\n\n\n\n\n\n\n

ସାବଧାନ ! ଏହି ବ୍ରାଣ୍ଡର ମସଲା ଖାଆନ୍ତୁ ନାହିଁ !

ସାବଧାନ ! ମସଲା ନାଁରେ ଖାଉଛନ୍ତି ବିଷ !

ପାଟିକୁ ସୁଆଦିଆ ଦେହ ପାଇଁ ଜହର !

ହଳଦୀ, ଲଙ୍କା, ଗୋଲମରିଚ ଗୁଣ୍ଡ ଏଠି ସବୁ ଭେଜାଲ !

ଆପଣଙ୍କ ରୋଷେଇ ଘରେ ଥିବା ହଳଦୀ ଗୁଣ୍ଡ ଆଉ ଲଙ୍କା ଗୁଣ୍ଡ ସତରେ ଶୁଦ୍ଧ ତ? ନା ନାମୀଦାମୀ ବ୍ରାଣ୍ଡ୍‌ର ପ୍ୟାକେଟ୍ ଭିତରେ ଲୁଚି ରହିଛି ନକଲି ମସଲାର କଳା କାରବାର? ବାହାରେ ଆକର୍ଷଣୀୟ ପ୍ୟାକେଟ୍… ଭିତରେ କିନ୍ତୁ ଅପମିଶ୍ରିତ ସାମଗ୍ରୀ!

ବ୍ରହ୍ମପୁରରେ ଏମିତି ଏକ ଅଭିଯୋଗକୁ ନେଇ ପୋଲିସର ବଡ଼ ଚଢ଼ାଉ। ଆଉ ଏହି ଚଢ଼ାଉରେ ଯାହା ଜବତ ହୋଇଛି, ତାହା ଖାଦ୍ୟ ସାମଗ୍ରୀର ଶୁଦ୍ଧତାକୁ ନେଇ ପୁଣି ଉଠାଇଛି ବଡ଼ ପ୍ରଶ୍ନ!

ବ୍ରହ୍ମପୁରର ବଡ଼ବଜାର ଥାନା ଅଞ୍ଚଳ… ଲକ୍ଷ୍ମୀନୃସିଂହ ସାହିର ସପ୍ତମ ଗଳି ଏବଂ ପ୍ରହଲ୍ଲାଦ ନଗରରେ ଥିବା ମସଲା ମିଲ୍‌କୁ ନେଇ ଆସିଛି ଚାଞ୍ଚଲ୍ୟକର ଖବର।

ପୋଲିସର ଚଢ଼ାଉ ବେଳେ ମିଳିଛି ବସ୍ତା ବସ୍ତା ହଳଦୀ ଗୁଣ୍ଡ, ଲଙ୍କା ଗୁଣ୍ଡ ଓ ଅନ୍ୟାନ୍ୟ ମସଲା ସାମଗ୍ରୀ।

ପ୍ରାଥମିକ ତଦନ୍ତ ସମ୍ପର୍କିତ ରିପୋର୍ଟ ଅନୁସାରେ, ୩୦ ଟନ୍‌ରୁ ଅଧିକ ମସଲା ଓ ଅନ୍ୟାନ୍ୟ ସାମଗ୍ରୀ ଜବତ ହୋଇଥିବା ଖବର ମିଳିଛି। ଏଥିସହ ଜବତ ହୋଇଛି ୪ଟି ମିଲିଂ ମେସିନ୍ ଏବଂ ପ୍ୟାକିଂ ପାଇଁ ବ୍ୟବହୃତ ମେସିନ୍।

କିନ୍ତୁ ଏହି କାରବାରର ସବୁଠାରୁ ଚିନ୍ତାଜନକ ଦିଗ ହେଉଛି… ମସଲାରେ ରଙ୍ଗ ଓ ଅନ୍ୟାନ୍ୟ ପଦାର୍ଥ ମିଶାଇ ନକଲି ସାମଗ୍ରୀ ପ୍ରସ୍ତୁତ କରାଯାଉଥିବା ଅଭିଯୋଗ!

