\n\n\n\n\n\n\n

ଟ୍ରେନିଂ ନାଁରେ ମନମାନି..ପ୍ରଶ୍ନ ଶୁଣି ଛୁ ମାରିଲେ CDPO ମେଡମ୍!

ଟ୍ରେନିଂ ନାଁରେ ଚାଲିଛି ମନମାନି

ସାମ୍ନାକୁ ଆସିଲା ସରକାରୀ ବାବୁଆଣୀଙ୍କ ଦୁର୍ନୀତିର ଚିତ୍ର !

ପ୍ରଶ୍ନ ପଚାରିବାରୁ କ୍ୟାମେରା ଦେଖି ଦୌଡ଼ିଲେ ସିଡ଼ିପିଓ ମାଡ଼ାମ !

ପ୍ରଶ୍ନ ବାଣରେ ଘାଇଲା ମେଡମ୍, ‘ଭିସି’ ବାହାନା କରି ଖସିଗଲେ

ଦେଖନ୍ତୁ କଳାହାଣ୍ଡି ଜୟପାଟଣା CDPOଙ୍କ କଳା କାରନାମା

ସରକାରୀ ବାବୁଙ୍କ ମନମାନି ଆଉ ଦୁର୍ନୀତିର ଏକ ନଗ୍ନ ଚିତ୍ର ଏବେ ସାମ୍ନାକୁ ଆସିଛି। ଜାଗା ହେଉଛି କଳାହାଣ୍ଡି ଜିଲ୍ଲାର ଜୟପାଟଣା ବ୍ଲକ୍। ଆଉ କାଠଗଡ଼ାରେ ଅଛନ୍ତି ଜୟପାଟଣା ସିଡ଼ିପିଓ ରତ୍ନାବତୀ ବେହେରା। ଅଙ୍ଗନୱାଡି କର୍ମୀଙ୍କ ତାଲିମ ନାଁରେ କେମିତି ଚାଲିଛି ସରକାରୀ ଅର୍ଥର ବାଟମାରଣା, ତାହାର ଗୁମର ଏବେ ପଦାରେ ପଡ଼ିଛି। ଗଣମାଧ୍ୟମ ପ୍ରଶ୍ନ ପଚାରିବାରୁ ମେଡମ୍ ଏମିତି ଦୌଡ଼ିଲେ ଯେ, ତାହା ଦେଖିଲେ ଆପଣ ବି ଆଶ୍ଚର୍ଯ୍ୟ ହୋଇଯିବେ। ନଜର ପକାନ୍ତୁ ଏହି ପୂରା ରିପୋର୍ଟ ଉପରେ।

ଦୃଶ୍ୟରେ ଦେଖାଯାଉଥିବା ଏହି ମେଡମ୍ ହେଉଛନ୍ତି ଜୟପାଟଣା CDPO ରତ୍ନାବତୀ ବେହେରା। ଅଙ୍ଗନୱାଡି କର୍ମୀମାନଙ୍କୁ ଦକ୍ଷ କରିବା ପାଇଁ ଆୟୋଜିତ ହୋଇଥିଲା ତିନି ଦିନିଆ ଟ୍ରେନିଂ। କିନ୍ତୁ ଏହା ଟ୍ରେନିଂ କମ୍ ଆଉ ପ୍ରହସନ ବେଶି ଥିଲା। ଅଭିଯୋଗ ହେଉଛି, ଏହି ଶିବିର ପାଇଁ କେତେ ଟଙ୍କା ଆସିଛି ଓ କେଉଁଠି ଖର୍ଚ୍ଚ ହେଉଛି, ତାର କୌଣସି ହିସାବ ନାହିଁ। ମା’ମାନଙ୍କୁ କୌଣସି ଉପଯୁକ୍ତ ଶିକ୍ଷା ଦିଆନଯାଇ କେବଳ ଖାତା କଲମରେ ଶିବିରକୁ ସୀମିତ ରଖାଯାଇଥିବା ନେଇ ଅଙ୍ଗନୱାଡି କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖିବାକୁ ମିଳିଛି।

ସବୁଠୁ ରୋଚକ କଥା ଥିଲା ମେଡମଙ୍କ ପ୍ରତିକ୍ରିୟା। ଯେତେବେଳେ ସ୍ଥାନୀୟ ଗଣମାଧ୍ୟମ ପ୍ରତିନିଧିମାନେ ପହଞ୍ଚି ଏହି ଅନିୟମିତତା ବିଷୟରେ ସିଡ଼ିପିଓଙ୍କୁ ପଚାରିଲେ, ତାଙ୍କ ପାଟିରୁ ଉତ୍ତର ବାହାରିଲା ନାହିଁ। ଓଲଟା ସେ ସାମ୍ବାଦିକଙ୍କ ସହ ‘ତୁ ତୁ ମେ ମେ’ ହୋଇଥିଲେ। ଶେଷରେ ନିଜ ଦୋଷ ଲୁଚାଇବାକୁ ଯାଇ “ମୋର ଭିସି ଅଛି” ବୋଲି ବାହାନା କରି କ୍ୟାମେରା ଆଗରୁ ତରବର ହୋଇ ପଳାଇଯାଇଥିଲେ।

ଜୟପାଟଣା ସିଡ଼ିପିଓଙ୍କ ବିରୋଧରେ କେବଳ ଟ୍ରେନିଂ ନୁହେଁ, ତାଙ୍କ କଳା ସାମ୍ରାଜ୍ୟର ଚେର ବହୁତ ଲମ୍ବା ଥିବା ଚର୍ଚ୍ଚା ହେଉଛି। ଛତୁଆ ବଣ୍ଟନରେ ବ୍ୟାପକ ଅନିୟମିତତା ହେଉ କିମ୍ବା ଫୋଲିକ୍ ଏସିଡ୍ ବାଟିକା ଯୋଗାଣରେ ବାଟମାରଣା… ସବୁଠି ତାଙ୍କର ରାଜ୍। ଶିଶୁ ଏବଂ ଗର୍ଭବତୀ ମହିଳାଙ୍କ ସ୍ୱାସ୍ଥ୍ୟ ବିକାଶ ପାଇଁ ଆସୁଥିବା କୋଟି କୋଟି ଟଙ୍କା ଏବେ ମେଡମଙ୍କ ପକେଟ୍ ଗରମ କରୁଥିବା ସଙ୍ଗୀନ ଅଭିଯୋଗ ଆସିଛି।

ସରକାର ଗରିବ ଶିଶୁ ଓ ମହିଳାଙ୍କ ପାଇଁ ଯୋଜନା ପରେ ଯୋଜନା କରୁଛନ୍ତି, କିନ୍ତୁ ରତ୍ନାବତୀଙ୍କ ଭଳି ଅଧିକାରୀ ସେସବୁକୁ ହରିଲୁଟ୍ କରୁଛନ୍ତି। ଏହି ଖବର ପ୍ରସାରଣ ପରେ ଏବେ ପ୍ରଶ୍ନ ଉଠୁଛି, ଜିଲ୍ଲା ପ୍ରଶାସନ ଏବଂ ଉପରିସ୍ଥ ଅଧିକାରୀ ଏଭଳି ଦୁର୍ନୀତିଗ୍ରସ୍ତ ଅଧିକାରୀଙ୍କ ବିରୋଧରେ କେବେ ଏବଂ କିଭଳି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛନ୍ତି। ବ୍ୟୁରୋ ରିପୋର୍ଟ।