ଓଡ଼ିଶା ଟେକ୍ସଟ୍ ବୁକ୍ ପ୍ରେସ୍ ରେ ବଡ଼ ଦୁର୍ନୀତି: ୧୦ କୋଟିର ଘରୋଇ ଡିଲ୍ ପଛରେ କିଏ? 

ଗୋଟିଏ ଅଫିସର, ଦୁଇଟି ବିଭାଗ

ପାଠ୍ୟପୁସ୍ତକ ତ୍ରୁଟି ପଛରେ ଲୁଚି ରହିଛି କି ୧୦ କୋଟିର ଘରୋଇ ପ୍ରେସ୍ ଡିଲ୍?

କଟକରେ ପ୍ରମୋସନ୍, କିନ୍ତୁ ଭୁବନେଶ୍ୱର ଛାଡୁ ନାହାଁନ୍ତି ବାବୁ!

ସଚିବଙ୍କ ଅଫିସରେ ନିଜର ଗୁପ୍ତଚର, ଠିକା କର୍ମଚାରୀଙ୍କୁ ନେଇ ବଡ଼ ଷଡ଼ଯନ୍ତ୍ର!

କାହା ଛତ୍ରଛାୟାରେ ଚାଲିଛି ଏହି ମହାଦୁର୍ନୀତି?

ଆପଣଙ୍କ ପିଲା ପଢୁଥିବା ସରକାରୀ ବହିରେ ଅନେକ ଭୁଲ୍ ବାହାରୁଛି କି? ତେବେ ଏଥିପାଇଁ ଦାୟୀ କିଏ? ଆପଣ ଭାବୁଥିବେ ବୋଧହୁଏ ଛାପାଖାନାର ଭୁଲ। କିନ୍ତୁ ସତ ଜାଣିଲେ ଆପଣଙ୍କ ହୋସ୍ ଉଡିଯିବ। କାରଣ ଯେଉଁ ‘ଟେକ୍ସଟ୍ ବୁକ୍ ପ୍ରେସ୍’ ଉପରେ ନିର୍ଭୁଲ୍ ବହି ଛାପିବାର ଦାୟିତ୍ୱ ଅଛି, ସେଠି ଆଜି ପର୍ଯ୍ୟନ୍ତ ‘ପ୍ରୁଫ୍ କରେକ୍ସନ୍’ (Proof Correction) ବିଭାଗ ହିଁ କ୍ରିୟାଶୀଳ ନାହିଁ! ଏହା କୌଣସି ସାଧାରଣ ତ୍ରୁଟି ନୁହେଁ, ବରଂ ଏହା ପଛରେ ଲୁଚି ରହିଛି କ୍ଷମତା ଏବଂ ଅର୍ଥର ଏକ ବିରାଟ ସିଣ୍ଡିକେଟ୍!

ସ୍କ୍ରିନ୍ ଉପରେ ନଜର ପକାନ୍ତୁ। ଏ ହେଉଛନ୍ତି ଶ୍ରୀ ଶୁଭ୍ରଜିତ୍ ନାୟକ। OGP ବା ଓଡ଼ିଶା ଗଭର୍ଣ୍ଣମେଣ୍ଟ ପ୍ରେସ୍ ର ସଚିବାଳୟ ବ୍ରାଞ୍ଚର ଆସିଷ୍ଟାଣ୍ଟ ଡିରେକ୍ଟର। ନିୟମ ଅନୁସାରେ OGP ଆସୁଛି ବାଣିଜ୍ୟ ବିଭାଗ ଅଧୀନରେ। କିନ୍ତୁ ଆଶ୍ଚର୍ଯ୍ୟର କଥା, ୨୦୨୨ ମସିହାରୁ ସେ ଗଣଶିକ୍ଷା ବିଭାଗ ଅଧୀନରେ ଥିବା ‘ଟେକ୍ସଟ୍ ବୁକ୍ ପ୍ରେସ୍’ ର ସମସ୍ତ ଛାପା କାର୍ଯ୍ୟର ଇନଚାର୍ଜ ଭାବେ ମଧ୍ୟ କାର୍ଯ୍ୟ କରୁଛନ୍ତି! ଦୁଇଟି ସମ୍ପୂର୍ଣ୍ଣ ଅଲଗା ବିଭାଗ, ଅଥଚ ମୁଖିଆ ଜଣେ। କେଉଁ ଆଇନ୍ ବଳରେ ଏବଂ କାହା ସ୍ୱାର୍ଥରେ ତାଙ୍କୁ ଏହି ସ୍ୱତନ୍ତ୍ର କ୍ଷମତା ଦିଆଯାଇଛି?

