ବିନା ଇଲେକ୍ଟ୍ରିସିଟିରେ ବି ଥଣ୍ଡା ହେବ ଭୁବନେଶ୍ୱର
ବସ୍ ଷ୍ଟାଣ୍ଡରେ ମିଳିବ ଏସି ର ମଜା !
କଣ ରହିଛି BMCର ସିକ୍ରେଟ୍ ଫର୍ମୁଲା?
ଦେଖିଲେ ଆପଣ ବି ହୋଇଯିବେ ତାଜୁବ!
ମଣିଷ ତ ମଣିଷ… ବୁଲା ପଶୁପକ୍ଷୀଙ୍କ ପାଇଁ ମଧ୍ୟ ଖୋଲିଲା ଶୀତଳ ଭଣ୍ଡାର!
ଆକାଶରୁ ଖସୁଛି ନିଆଁ… ଡହ ଡହ ଖରାରେ ସିଝୁଛି ରାଜଧାନୀ ଭୁବନେଶ୍ୱର। ଘରୁ ପଦାକୁ ଗୋଡ଼ କାଢ଼ିଲେ ଲାଗୁଛି ଯେମିତି ଦେହ ହାତ ପୋଡିଯିବ। କିନ୍ତୁ… ଏହି ନିଆଁ ବର୍ଷା ଭିତରେ, ବିନା ଇଲେକ୍ଟ୍ରିସିଟି ଏବଂ ବିନା ଏସିରେ ଯଦି ଆପଣଙ୍କୁ ଥଣ୍ଡା ପବନ ମିଳେ? ହଁ ଆଜ୍ଞା, କଥାଟା ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ଏକଦମ୍ ସତ!
ଅପେକ୍ଷାରତ ଯାତ୍ରୀଙ୍କୁ ପ୍ରଚଣ୍ଡ ତାତିରୁ ବଞ୍ଚାଇବା ପାଇଁ ଭୁବନେଶ୍ୱର ମହାନଗର ନିଗମ ଖେଳିଛି ଏକ ବଡ଼ ମାଷ୍ଟରଷ୍ଟ୍ରୋକ୍! ସହରର ୧୦ଟି ପ୍ରମୁଖ ବସଷ୍ଟପରେ ଏବେ ଲାଗିଛି ‘ସ୍ୱତନ୍ତ୍ର ବେଣାଚେର ପରଦା’। ରୂପାଲୀ ଛକରୁ ନେଇ ଜୟଦେବ ବିହାର, ଡମଣା ଓ ରାଜଧାନୀ କଲେଜ ଛକ ପର୍ଯ୍ୟନ୍ତ… ବସ୍ କ୍ୟୁ ସେଲଟର ଏବେ ପାଲଟିଛି ଶୀତଳ ଭଣ୍ଡାର। ଦିନକୁ ୩ ଥର ପାଣି ସିଞ୍ଚନ ହେଉଛି, ଆଉ ଭିତରେ ବସିଲେ ମିଳୁଛି ସମ୍ପୂର୍ଣ୍ଣ ଏସି ଭଳି ଆରାମ। ଖୁବଶୀଘ୍ର ଆଉ ୨୦ଟି ସ୍ଥାନରେ ବି ଲାଗିବ ଏହି ପ୍ରାକୃତିକ କୁଲର।
କେବଳ ସେତିକି ନୁହେଁ। ଟ୍ରାଫିକ୍ ସିଗନାଲରେ ଖରାରେ ଡହଳ ବିକଳ ହେଉଥିବା ଲୋକଙ୍କ ପାଇଁ ଏଜି ଛକ ଭଳି ସ୍ଥାନରେ ତିଆରି ହୋଇଛି ସ୍ଥାୟୀ ସେଡ୍। କଳ୍ପନା ଓ ଫାୟାରଷ୍ଟେସନ ଛକରେ ଖୋଲିଲାଣି ଇକୋ-ଫ୍ରେଣ୍ଡଲି ଶୀତଳ ବିଶ୍ରାମସ୍ଥଳ। ସବୁଠୁ ଖାସ୍ କଥା ହେଲା, ସହରର ୪୦ଟି ଜନଗହଳି ସ୍ଥାନରେ ‘ସୋଲାର ୱାଟର କିଓସ୍କ’ ଲାଗିଛି। ସୌରଶକ୍ତିରେ ଚାଲୁଛି, ଆଉ ଲୋକଙ୍କୁ ମାଗଣାରେ ମିଳୁଛି ବରଫ ଭଳି ଥଣ୍ଡା ପାଣି!
ବିଏମସିର ଏହି ପ୍ରୟାସ କେବଳ ମଣିଷଙ୍କ ପାଇଁ ଅଟକି ନାହିଁ। ନିରୀହ ପଶୁପକ୍ଷୀଙ୍କ ପାଇଁ ବି ଏହା ସାଜିଛି ସଞ୍ଜୀବନୀ। ବୁଲା ଗାଈଗୋରୁ, କୁକୁରଙ୍କ ପାଇଁ ପାଣି କୁଣ୍ଡ ତ ଚଢ଼େଇଙ୍କ ପାଇଁ ଗଛରେ ଖଞ୍ଜା ଯାଇଛି ସ୍ୱତନ୍ତ୍ର ବସା ଓ ପାଣି ପାତ୍ର।
ପରିବେଶକୁ ସୁରକ୍ଷିତ ରଖିବା ସହ, ପ୍ରାକୃତିକ ଉପାୟରେ ଲୋକଙ୍କୁ ଥଣ୍ଡା ରଖିବାର ବିଏମସିର ଏହି ଆଇଡିଆ… ଆପଣଙ୍କୁ କେମିତି ଲାଗିଲା? କମେଣ୍ଟ ବକ୍ସରେ ନିଜ ମତାମତ ନିଶ୍ଚୟ ଜଣାନ୍ତୁ, ଆଉ ଏହିଭଳି ଦମଦାର ଅପଡେଟ୍ ପାଇଁ ଆମ ସହ ଯୋଡି ହୋଇ ରୁହନ୍ତୁ।
