\n\n\n\n\n\n\n

କ୍ୟାମ୍ପସ୍ କ୍ରାନ୍ତି ୨୦୨୪: କଲେଜ ନିର୍ବାଚନ ନା ରାଜନୈତିକ ମହାସଂଗ୍ରାମ!

୮ ବର୍ଷ ପରେ କ୍ୟାମ୍ପସ୍‌ରେ ବାଜିଲା ବିଗୁଲ୍: କାହା ହାତକୁ ଯିବ ଯୁବ ଭୋଟ୍?
ବିଧାନସଭା ଗଣିତ ନା କ୍ୟାମ୍ପସ୍ ସମସ୍ୟା..କାହା ଉପରେ ପଡ଼ିବ ମୋହର?
କ୍ଷମତାର ଲଢ଼େଇ ନା ଯୁବ ଆକ୍ରୋଶ..କାହାକୁ ବାଛିବ ଓଡ଼ିଶାର ଛାତ୍ର ସମାଜ?
କ୍ଷମତାର ମୋହ ନୁହେଁ, ଯୁବ ମନୋଭାବର ଅସଲ ପରୀକ୍ଷା..ପ୍ରମାଣିତ ହେବ କି ମୋହନ ସରକାରଙ୍କ ଦବ୍‌ଦବା?
ଅସ୍ତିତ୍ୱ ରକ୍ଷାର ଲଢ଼େଇ, ୨୪ ବର୍ଷର ଗଡ଼ ଭାଙ୍ଗିବା ପରେ କ୍ୟାମ୍ପସ୍‌ରୁ ଆରମ୍ଭ ହେବ କି କମ୍‌ବ୍ୟାକ୍?
ବିଜେଡିକୁ ପଛରେ ପକାଇ ନୂଆ ବିରୋଧୀ ଶକ୍ତି ଭାବେ ଛିଡ଼ା ହେବ କି ହାତ ଦଳ?
କ୍ୟାରିୟର ନା କ୍ରାନ୍ତି? ନୂଆ ନେତୃତ୍ୱଙ୍କ ହାତରେ ସାଙ୍ଗଠନିକ ବାଗଡୋର!

