ଡବଲ ଇଞ୍ଜିନର ଡବଲ ଧୋକା ! ଭୁବନେଶ୍ୱର ମେଟ୍ରୋ ବନ୍ଦ, କଣ୍ଟ୍ରାକ୍ଟର ପକେଟକୁ ଗଲା ୨୭୨ କୋଟି!

ବିରୋଧୀ ଥିଲା ବେଳେ ମେଟ୍ରୋର ସ୍ୱପ୍ନ

କ୍ଷମତାକୁ ଆସିଲେ କଣ୍ଟ୍ରାକ୍ଟରଙ୍କୁ କୋଟି କୋଟିର ରତ୍ନ!

ଗଡ଼ିଲାନି ଚକା, ବସିଲାନି ଲାଇନ୍…

ତେବେ କଣ୍ଟ୍ରାକ୍ଟରଙ୍କ ଖାତାକୁ କେମିତି ଗଲା ୨୭୨ କୋଟିର ଫାଇନ୍?

ଡବଲ ଇଞ୍ଜିନ ସରକାରର ନୂଆ ଖେଳ

ବାତିଲ ହେଲା ଭୁବନେଶ୍ୱର ମେଟ୍ରୋ ରେଳ!

ରାଜନୀତିରେ ରଙ୍ଗ କେମିତି ବଦଳେ, ତାର ସବୁଠୁ ବଡ଼ ଉଦାହରଣ ଏବେ ଓଡ଼ିଶାବାସୀ ଦେଖିବାକୁ ପାଇଛନ୍ତି। ଯେଉଁମାନେ ବିରୋଧୀ ଆସନରେ ବସିଥିବା ବେଳେ ଓଡ଼ିଶାରେ ମେଟ୍ରୋ ଟ୍ରେନ ନଚାଲିବାକୁ ନେଇ କୁମ୍ଭୀର କାନ୍ଦଣା କାନ୍ଦୁଥିଲେ, ଆଜି କ୍ଷମତା ହାତକୁ ଆସିବା ପରେ ସେହି ମେଟ୍ରୋ ପ୍ରକଳ୍ପକୁ ସବୁଦିନ ପାଇଁ ବନ୍ଦ କରିଦେଇଛନ୍ତି। ଖାଲି ବନ୍ଦ କରିନାହାନ୍ତି ତ ବିନା ମେଟ୍ରୋରେ, ବିନା ଟ୍ରାକ୍‌ରେ କଣ୍ଟ୍ରାକ୍ଟରଙ୍କ ପକେଟକୁ ପ୍ରାୟ ୨୭୨ କୋଟି ଟଙ୍କା ଟେକି ଦେଇଛନ୍ତି। ଏବେ ପ୍ରଶ୍ନ ଉଠୁଛି, ଏହା କିଭଳି ବିକାଶ? ଓଡ଼ିଶାବାସୀଙ୍କୁ ଏ କିଭଳି ଉପହାର ଦେଲେ ଡବଲ ଇଞ୍ଜିନ ସରକାର?

ତେବେ ଟିକେ ମନେ ପକାନ୍ତୁ ଅକ୍ଟୋବର ୧୯, ୨୦୨୩ର ସେହି ଦିନକୁ। ଏକ ସାମ୍ବାଦିକ ସମ୍ମିଳନୀ କରି ବିଜେପି ତତ୍କାଳୀନ ରାଜ୍ୟ ସରକାର ଉପରେ ଖୁବ୍ ବର୍ଷିଥିଲା। ପ୍ରଶ୍ନ କରାଯାଇଥିଲା- “ସାରା ଦେଶର ୨୨ଟି ସହରରେ ମେଟ୍ରୋ ଚାଲିଲାଣି, ଏପରିକି ବିହାରରେ ମଧ୍ୟ ହେଲାଣି, କିନ୍ତୁ ଓଡ଼ିଶା ସରକାର କେବଳ ଡିପିଆର ଆଉ ବିଜ୍ଞାପନରେ କାହିଁକି ଅଟକିଛନ୍ତି?” ସେଦିନ ଦାବି ହୋଇଥିଲା ଯେ, କେନ୍ଦ୍ର ସରକାର ମେଟ୍ରୋ ପଲିସି ଆଣି ୫୦ ପ୍ରତିଶତ ଅର୍ଥ ଦେବାକୁ ପ୍ରସ୍ତୁତ ଥିଲେ ବି, କେବଳ ନରେନ୍ଦ୍ର ମୋଦିଙ୍କୁ ଶ୍ରେୟ ମିଳିଯିବ ବୋଲି ରାଜ୍ୟ ସରକାର ‘ଡାର୍ଟି ପଲିଟିକ୍ସ’ କରି ଓଡ଼ିଶାବାସୀଙ୍କୁ ମେଟ୍ରୋ ଲାଭରୁ ବଞ୍ଚିତ କରୁଛନ୍ତି।

