ମୋକିମଙ୍କ ଛକା, ପ୍ରଭାତଙ୍କ ଚୌକା; ଘାଇଲା ବିଜେଡ଼ି-କଂଗ୍ରେସ !

କଟକ ରାଜନୀତିରେ ହାଇ-ଭୋଲଟେଜ୍ ଡ୍ରାମା

ଗୋଟିଏ ଦିନରେ ଭୁଷୁଡିଗଲା ବିଜେଡ଼ି-କଂଗ୍ରେସ !

ଗୋଟେପଟେ ମିଶ୍ରଣ ପର୍ବ, ଅନ୍ୟପଟେ ଇସ୍ତଫା ର ଝଟକା

ଏପଟେ ମିଶୁଛନ୍ତି ସେପଟେ ଛାଡୁଛନ୍ତି !

କଟକରେ ଦୁଇ ଦଳରେ ଏବେ ବଡ଼ ଫାଟ

କଟକ ରାଜନୀତିରେ ଏବେ ହାଇ-ଭୋଲଟେଜ୍ ଡ୍ରାମା! ଗୋଟିଏ ପଟେ କଂଗ୍ରେସ ବିଧାୟକ ମହମ୍ମଦ ମୋକିମଙ୍କ ବିଶାଳ ଶକ୍ତି ପ୍ରଦର୍ଶନ, ତ ଅନ୍ୟପଟେ ବିଜେଡି ଶିବିରରେ ବଡ଼ ଧରଣର ବିଦ୍ରୋହ। ପ୍ରଭାତ ବିଶ୍ୱାଳଙ୍କୁ ବହିଷ୍କାର କରିବା ବିଜେଡି ପାଇଁ ପଡ଼ିଛି ମହଙ୍ଗା |

ଏପ୍ରିଲର ପ୍ରଥମ ଦିନରେ ହିଁ କଟକରେ ଦେଖିବାକୁ ମିଳିଛି ବଡ଼ ଧରଣର ରାଜନୈତିକ ହଲଚଲ। ପୂର୍ବତନ ବିଧାୟକ ଇଞ୍ଜିନିୟର ମହମ୍ମଦ ମୋକିମଙ୍କ ନେତୃତ୍ୱରେ ଆୟୋଜିତ ହୋଇଛି ଦୁଇଟି ବଡ଼ ମିଶ୍ରଣ ପର୍ବ। ତୁଳସୀପୁର ଖ୍ରୀଷ୍ଟିଆନ ପଡ଼ିଆ ଏବଂ ନିଶ୍ଚିନ୍ତକୋଇଲିରେ ହଜାର ହଜାର କର୍ମୀଙ୍କୁ ନେଇ ମୋକିମ ନିଜର ଦମ ଦେଖାଇଛନ୍ତି। ବାରବାଟୀ-କଟକ ବିଧାୟିକା ସୋଫିଆ ଫିରଦୋସଙ୍କ ଉପସ୍ଥିତିରେ ଶତାଧିକ ତୃଣମୂଳ ସ୍ତରର ନେତା ଓ କର୍ମୀ କଂଗ୍ରେସରେ ସାମିଲ ହୋଇଛନ୍ତି। ଏହା କେବଳ ଏକ ମିଶ୍ରଣ ପର୍ବ ନୁହେଁ, ବରଂ ଆଗାମୀ ଦିନ ପାଇଁ ଏକ ସ୍ପଷ୍ଟ ସଙ୍କେତ ବୋଲି ଚର୍ଚ୍ଚା ହେଉଛି।

କଂଗ୍ରେସ ଯେତେବେଳେ ନିଜର ସଂଗଠନ ମଜଭୁତ କରୁଛି, ସେପଟେ ଶାସକ ବିଜେଡି ପାଇଁ ଅଡୁଆ ବଢ଼ିବାରେ ଲାଗିଛି। ପୂର୍ବତନ ବିଧାୟକ ପ୍ରଭାତ ରଞ୍ଜନ ବିଶ୍ୱାଳଙ୍କୁ ଦଳରୁ ବହିଷ୍କାର କରାଯିବା ପରେ କର୍ମୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି। ପ୍ରଭାତଙ୍କ ସମର୍ଥନରେ ଆଜି ଶତାଧିକ ଛାତ୍ର, ଯୁବ କର୍ମୀ ଏବଂ ନେତା ବିଜେଡିରୁ ଗଣଇସ୍ତଫା ଦେଇଛନ୍ତି। କର୍ପୋରେଟର, କାଉନସିଲର ଓ ପଞ୍ଚାୟତ ପ୍ରତିନିଧିମାନେ ଦଳର ଶୀର୍ଷ ନେତୃତ୍ୱଙ୍କ ନିଷ୍ପତ୍ତିକୁ ଖୋଲାଖୋଲି ସମାଲୋଚନା କରିଛନ୍ତି।

କେବଳ ଯୁବ କର୍ମୀ ନୁହଁନ୍ତି, ମହିଳା ବିଜେଡିର କାର୍ଯ୍ୟକାରୀ ସଭାପତି ପୂର୍ଣ୍ଣିମା ସିଂହ ମଧ୍ୟ ଦଳରୁ ଇସ୍ତଫା ଦେଇ ରାଜନୀତିକୁ ଆହୁରି ସରଗରମ କରିଛନ୍ତି। ଯଦିଓ ସେ ନିଜକୁ ପ୍ରଭାତ ବିଶ୍ୱାଳଙ୍କ ପ୍ରସଙ୍ଗ ସହ ସିଧାସଳଖ ଯୋଡ଼ି ନାହାନ୍ତି, କିନ୍ତୁ କଟକ ବିଜେଡିରେ ଆରମ୍ଭ ହୋଇଥିବା ଏହି “ଇସ୍ତଫା ପର୍ବ” ଦଳର ଶୃଙ୍ଖଳା ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି। ମୋକିମଙ୍କ ବଢୁଥିବା ଶକ୍ତି ଏବଂ ବିଜେଡିର ଗୋଷ୍ଠୀ କନ୍ଦଳ କଟକ ରାଜନୀତିକୁ ଏକ ନୂଆ ମୋଡ଼ରେ ଠିଆ କରିଛି। ପ୍ରଭାତ ବିଶ୍ୱାଳଙ୍କ ସମର୍ଥକଙ୍କ ଏହି ବିଦ୍ରୋହ ଆଗାମୀ ସମୟରେ ବିଜେଡି ପାଇଁ କେତେ କ୍ଷତିକାରକ ହେବ, ତାହା ଦେଖିବାକୁ ବାକି ରହିଲା।

Leave a Reply

Your email address will not be published. Required fields are marked *