ଦୀର୍ଘ ଆଠ ବର୍ଷର ନୀରବତା ପରେ କ୍ୟାମ୍ପସ୍‌ରେ ବାଜିବାକୁ ଯାଉଛି ନିର୍ବାଚନ ବିଗୁଲ|୨୦୧୭ ପରେ ପ୍ରଥମ ଥର ପାଇଁ ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଫେରୁଛି ଛାତ୍ର ସଂସଦ ନିର୍ବାଚନ| ଆସନ୍ତା ଅକ୍ଟୋବର ୧୫ରେ ହେବାକୁ ଥିବା ଏହି ମହାଲଢ଼େଇ କେବଳ କ୍ୟାମ୍ପସ୍ ନେତା ବାଛିବାର ପ୍ରକ୍ରିୟା ନୁହେଁ, ବରଂ ଓଡ଼ିଶାର ତିନି ପ୍ରମୁଖ ରାଜନୈତିକ ଶକ୍ତି..ବିଜେପି, ବିଜେଡି ଓ କଂଗ୍ରେସ ପାଇଁ ପ୍ରତିଷ୍ଠା ଓ ଅସ୍ତିତ୍ୱର ସବୁଠାରୁ ବଡ଼ ପରୀକ୍ଷା|
ଶାସକ ବିଜେପି ପାଇଁ ଏହା ଶକ୍ତି ପ୍ରଦର୍ଶନର ବଡ଼ ମଞ୍ଚ। ୨୦୨୪ରେ ଦୁଇ ଦଶନ୍ଧିରୁ ଊର୍ଦ୍ଧ୍ୱ ଶାସନକୁ ଧୂଳିସାତ୍ କରି କ୍ଷମତାସୀନ ହୋଇଥିବା ମୋହନ ମାଝୀ ସରକାର ପ୍ରମାଣ କରିବାକୁ ଚାହିଁବେ ଯେ, ରାଜ୍ୟରେ ଆସିଥିବା ପରିବର୍ତ୍ତନ କେବଳ ସରକାର ବଦଳ ନୁହେଁ, ଓଡ଼ିଶାର ଯୁବଶକ୍ତିର ଚିନ୍ତାଧାରାରେ ମଧ୍ୟ ବଡ଼ ପରିବର୍ତ୍ତନ| କିନ୍ତୁ ବିଜେପି ଆଗରେ ସତର୍କ ଘଣ୍ଟି ବିଧାନସଭାର ଭୋଟ ଗଣିତ କ୍ୟାମ୍ପସ୍‌ରେ କାମ ନକରିପାରେ! ହଷ୍ଟେଲ, ନିଯୁକ୍ତି, ଛାତ୍ରବୃତ୍ତି ଓ କ୍ୟାମ୍ପସ୍ ସୁବିଧା ଭଳି ସମସ୍ୟାର ସମାଧାନ ହିଁ ଏଠାରେ ଭାଗ୍ୟ ନିର୍ଦ୍ଧାରଣ କରିବ|
ଅନ୍ୟପଟେ, ପରାଜୟର ଆଘାତ ସହିଥିବା ବିଜେଡି ପାଇଁ ଏହା ପୁନରୁତ୍ଥାନର ସୁବର୍ଣ୍ଣ ସୁଯୋଗ| କ୍ୟାମ୍ପସ୍ ଦଖଲ କରି ନବୀନଙ୍କ ଦଳ ପ୍ରମାଣ କରିବାକୁ ଲଢ଼ିବ ଯେ, କ୍ଷମତା ଯାଇଥାଇପାରେ, ହେଲେ ଯୁବପିଢ଼ି ଓ ଛାତ୍ର ସମାଜ ମଧ୍ୟରେ ସେମାନଙ୍କ ସାଙ୍ଗଠନିକ ମୂଳଦୁଆ ଆଜି ବି ଅତୁଟ ରହିଛି|
ସେପଟେ କଂଗ୍ରେସ ଛିଡ଼ା କରିଛି ନୂଆ ଚ୍ୟାଲେଞ୍ଜ| ଦଳର ଲକ୍ଷ୍ୟ କେବଳ ଶାସକ ବିଜେପି ନୁହେଁ, ବରଂ ବିଜେଡିକୁ ପଛକୁ ଠେଲି ରାଜ୍ୟର ପ୍ରମୁଖ ବିରୋଧୀ ଶକ୍ତି ଭାବେ ନିଜ ହରାଇଥିବା ଜମି ଫେରିପାଇବା|
ଏହା ସହିତ କମ୍ୟୁନିଷ୍ଟ ଦଳ ସମେତ ସମସ୍ତ ଛାତ୍ର ନେତାଙ୍କ ପାଇଁ ଏହା ନିଜ ନେତୃତ୍ୱ ପ୍ରମାଣ କରି ଭବିଷ୍ୟତ କ୍ୟାରିୟର ଗଢ଼ିବାର ମହାମଞ୍ଚ। ଅକ୍ଟୋବର ୧୫ରେ କ୍ୟାମ୍ପସ୍ ନିଷ୍ପତ୍ତି ନେବ ଯୁବ ଓଡ଼ିଶାର ମନ କାହା ସହ? ଏହି ଲଢ଼େଇ କେବଳ ଛାତ୍ର ସଂସଦର ନୁହେଁ, ଆଗାମୀ ଓଡ଼ିଶା ରାଜନୀତିର ଭବିଷ୍ୟତ ନିର୍ଦ୍ଧାରଣର ହାଇ-ଭୋଲଟେଜ୍ ସଂଗ୍ରାମ|