\n\n\n\n\n\n\n

ଥରିଲାଣି ଦୁର୍ନୀତିଖୋରଙ୍କ ଛାତି ! ଖଣି, ମାଟି, ବାଲି… ସବୁର ଗୁମର ଖୋଲିବ ଓସା !

ଦୁର୍ନୀତିଖୋରଙ୍କ ଛାତି ଥରିବ !

ସରକାରଙ୍କ ଦୁର୍ନୀତିର ପର୍ଦ୍ଦାଫାସ କରିବ ଓସା !

ଆଜି ଠୁ ପାଞ୍ଚ ଦିନ ପର୍ଯ୍ୟନ୍ତ ହେବ ଦୁର୍ନୀତିର ଦହନ !

ଖଣି, ମାଟି, ବାଲି: ସବୁର ଗୁମର ଖୋଲିବ

ଓସାର ଗୋଟେ ଆହ୍ୱାନ
ଜାଗୋ ଓଡ଼ିଶା, ଜିତିବ ଓଡ଼ିଆ

ରାଜ୍ୟରେ ସରକାର ବଦଳିଲା, ନେତା ବଦଳିଲେ… ହେଲେ ବ୍ୟବସ୍ଥା ବଦଳିଲା ନାହିଁ | ଯେଉଁ ବିଜେପି ଦଳ ପୂର୍ବତନ ସରକାରଙ୍କ ଦୁର୍ନୀତି ବିରୋଧରେ ଗର୍ଜନ କରି, ଦୁର୍ନୀତିମୁକ୍ତ ଶାସନର ପ୍ରତିଶ୍ରୁତି ଦେଇ କ୍ଷମତାକୁ ଆସିଥିଲା, ଆଜି ସେହି ସରକାର ଚୁପ୍ !

କ’ଣ ରହିଛି କେନ୍ଦ୍ରୀୟ ବିଜେପି ଏବଂ ନବୀନ-ପାଣ୍ଡିଆନଙ୍କ ମଧ୍ୟରେ ଗୋପନୀୟ ସନ୍ଧି ? ହେଲିକପ୍ଟର ଉଡ଼ାଣରେ ରାଜ୍ୟ ରାଜକୋଷ ଖାଲି କରିବାର ତଦନ୍ତ ହେଉ କି, ୪୧ ହଜାର କୋଟିର ମେଗା ପାନୀୟ ଜଳ ପ୍ରକଳ୍ପ ଦୁର୍ନୀତି… ସବୁ ଫାଇଲ୍ ଏବେ ଶୀତଳ ଭଣ୍ଡାରରେ କାହିଁକି? ଜଗନ୍ନାଥଙ୍କ ରତ୍ନଭଣ୍ଡାର ଚାବି ହଜିବା ରିପୋର୍ଟ କାହିଁକି ଲୁଚାଯାଉଛି? ଖଣି, ବାଲି ଓ ମୋରମ ମାଫିଆଙ୍କୁ କିଏ ଦେଉଛି ଖୋଲା ଛାଡ଼? ତେବେ ଏହା ଆମର ପ୍ରଶ୍ନ ନୁହେଁ, ଏହା ହେଉଛି ଓଡ଼ିଶା ସୂଚନା ଅଧିକାର ଅଭିଯାନର ସିଧାସଳଖ ଅଭିଯୋଗ! ବର୍ତ୍ତମାନର ସରକାର ଯାହାକୁ ‘ଅଢେଇ ବର୍ଷ ଶାସନର ସଫଳତା’ ବୋଲି କହୁଛନ୍ତି, ତାହାର ଅସଲ ମୁଖା ଖୋଲିବାକୁ ଏବେ ଆରମ୍ଭ ହୋଇଛି ପ୍ରସ୍ତୁତି।

ଦୁର୍ନୀତି ବିରୋଧରେ ଓଡ଼ିଶା ସୂଚନା ଅଧିକାର ଅଭିଯାନ ଏବେ ମୈଦାନକୁ ଓହ୍ଲାଇଛି। ଯେଉଁ ସରକାର ‘ସ୍ୱଚ୍ଛ ଶାସନ’ ର ଦୁହାଈ ଦେଇ କ୍ଷମତାକୁ ଆସିଥିଲେ, ସେମାନେ ଆଜି ସୂଚନା ଅଧିକାର ଆଇନକୁ ହିଁ ଦୁର୍ବଳ କରିବାକୁ ଚକ୍ରାନ୍ତ କରୁଛନ୍ତି। ଖଣିରୁ କୋଟି କୋଟି ଟଙ୍କାର ଲୁଟ୍ ହେଉଛି, ରିୟାଲଟି ମିଳୁନାହିଁ। ଶହ ଶହ ଟେଣ୍ଡରରେ ମହାଦୁର୍ନୀତି। ଏହା କୌଣସି ବିରୋଧୀ ଦଳର ଅଭିଯୋଗ ନୁହେଁ, ବରଂ ନାଗରିକଙ୍କ ନିକଟରେ ସୂଚନା ଅଧିକାର ମାଧ୍ୟମରେ ପହଞ୍ଚିଥିବା ପ୍ରମାଣ। ଓସା ଏହି ସବୁ ତଥ୍ୟକୁ ଆଧାର କରି ଦୁର୍ନୀତିଗ୍ରସ୍ତ ଅଧିକାରୀ ଓ ନେତାମାନଙ୍କ ଗୁମର ଖୋଲିବ।

ସେଥିପାଇଁ, ଓଡ଼ିଶା ସୂଚନା ଅଧିକାର ଅଭିଯାନ ପକ୍ଷରୁ ୫ ଅକ୍ଟୋବର ଅର୍ଥାତ ଆଜି ଠାରୁ ୯ ଅକ୍ଟୋବର ପର୍ଯ୍ୟନ୍ତ, ୫ ଦିନ ବ୍ୟାପୀ ‘ଦୁର୍ନୀତି ବିରୋଧୀ ସପ୍ତାହ’ ପାଳନ କରାଯାଉଛି। ପ୍ରତିଦିନ ସକାଳ ୧୦ ଘଟିକାରୁ ଅପରାହ୍ନ ୪ ଘଟିକା ପର୍ଯ୍ୟନ୍ତ, କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏହି ମହାପର୍ବ ଅନୁଷ୍ଠିତ ହେବ। ସେଠାରେ DUDA ଅଫିସ ସାମ୍ନା ଓ ଉପଜିଲ୍ଲାପାଳ ଅଫିସ ପୂର୍ବରୁ ଷ୍ଟଲ ମଧ୍ୟ ତିଆରି କରାଯାଇଛି। ଓସା ଏହି ସପ୍ତାହରେ ଜନସଚେତନତା ସୃଷ୍ଟି କରିବ, ସୂଚନା ଅଧିକାର ଆଇନର ସଫଳ ବ୍ୟବହାର ଓ ନାଗରିକଙ୍କ ଅଧିକାର ସମ୍ପର୍କରେ ଶିକ୍ଷା ଦେବ। ତେବେ ଦେଖିବାକୁ ବାକି ରହିଲା ଓସା ସରକାରଙ୍କ ଦୁର୍ନୀତିର ପର୍ଦାଫାଶ କରୁଛି କି ନାହିଁ |