ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ତାରିଖ ଘୋଷଣା ହେବା ପରେ, ଏବେ କେନ୍ଦୁଝର ସରକାରୀ ମହିଳା ମହାବିଦ୍ୟାଳୟରେ ବଢିବାରେ ଲାଗିଛି ନିର୍ବାଚନୀ ଉଷ୍ମତା। ଶୁକ୍ରବାର ପ୍ରାର୍ଥୀପତ୍ର ଦାଖଲ ସମୟରେ ଉଭୟ ଛାତ୍ର ବିଜେଡି ଓ ଏବିଭିପି ପକ୍ଷରୁ ଜୋରଦାର ଶୋଭାଯାତ୍ରା ଦେଖିବାକୁ ମିଳିଥିଲା।
ଛାତ୍ର ବିଜେଡି ପ୍ରାର୍ଥୀମାନେ ମାଆ ତାରିଣୀଙ୍କ ମନ୍ଦିରରେ ପୂଜାର୍ଚ୍ଚନା କରି ଶହ ଶହ ସମର୍ଥକଙ୍କ ସହ କଲେଜକୁ ଆସିଥିଲେ। ସେହିପରି ଏବିଭିପି ଛାତ୍ରୀମାନେ କାଶୀପୁର ଲକ୍ଷ୍ମୀ ମନ୍ଦିରରେ ଆଶୀର୍ବାଦ ନେଇ ବାଜା ବଜାଇ ଏକ ବିଶାଳ ପଟୁଆରରେ ଆସି ନାମାଙ୍କନ ଭରିଥିଲେ। ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ କଲେଜରେ ସିସିଟିଭି କ୍ୟାମେରା ଲଗାଯିବା ସହ ବ୍ୟାପକ ପୋଲିସ ଫୋର୍ସ ମୁତୟନ କରାଯାଇଥିଲା।
ସଭାପତି ସମେତ ବିଭିନ୍ନ ପଦବୀ ପାଇଁ ମୋଟ ୩୮ ଜଣ ଛାତ୍ରୀ ନାମାଙ୍କନ ଦାଖଲ କରିଥିଲେ। ତେବେ ଯାଞ୍ଚ ପରେ ଆବଶ୍ୟକୀୟ ଦସ୍ତାବିଜ ଅଭାବ ଓ ବୟସଗତ କାରଣରୁ ୨ ଜଣଙ୍କ ପ୍ରାର୍ଥୀପତ୍ର ନାକଚ ହୋଇଛି। ଏବେ ମଇଦାନରେ ଅଛନ୍ତି ମୋଟ ୩୬ ଜଣ ପ୍ରାର୍ଥୀ। ଆଜି ପ୍ରାର୍ଥୀପତ୍ର ପ୍ରତ୍ୟାହାର ପରେ ଚୂଡ଼ାନ୍ତ ତାଲିକା ପ୍ରକାଶ ପାଇବ। ଆସନ୍ତା ୧୪ ତାରିଖରେ ‘ହ୍ଵାଇ ଆଇ ଷ୍ଟାଣ୍ଡ ଫର୍’, ୧୫ରେ ନିର୍ବାଚନ ଏବଂ ୧୬ ତାରିଖରେ ଅନୁଷ୍ଠିତ ହେବ ଶପଥ ଗ୍ରହଣ ଉତ୍ସବ।