ରହସ୍ୟର ପରଦା ଉଠିଲେ ଜଣାପଡେ ଅସଲ ଖେଳ ହେଉଛି ‘ଟଙ୍କାର’। ସରକାର ପ୍ରତିବର୍ଷ ପୁସ୍ତକ ଛାପିବା ପାଇଁ ୨୦ କୋଟି ଟଙ୍କା ଦିଅନ୍ତି। ଟେକ୍ସଟ୍ ବୁକ୍ ପ୍ରେସ୍ କେବଳ ୭ କୋଟିର କାମ କରେ, ଆଉ ବାକି ୧୦ କୋଟିରୁ ଉର୍ଦ୍ଧ୍ୱ ଟଙ୍କାର କାମ ଯାଏ ଘରୋଇ ବା ପ୍ରାଇଭେଟ୍ ପ୍ରେସ୍ ହାତକୁ! ଏହି ୧୦ କୋଟିର ମୋଟା ଅଙ୍କର ଡିଲ୍ ପାଇଁ କଣ ଜାଣିଶୁଣି ଏହି ଅଧିକାରୀଙ୍କୁ ସେଠାରେ ବସାଯାଇଛି କି? ଗତ ବର୍ଷ ବାବୁଙ୍କର କଟକ OGP ହେଡ୍ ଅଫିସକୁ ଡେପୁଟି ଡିରେକ୍ଟର ଭାବେ ପ୍ରମୋସନ୍ ହୋଇଥିଲା। କିନ୍ତୁ କଟକ ନଯାଇ, ସେ କେଉଁ ଅଦୃଶ୍ୟ ଶକ୍ତି ବଳରେ ପୁଣିଥରେ ଭୁବନେଶ୍ୱରର ଉଭୟ ପ୍ରେସ୍ ର ଇନଚାର୍ଜ ହୋଇ ବସିଛନ୍ତି?

ସବୁଠୁ ସାଂଘାତିକ କଥା ହେଉଛି ଅଧିକାରୀଙ୍କ ‘ସ୍ପାଏ ନେଟୱର୍କ’ ବା ଗୁପ୍ତଚର ବ୍ୟବସ୍ଥା! ନିଜ ସମ୍ପର୍କୀୟ ପତି-ପତ୍ନୀଙ୍କୁ ପ୍ରଥମେ ଟ୍ରେନିଂ ସ୍କୁଲରେ ଭର୍ତ୍ତି କରାଇ, ଆଉଟସୋର୍ସିଂ କର୍ମଚାରୀ ଭାବେ ନିଯୁକ୍ତି ଦେଲେ। ଆଉ ତା’ପରେ… ସ୍ୱାମୀଙ୍କୁ ବସାଇଲେ ସିଧା କମର୍ସ ଆଣ୍ଡ ଟ୍ରାନ୍ସପୋର୍ଟ ଡିପାର୍ଟମେଣ୍ଟର ପ୍ରିନ୍ସିପାଲ୍ ସେକ୍ରେଟାରୀଙ୍କ ପାଖରେ କମ୍ପ୍ୟୁଟର କାମରେ, ଆଉ ପତ୍ନୀଙ୍କୁ ସଚିବାଳୟ ବ୍ରାଞ୍ଚ ପ୍ରେସ୍ ରେ! ଉଦ୍ଦେଶ୍ୟ କଣ? କଣ ବିଭାଗୀୟ ଗୁପ୍ତ ଚିଠିପତ୍ର ଏବଂ ନିଷ୍ପତ୍ତି ଉପରେ ଆଗୁଆ ନଜର ରଖିବା ପାଇଁ ଏହା ଏକ ସୁଚିନ୍ତିତ ଚକ୍ରାନ୍ତ ନୁହେଁ କି? ଏହି ସବୁ ଖେଳ ଭିତରେ, ରାଜ୍ୟ ସରକାରଙ୍କ ସମ୍ବେଦନଶୀଳ ଛାପା କାର୍ଯ୍ୟ ଆଜି ବିପଦରେ। ଭୁବନେଶ୍ୱରରେ ଆଲିସାନ୍ ଘର, ନଖରାରେ ୪୦ ଲକ୍ଷର ପ୍ଲଟ୍ ଥାଇ ବି ସରକାରୀ କ୍ୱାର୍ଟର୍ସ ମୋହ ଛାଡିପାରୁନାହାଁନ୍ତି ବାବୁ। ଉପରିସ୍ଥ ଅଧିକାରୀ ସବୁ ଜାଣିଶୁଣି ଚୁପ୍ କାହିଁକି? ପ୍ରଶାସନିକ ସ୍ତରରେ କିଏ ଦେଉଛି ଏହି ଦୁର୍ନୀତିଗ୍ରସ୍ତ ବ୍ୟବସ୍ଥାକୁ ପ୍ରୋତ୍ସାହନ? ଏହାର ଉଚ୍ଚସ୍ତରୀୟ ତଦନ୍ତ ହେଲେ, ଅନେକ ବଡ଼ ବଡ଼ ମୁଣ୍ଡଙ୍କ ମୁଖା ଖୋଲିବ ନିଶ୍ଚୟ!

Leave a Reply

Your email address will not be published. Required fields are marked *