ରାଜଧାନୀରେ ଅସୁରକ୍ଷିତ ନାବାଳିକା !
ଚାରିପାଖରେ ଘୁରି ବୁଲୁଛନ୍ତି ଯୌନପିପାସୁ ରାକ୍ଷସ
୫ ମାସ, ୬୬ ଗିରଫ: ସାମ୍ନାକୁ ଆସିଲା ସାଂଘାତିକ ପୋକ୍ସୋ ରିପୋର୍ଟ
ପ୍ରତି ମାସରେ ୧୦ ଝିଅଙ୍କ ଇଜ୍ଜତ ଲୁଟ୍: ସୈତାନ ସାଜୁଛନ୍ତି ସମ୍ପର୍କୀୟ!
ରାଜଧାନୀ ଭୁବନେଶ୍ବର… ଯେଉଁଠି ପ୍ରତିଦିନ ହଜାର ହଜାର ଲୋକ ନିଜ ସ୍ୱପ୍ନ ପୂରଣ କରିବାକୁ ଆସନ୍ତି… କିନ୍ତୁ ଆଜି ସେହି ରାଜଧାନୀର ଏକ ଭୟଙ୍କର ଏବଂ କଳା ସତ୍ୟ ସାମ୍ନାକୁ ଆସିଛି। ଆପଣ ଭାବୁଥିବେ ଆପଣଙ୍କ କୁନି ଝିଅ ଘରେ କିମ୍ବା ପାଖ ପଡ଼ୋଶୀଙ୍କ ସହ ସୁରକ୍ଷିତ ଅଛି… କିନ୍ତୁ ସାବଧାନ! କାରଣ ଆପଣଙ୍କ ଚାରିପାଖରେ ଘୁରି ବୁଲୁଛନ୍ତି ମଣିଷ ରୂପୀ କିଛି ଯୌନପିପାସୁ ରାକ୍ଷସ।
ଭୁବନେଶ୍ବରରେ ଏବେ ଯୌନପିପାସୁଙ୍କ ଟାର୍ଗେଟରେ କୋମଳମତୀ ଶିଶୁ। କମିସନରେଟ୍ ପୁଲିସ ଆଣିଛନ୍ତି ସାଂଘାତିକ ରିପୋର୍ଟ। ଚଳିତ ବର୍ଷ ମାତ୍ର ୫ ମାସ ଭିତରେ ଭୁବନେଶ୍ବର ୟୁପିଡି ଅଞ୍ଚଳରୁ ପୋକ୍ସୋ (POCSO) ଆକ୍ଟରେ ବନ୍ଧା ହେଲେଣି ୬୬ ଜଣ ଅଭିଯୁକ୍ତ। ଏହା କୌଣସି ଛୋଟ ସଂଖ୍ୟା ନୁହେଁ। ପ୍ରତିମାସରେ ରାଜଧାନୀର ବିଭିନ୍ନ ଥାନାରେ ହାରାହାରି ୧୦ଟି ପୋକ୍ସୋ ମାମଲା ରୁଜୁ ହେଉଛି। କେବଳ ମେ ମାସରେ ରେକର୍ଡ ସଂଖ୍ୟକ ୨୨ ଜଣ ସୈତାନ ପୁଲିସ ଜାଲରେ ପଡିଛନ୍ତି। ଏହା ପୂର୍ବରୁ ଜାନୁଆରିରେ ୯, ଫେବ୍ରୁଆରିରେ ୧୧ ଏବଂ ମାର୍ଚ୍ଚ-ଏପ୍ରିଲରେ ୧୨ ଜଣ ଲେଖାଏଁ ଗିରଫ ହୋଇଥିଲେ।
ସବୁଠୁ ସାଂଘାତିକ କଥା ହେଉଛି, ଏହି ଅପରାଧୀମାନେ କୌଣସି ଅଜଣା ଲୋକ ନୁହଁନ୍ତି… ଏମାନଙ୍କ ଭିତରୁ ଅଧିକାଂଶ ହେଉଛନ୍ତି ପରିଚିତ କିମ୍ବା ନିଜର ସମ୍ପର୍କୀୟ। ଘରେ କେହି ନଥିବାର ସୁଯୋଗ ନେଇ ଏମାନେ ନିଜର ଶିକାର ବନାଉଛନ୍ତି। ଏବେ ଡିଜିଟାଲ୍ ଯୁଗରେ ଅପରାଧର ତରିକା ବି ବଦଳିଛି। ସୋସିଆଲ୍ ମିଡିଆ ଏବଂ ଏଆଇ (AI) ଆପ୍ ଜରିଆରେ ଫଟୋକୁ ବିକୃତ କରି ଏବଂ ନକଲି ଅଶ୍ଳୀଳ ଭିଡିଓ ତିଆରି କରି ନାବାଳିକାଙ୍କୁ ବ୍ଲାକମେଲିଂ କରାଯାଉଛି।
ତେଣୁ ସମୟ ଆସିଛି ସଚେତନ ହୁଅନ୍ତୁ । ନିଜ ପିଲାଙ୍କ ଉପରେ କଡ଼ା ନଜର ରଖନ୍ତୁ। ସେମାନେ କାହା ସହ ମିଶୁଛନ୍ତି, ମୋବାଇଲରେ କେଉଁ ଆପ୍ ବ୍ୟବହାର କରୁଛନ୍ତି ତାହାର ତଦାରଖ କରନ୍ତୁ। ଟିକିଏ ଅବହେଳା ଆପଣଙ୍କ ପିଲାଙ୍କ ଜୀବନକୁ ଅନ୍ଧକାର ଆଡ଼କୁ ଠେଲିଦେଇପାରେ। ସତର୍କ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।
