ଗୋ-ସିଣ୍ଡିକେଟ୍ କମ୍ପିଲା! ଏକାସାଙ୍ଗେ ୩୬ ଜାଗାରେ DIGଙ୍କ ଚଢ଼ାଉ

ଡବଲ୍ ଇଞ୍ଜିନ ସରକାରରେ ଫୁଲୁଛନ୍ତି ମାଫିଆ

୩୬ ଜାଗାରେ ମେଗା ରେଡ୍

ଗୋରୁ ମାଫିଆଙ୍କ ଘରୁ ମିଳିଲା ପୁଳା ପୁଳା ଟଙ୍କା

ଛୋଟ ମାଛଙ୍କ ଉପରେ ଚଢ଼ାଉ

କେବେ ଧାରା ପଡିବ ବଡ ମାଛ ?

ରାଜ୍ୟରେ ଏବେ ସରକାର ବଦଳିଛି। ଗୋ-ମାତାଙ୍କୁ ସୁରକ୍ଷା ଦେବାର ପ୍ରତିଶ୍ରୁତି ଦେଇ ଶାସନ ଗାଦିରେ ବସିଛନ୍ତି ବିଜେପି ସରକାର। ହେଲେ ବାସ୍ତବ ଚିତ୍ର କଣ କହୁଛି ଜାଣିଛନ୍ତି? ସରକାରଙ୍କ ନାକ ତଳେ, ପ୍ରଶାସନର ଛାତି ଉପରେ ଏବେ ବି ସମାନ୍ତରାଳ ସରକାର ଚଳାଇଛନ୍ତି ଗୋ-ମାଫିଆ। ଯେତେବେଳେ ଜଣେ ନିରୀହ ଗୋ-ରକ୍ଷକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା କରାଗଲା, ସେତେବେଳେ ହଠାତ୍ ପୋଲିସର ନିଦ ଭାଙ୍ଗିଛି! ଆଉ ଏବେ ଆରମ୍ଭ ହୋଇଛି ଗୋ-ମାଫିଆଙ୍କ ଉପରେ ମେଗା ଅପରେସନ୍।

ପୂର୍ବାଞ୍ଚଳରେ ଥରିଲେଣି ଗୋ-ଚାଲାଣକାରୀ। ପୂର୍ବାଞ୍ଚଳ ଡିଆଇଜି (DIG) ପିନାକ ମିଶ୍ରଙ୍କ ନେତୃତ୍ୱରେ ବାଲେଶ୍ୱର, ଭଦ୍ରକ ଓ ମୟୂରଭଞ୍ଜ ଜିଲ୍ଲାରେ ଏକାସାଙ୍ଗେ ୩୬ଟି ସ୍ଥାନରେ ଚାଲିଛି ମାରାଥନ୍ ଚଢ଼ାଉ। ବାଲେଶ୍ୱରରେ ୧୧, ଭଦ୍ରକରେ ୮ ଏବଂ ମୟୂରଭଞ୍ଜର ୧୫ଟି ସ୍ଥାନରେ ପୋଲିସର ସ୍ୱତନ୍ତ୍ର ଟିମ୍ ପଶି ତନାଘନା କରୁଛି। ସୋର, ବାହାନଗା, ଜଳେଶ୍ୱର ଠାରୁ ଆରମ୍ଭ କରି ରାଇରଙ୍ଗପୁର, ବାଙ୍ଗିରିପୋଷି, ବୈଶିଙ୍ଗା ପର୍ଯ୍ୟନ୍ତ ସବୁଠି ଚାଲିଛି ରେଡ୍। ଆଉ ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଗୋ-ମାଫିଆଙ୍କ ଘରୁ ମିଳୁଛି କୁଢ଼ କୁଢ଼ ଟଙ୍କା, ବିପୁଳ ସୁନା ଗହଣା ଆଉ ଦାମୀ ଦାମୀ କାର୍ ଓ ବୋଲେରୋ। ପୋଲିସ କିଛି ମାଫିଆଙ୍କୁ ଅଟକ ମଧ୍ୟ ରଖିଛି।

ଏଠି ପ୍ରଶ୍ନ ଉଠୁଛି, ଯେଉଁ ରାଜ୍ୟରେ ଗୋ-ରକ୍ଷା କଥା କହି ସରକାର ଗଠନ ହୁଏ, ସେଠି ଗୋ-ମାଫିଆମାନେ ଏତେ ବଡ଼ ସାମ୍ରାଜ୍ୟ ଛିଡ଼ା କଲେ କେମିତି? ମନେ ପକାନ୍ତୁ ଗତ କିଛିଦିନ ତଳର ସେହି ଘଟଣାକୁ… ଖନ୍ତାପଡ଼ା ଥାନା ପଣପଣା ନିକଟରେ ଗୋ-ରକ୍ଷକଙ୍କ ଉପରେ ମାଫିଆମାନେ ଗାଡ଼ି ଚଢ଼ାଇ ଦେଲେ। ଜୀବନ ଚାଲିଗଲା। ସୋର ବାରିକପୁର ହାଟ ନିକଟରେ ଥିବା କୁଖ୍ୟାତ ମାଫିଆମାନେ କାହା ଛତ୍ରଛାୟାରେ ବଢ଼ୁଥିଲେ? ନିର୍ବାଚନ ବେଳେ ବଡ଼ ବଡ଼ ଭାଷଣ ଦେଉଥିବା ନେତାମାନେ, ଏହି ମାଫିଆମାନଙ୍କୁ ଦେଖିପାରୁନଥିଲେ କି? ଏବେ ପୋଲିସର ଏହି ଆକ୍ସନକୁ ଲୋକେ ସ୍ୱାଗତ କରୁଛନ୍ତି ସତ, କିନ୍ତୁ ଭୟ ରହୁଛି ଯେ ଏହା କେବଳ ଏକ ଆଇ-ୱାସ୍ (Eye-wash) ହୋଇ ନ ରହିଯାଉ।

ଆଶା କରାଯାଉଛି, ସରକାର କେବଳ ଏହି ଛୋଟ ମାଛଙ୍କୁ ଧରି ଚୁପ୍ ବସିବେ ନାହିଁ। ଏହି ବେଆଇନ କାରବାର ପଛରେ ଥିବା ବଡ଼ ବଡ଼ ରାଜନୈତିକ ବାବୁ ଓ ସିଣ୍ଡିକେଟ୍ ଚଲାଉଥିବା ଅସଲ ମାଷ୍ଟରମାଇଣ୍ଡ ମାନଙ୍କ ମୁଖା ଖୋଲିବେ।

Leave a Reply

Your email address will not be published. Required fields are marked *