ହେଲେ ଆଜି କଣ ହେଲା? ଆଜି ତ ରାଜ୍ୟରେ ନିଜ ସରକାର, କେନ୍ଦ୍ରରେ ବି ନିଜ ସରକାର। ତଥାପି ମେଟ୍ରୋ ଟ୍ରେନ ଚାଲିବା ବଦଳରେ ପ୍ରକଳ୍ପ ଉପରେ ହିଁ ଲାଲ୍ ଫିତା ବାନ୍ଧିଦିଆଗଲା କାହିଁକି? ରାଜ୍ୟ କ୍ୟାବିନେଟ୍ ବୈଠକରେ DMRC ସହ ହୋଇଥିବା ଚୁକ୍ତିକୁ ହଠାତ୍ ବାତିଲ କରାଗଲା। ସଫେଇ ଦିଆଗଲା ଯେ- ଯାତ୍ରୀ ହେବେନି, ପ୍ରକଳ୍ପ ଲାଭଦାୟକ ହେବନି। ତେବେ ପ୍ରଶ୍ନ ଉଠୁଛି ଯଦି ପ୍ରକଳ୍ପ ଲାଭଦାୟକ ନଥିଲା, ତେବେ ୨୦୨୩ରେ ମେଟ୍ରୋ ଦରକାର ବୋଲି ବିଜେପି କାହିଁକି କହୁଥିଲା ?

ସବୁଠୁ ବଡ଼ ଆଶ୍ଚର୍ଯ୍ୟର କଥା ହେଉଛି- ଭୁବନେଶ୍ୱରରେ ମେଟ୍ରୋର ଗୋଟିଏ ବି ଖୁଣ୍ଟ ପୋତା ହେଲାନି, ଗୋଟିଏ ବି ଇଟା ଲାଗିଲାନି, କିନ୍ତୁ ଏହି ବାତିଲ ପ୍ରକଳ୍ପ ପାଇଁ କଣ୍ଟ୍ରାକ୍ଟରଙ୍କୁ ପ୍ରାୟ ୨୭୨ କୋଟି ଟଙ୍କା ପୈଠ କରିଦିଆଗଲା। ଏତେ ଟଙ୍କା କେଉଁ କାମ ପାଇଁ ଦିଆଗଲା? ଓଡ଼ିଶାବାସୀଙ୍କ ଝାଳବୁହା ଟ୍ୟାକ୍ସ ଟଙ୍କା କଣ ଏମିତି କଣ୍ଟ୍ରାକ୍ଟରଙ୍କୁ ପୋଷିବା ପାଇଁ ରଖାଯାଇଥିଲା?

ସେଦିନ ପୂର୍ବ ସରକାରଙ୍କୁ “ଏପ୍ରିଲ ଫୁଲ” କରୁଛନ୍ତି ବୋଲି ତାଚ୍ଛଲ୍ୟ କରୁଥିବା ନେତାମାନେ, ଆଜି କ୍ଷମତାକୁ ଆସି ନିଜେ ଓଡ଼ିଶାବାସୀଙ୍କୁ ସବୁଠୁ ବଡ଼ “ଏପ୍ରିଲ ଫୁଲ” ବନାଇଦେଇଛନ୍ତି। ଭାଷଣ ଆଉ ଶାସନ ଭିତରେ ଥିବା ଏହି ଫରକକୁ ଏବେ ସାଧାରଣ ଜନତା ବେଶ୍ ଭଲ ଭାବେ ବୁଝିଲେଣି।

Leave a Reply

Your email address will not be published. Required fields are marked *