କେବଳ ମସଲା ତିଆରି କରିବାରେ ନୁହେଁ… ଏହାକୁ ବଜାରରେ ପହଞ୍ଚାଇବାର ଉପାୟକୁ ନେଇ ମଧ୍ୟ ଉଠିଛି ସନ୍ଦେହ।

ଅଭିଯୋଗ ଅନୁସାରେ, ବାହାରୁ କଞ୍ଚାମାଲ ଆଣି ମିଲ୍‌ରେ ଗୁଣ୍ଡ କରାଯାଉଥିଲା। ପରେ ନାମୀଦାମୀ କମ୍ପାନିର ବ୍ରାଣ୍ଡ୍ ଥିବା ପ୍ୟାକେଟ୍‌ରେ ଭର୍ତ୍ତି କରି ବଜାରକୁ ବିକ୍ରି ପାଇଁ ଛଡ଼ାଯାଉଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ଖବର ଆସିଛି।

ଏପରିକି ଗଞ୍ଜାମ ଜିଲ୍ଲା ବାହାରକୁ ଏବଂ ରାଜ୍ୟ ବାହାରକୁ ମଧ୍ୟ ଏହି ସାମଗ୍ରୀ ପଠାଯାଉଥିବା ସନ୍ଦେହ କରାଯାଉଛି।

ଘଟଣାରେ କିଛି ଅଭିଯୁକ୍ତଙ୍କୁ ପୋଲିସ ଅଟକ ରଖି ପଚରାଉଚରା କରୁଛି। ମିଲ୍‌ରେ ଜିଏସ୍‌ଟି ଓ ପ୍ୟାକେଟ୍‌ରେ ବ୍ରାଣ୍ଡ୍ ସମ୍ପର୍କିତ ଅନିୟମିତତା ଥିବା ନେଇ ମଧ୍ୟ ଖବର ଆସିଛି।

ତେବେ ପ୍ରଶ୍ନ ଉଠୁଛି… ଏହି ନକଲି ମସଲା କେତେ ଦିନ ଧରି ବଜାରରେ ବିକ୍ରି ହେଉଥିଲା?

କେଉଁ କେଉଁ ଅଞ୍ଚଳକୁ ଯାଇଛି ଏହି ସାମଗ୍ରୀ? କେଉଁ ବ୍ରାଣ୍ଡ୍‌ର ନାଁ ବ୍ୟବହାର କରାଯାଉଥିଲା? ଏବଂ ଏହି କାରବାର ପଛରେ ଆଉ କେହି ଅଛନ୍ତି କି?

ପୂର୍ବରୁ ମଧ୍ୟ ବ୍ରହ୍ମପୁରରେ ନକଲି ସସ୍ ଓ ଅନ୍ୟାନ୍ୟ ଭେଜାଲ୍ ସାମଗ୍ରୀ ପ୍ରସ୍ତୁତିକୁ ନେଇ ଅଭିଯୋଗ ଆସିଥିବାରୁ, ଏହି ଘଟଣା ପୁଣିଥରେ ଖାଦ୍ୟ ସୁରକ୍ଷା ଓ ବଜାରରେ ବିକ୍ରି ହେଉଥିବା ସାମଗ୍ରୀର ମାନକୁ ନେଇ ଚିନ୍ତା ବଢ଼ାଇଛି।

ଏବେ ପୋଲିସର ତଦନ୍ତ ଉପରେ ରହିଛି ସମସ୍ତଙ୍କ ନଜର। ଜବତ ମସଲାର ଯାଞ୍ଚ ପରେ ହିଁ ଅପମିଶ୍ରଣର ପ୍ରକୃତ ସ୍ୱରୂପ ସ୍ପଷ୍ଟ ହେବ।

ଆପଣଙ୍କ ଖାଦ୍ୟ ଥାଳିରେ ପହଞ୍ଚୁଥିବା ମସଲା କେତେ ସୁରକ୍ଷିତ? ଏହାର ଉତ୍ତର ଖୋଜିବା ଏବେ ସବୁଠାରୁ ବଡ଼ ଆହ୍ୱାନ।