ଆଦିବାସୀଙ୍କ ୨୨୧ ଏକର ଜମି ଧ୍ବଂସ ! ଖୋଲିଲା ଅଫିସରଙ୍କ ପୋଲ୍‌

ସିଏଜି ଚିଠା ରିପୋର୍ଟରେ ଚାଞ୍ଚଲ୍ୟକର ତଥ୍ୟ !

ବିକ୍ରି ହୋଇଗଲା ଆଦିବାସୀ ଓ ଦଳିତଙ୍କ ୨୨୧ ଏକର ଜମି !

ନିୟମକୁ ଜଳାଞ୍ଜଳି ଦେଇ ଅଫିସରଙ୍କ ମନମାନି !

କାଗଜପତ୍ର ନଥାଇ କେମିତି ମିଳିଲା ଅନୁମତି ?

ଖୋଲିବ ଅଧିକାରୀଙ୍କ ପୋଲ୍‌ !

ଯେଉଁମାନଙ୍କ କାନ୍ଧରେ ଗରିବଙ୍କ ସ୍ୱାର୍ଥ ରକ୍ଷାର ଦାୟିତ୍ୱ ଥିଲା, ସେମାନେ ହିଁ ସାଜିଲେ ଭକ୍ଷକ! ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପରିବର୍ତ୍ତେ ନିୟମକୁ କଲେ ଜଳାଞ୍ଜଳି। କାଗଜପତ୍ରର ହେରଫେର କରି ହଡ଼ପ କରିନେଲେ ଶହ ଶହ ଏକର ଜମି। ଏବେ ସିଏଜିଙ୍କ ଚିଠା ରିପୋର୍ଟ ସାମ୍ନାକୁ ଆସିବା ପରେ ଥରୁଛନ୍ତି ଅଧିକାରୀ। କେମିତି ବିକ୍ରି ହେଲା ଅନୁସୂଚିତ ଜାତି ଓ ଜନଜାତିଙ୍କ ପୈତୃକ ସମ୍ପତ୍ତି? କାହାର ସ୍ୱାର୍ଥ ପାଇଁ ବଳି ପଡ଼ିଲା ଗରିବଙ୍କ ଜମି?

ରାଜ୍ୟରେ ଏକ ବଡ଼ ଜମି ଦୁର୍ନୀତିର ପର୍ଦ୍ଦାଫାସ କରିଛି କମ୍ପଟ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ସିଏଜି। ସିଏଜିଙ୍କ ଚିଠା ରିପୋର୍ଟ ଅନୁସାରେ, ସରକାରୀ ନିୟମକୁ ଖୋଲାଖୋଲି ଉଲ୍ଲଂଘନ କରି ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବର୍ଗର ପ୍ରାୟ ୨୨୧.୦୭୩ ଏକର ଜମିକୁ ସାଧାରଣ ବର୍ଗର ଲୋକଙ୍କୁ ବିକ୍ରି କରିବା ପାଇଁ ବେଆଇନ ଭାବେ ଅନୁମତି ଦିଆଯାଇଛି।

ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ୨୦୧୮ ରୁ ୨୦୨୩ ମସିହା ମଧ୍ୟରେ ଭୁବନେଶ୍ୱର, ବାରଙ୍ଗ, ମହାରାଜପୁର ଓ କେନ୍ଦ୍ରାପଡ଼ା ଉପଜିଲ୍ଲାପାଳମାନେ ନିଜ କ୍ଷମତାର ଅପବ୍ୟବହାର କରିଛନ୍ତି। ମୋଟ ୯୨୮ଟି ମାମଲାରେ ଏହି ଜମି ବିକ୍ରି ପାଇଁ ଅନୁମତି ଦିଆଯାଇଛି, ଯେଉଁଥିରେ ପ୍ରାୟ ୧୦୪ ଏକର ST ବର୍ଗର ଏବଂ ୧୧୬ ଏକର SC ବର୍ଗର ଜମି ରହିଛି।

ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଅନୁମତି ପଛରେ ଦର୍ଶାଯାଇଥିବା କାରଣ ସମ୍ପୂର୍ଣ୍ଣ ସନ୍ଦେହଜନକ। ଜମି ମାଲିକଙ୍କୁ ଚିକିତ୍ସା, ଉଚ୍ଚଶିକ୍ଷା, ଋଣ ପରିଶୋଧ କିମ୍ବା ଘର ନିର୍ମାଣ ପାଇଁ ଟଙ୍କା ଆବଶ୍ୟକ ବୋଲି ଦର୍ଶାଯାଇଥିଲା। ମାତ୍ର ସିଏଜିଙ୍କ ଯାଞ୍ଚରୁ ଜଣାପଡ଼ିଛି ଯେ, ବହୁ କ୍ଷେତ୍ରରେ କୌଣସି ବୈଧ କାଗଜପତ୍ର କିମ୍ବା ପ୍ରମାଣ ନଥାଇ କେବଳ ମନଇଚ୍ଛା ଅନୁମତି ପ୍ରଦାନ କରାଯାଇଛି। କେବଳ ଚିକିତ୍ସା ବାହାନାରେ ୧୯୭ ଏକର ଜମି ବିକ୍ରି ହୋଇଥିବା ବେଳେ, ସେଥିମଧ୍ୟରୁ ୮୧୨ଟି ମାମଲାରେ ଚିକିତ୍ସା ସମ୍ବନ୍ଧୀୟ କୌଣସି ଡାକ୍ତରୀ ପ୍ରମାଣପତ୍ର ମଧ୍ୟ ଦାଖଲ କରାଯାଇ ନାହିଁ।

ନିୟମ ଅନୁସାରେ, ଏସସି/ଏସଟି ଜମି ବିକ୍ରି ପୂର୍ବରୁ ତଦନ୍ତ ହେବା ଜରୁରୀ। କିନ୍ତୁ ଅଧିକାରୀମାନେ ଜମି ମାଲିକାନା ସୁରକ୍ଷାକୁ ବେଖାତିର କରି ସମ୍ବେଦନଶୀଳ ବର୍ଗର ଲୋକଙ୍କୁ ଜମିହୀନ କରିବାକୁ ପଛାଇ ନାହାନ୍ତି। ସିଏଜିଙ୍କ ଏହି ରିପୋର୍ଟ ଏବେ ପ୍ରଶାସନିକ କ୍ଷେତ୍ରରେ ଭୂକମ୍ପ ସୃଷ୍ଟି କରିଛି। ଏହା କେବଳ ଏକ ପ୍ରଶାସନିକ ତ୍ରୁଟି ନା ଏହା ପଛରେ କୌଣସି ବଡ଼ ରାଜନୈତିକ ବା ମାଫିଆଙ୍କ ହାତ ରହିଛି, ତାହା ଏବେ ଏକ ବଡ଼ ପ୍ରଶ୍ନ।

ଏହି ଦୁର୍ନୀତିରେ ସମ୍ପୃକ୍ତ ଥିବା ଉପଜିଲ୍ଲାପାଳ ଓ ଅଧିକାରୀଙ୍କ ବିରୋଧରେ କେବେ କାର୍ଯ୍ୟାନୁଷ୍ଠାନ ହେବ? କିପରି ଫେରିବ ଆଦିବାସୀଙ୍କ ଜମି? ଏହା ଉପରେ ରହିବ ନଜର।

Leave a Reply

Your email address will not be published. Required fields are marked *