୍ରୀବାସ୍ତବଙ୍କ ମତରେ, ଏବେ ତୈଳ ଓ ଗ୍ୟାସ୍ ଦର କମିବ, ଭାରତୀୟ ଟଙ୍କା ମଜବୁତ ହେବ ଏବଂ ବଢ଼ୁଥିବା ମୁଦ୍ରାସ୍ଫୀତିରୁ ଦେଶକୁ ବଡ଼ ଆଶ୍ୱସ୍ତି ମିଳିବ।ତେବେ ଯୁଦ୍ଧ ସମୟରେ ଭାରତ ନିଜର ଦୁଇ ପରମ ମିତ୍ର ଆମେରିକା-ଇସ୍ରାଏଲ ଏବଂ ଅନ୍ୟପଟେ ଇରାନ-ଆରବ ଦେଶଗୁଡ଼ିକ ସହ ଯେଉଁ ସନ୍ତୁଳିତ କୂଟନୀତି ବଜାୟ ରଖିଥିଲା, ତାହା ଆଜି ସଫଳ ହୋଇଛି। ଯଦି ଆମେରିକା ଇରାନ ଉପରୁ ଦୀର୍ଘକାଳୀନ କଟକଣା ହଟାଇନିଏ, ତେବେ ଭାରତ ପୁଣିଥରେ ଇରାନରୁ ଶସ୍ତା ତୈଳ କିଣିପାରିବ। ଏହାସହ ରଣନୈତିକ ଦୃଷ୍ଟିରୁ ଅତି ଗୁରୁତ୍ୱପୂର୍ଣ୍ଣ ‘ଚାବାହାର ବନ୍ଦର’ର ବିକାଶ ପାଇଁ ଭାରତର ଯୋଜନାକୁ ପୁଣିଥରେ ବଡ଼ ଶକ୍ତି ମିଳିବ, ଯାହାର ସ୍ୱତନ୍ତ୍ର ରିହାତି ଅବଧି ଗତ ଏପ୍ରିଲରେ ଶେଷ ହୋଇଯାଇଥିଲା।କିନ୍ତୁ ଏଠାରେ ଭାରତ ପାଇଁ ଏକ ବଡ଼ ଚେତାବନୀ ମଧ୍ୟ ଲୁଚି ରହିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ, ଆମେରିକା କୌଣସି ସଦିଚ୍ଛା କାରଣରୁ ଏହି ଚୁକ୍ତି କରିନାହିଁ, ବରଂ ଯୁଦ୍ଧର ଅହେତୁକ ଖର୍ଚ୍ଚ ଏବଂ ବିଶ୍ୱ ବଜାରରେ ବଢ଼ୁଥିବା ତୈଳ ଦର ଯୋଗୁଁ ସେ ନିଜେ  ବୁଝାମଣା କରିଛି। ତେଣୁ ଭାରତ ପାଇଁ ସବୁଠାରୁ ବଡ଼ ରଣନୈତିକ ଶିକ୍ଷା ହେଉଛି—ଆମେରିକା ସହ କୌଣସି ଅଧୀନସ୍ଥ ରାଷ୍ଟ୍ର ଭାବେ ନୁହେଁ, ବରଂ ଏକ ‘Equal Partner’ ବା ସମକକ୍ଷ ଭାଗିଦାର ଭାବେ ଠିଆ ହେବାକୁ ପଡ଼ିବ। ଯେଉଁ ବୁଝାମଣାରେ ଭାରତର ସ୍ୱାର୍ଥରେ ଆଞ୍ଚ ଆସିବ, ତାହାକୁ ଦେଶ ସିଧାସଳଖ ପ୍ରତ୍ୟାଖ୍ୟାନ କରିବା ଦରକାର।

Leave a Reply

Your email address will not be published. Required fields are marked *