ଆଉ କେତେ ଜଣଙ୍କ ଜୀବନ ନେବ କଟକ ବଡ ମେଡିକାଲ ?
ଏସସିବିର ବର୍ବରତା, ଭାଇରାଲ ହେଲା ସିସିଟିଭି
ବନ୍ଧା ହେଲେ ସୁରକ୍ଷାକର୍ମୀ ଓ ଆଟେଣ୍ଡାଣ୍ଟ ! ଖୋଲିଲା ପୋଲ
କାହିଁକି ଚୁପ୍ କର୍ତ୍ତୃପକ୍ଷ ? କୁଆଡେ ଗଲା ତଦନ୍ତ ରିପୋର୍ଟ ?
ଗୋଟେ ପରେ ଗୋଟେ ଜୀବନ ନେଇ ଚାଲିଛି କଟକ ବଡ ମେଡିକାଲ | ମୁହଁ ରେ ତୁଣ୍ଡି ମାରି ବସିଛନ୍ତି ମେଡିକାଲ କର୍ତ୍ତୃପକ୍ଷ ଓ ସରକାର | ଆଉ କେତେ ଜୀବନ ଯିବ ? କେବେ ସୁଧୁରିବ ବ୍ୟବସ୍ଥା ? ରୋଗୀଙ୍କୁ ସୁରକ୍ଷା ଦେବା ବଦଳରେ, ତାଙ୍କୁ ପିଟି ପିଟି ମାରିଦେଇଛି କଟକର SCB ମେଡିକାଲ କଲେଜ ଓ ହସ୍ପିଟାଲ !
ସୂଚନା ଅନୁସାରେ, ହସ୍ପିଟାଲର ମାନସିକ ରୋଗ ବିଭାଗରେ ଚିକିତ୍ସିତ ହେଉଥିବା ଶ୍ରୀକାନ୍ତ ନାମକ ଜଣେ ରୋଗୀଙ୍କ ମୃତ୍ୟୁକୁ ନେଇ ଉଠିଛି ଗୁରୁତର ପ୍ରଶ୍ନ। ଗତ ସେପ୍ଟେମ୍ବର ୩୦ ତାରିଖରେ ତାଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ଶରୀରରେ ଏକାଧିକ ଆଘାତ ଚିହ୍ନ ଥିବା ମଧ୍ୟ ଦାବି କରାଯାଇଛି।
ଘଟଣା ଘଟିବାର ୧୦-୧୧ ଦିନ ପରେ ଆକ୍ସନ୍ ମୋଡ୍କୁ ଆସିଛି କମିଶନରେଟ୍ ପୋଲିସ। ମଙ୍ଗଳାବାଗ ଥାନା ପୋଲିସ ତଦନ୍ତ କରି ଦୁଇ ଜଣ ଆଉଟସୋର୍ସିଂ କର୍ମଚାରୀଙ୍କୁ ଗିରଫ କରିଛି। ଗିରଫ ଦୁଇ ଜଣ ହେଉଛନ୍ତି ୱାର୍ଡ ଆଟେଣ୍ଡାଣ୍ଟ ଜଗନ୍ନାଥ ରାଓ ଏବଂ ସିକ୍ୟୁରିଟି ଗାର୍ଡ ଦିଲୀପ କୁମାର ପ୍ରଧାନ।
କିନ୍ତୁ ଏଠି ସବୁଠାରୁ ବଡ଼ ପ୍ରଶ୍ନ—କ’ଣ ଘଟିଥିଲା ସେହି ଦିନ? କେଉଁ ପରିସ୍ଥିତିରେ ଜଣେ ଚିକିତ୍ସାଧୀନ ରୋଗୀଙ୍କ ଜୀବନ ଚାଲିଗଲା? CCTV ଫୁଟେଜ୍ ଏବଂ ଶବ ବ୍ୟବଚ୍ଛେଦ ରିପୋର୍ଟକୁ ଆଧାର କରି ପୋଲିସ ତଦନ୍ତ ଆଗକୁ ବଢ଼ାଇଛି। ପରିବାରର ଅଭିଯୋଗ ପରେ ଦୁଇ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରାଯାଇଥିବା ସୂଚନା ମିଳିଛି।
ତେବେ ଏହି ଘଟଣାକୁ ନେଇ ସାଧାରଣ ଲୋକଙ୍କ ମନରେ ଉଠିଛି ଅନେକ ପ୍ରଶ୍ନ |
ଏହି ଘଟଣାରେ ଆଉ କାହାର ସଂପୃକ୍ତି ଅଛି କି?
ରୋଗୀଙ୍କ ସୁରକ୍ଷା ଦାୟିତ୍ୱରେ ଥିବା ଅନ୍ୟ କର୍ମଚାରୀମାନେ କ’ଣ କରୁଥିଲେ?
ହସ୍ପିଟାଲର ନିରୀକ୍ଷଣ ବ୍ୟବସ୍ଥା କେତେ ସକ୍ରିୟ ଥିଲା?
ସରକାରୀ ହସ୍ପିଟାଲ କେବଳ ଚିକିତ୍ସାର କେନ୍ଦ୍ର ନୁହେଁ, ଏହା ହେଉଛି ଅସହାୟ ଲୋକଙ୍କ ଶେଷ ଭରସା। ବିଶେଷକରି ମାନସିକ ରୋଗ ବିଭାଗରେ ଥିବା ରୋଗୀମାନେ ନିଜ ସୁରକ୍ଷା ପାଇଁ ଅନ୍ୟମାନଙ୍କ ଉପରେ ନିର୍ଭର କରନ୍ତି। ସେଠାରେ ଯଦି ଏଭଳି ବର୍ବର କାଣ୍ଡ ଘଟେ ତେବେ ରୋଗୀ ଯିବେ କେଉଁଠିକି ?
ହେଲେ ଏହି ସମସ୍ତ ଘଟଣା ପରେ ବି ମୁହଁ ରେ ତୁଣ୍ଡି ମାରି ବସିଛନ୍ତି ସରକାର ଓ ହସ୍ପିଟାଲ କର୍ତ୍ତୃପକ୍ଷ |
ରୋଗୀଙ୍କ ସୁରକ୍ଷା ପାଇଁ କି ପଦକ୍ଷେପ ନିଆଯାଉଛି?
ଆଉଟସୋର୍ସିଂ କର୍ମଚାରୀଙ୍କ ନିଯୁକ୍ତି, ପ୍ରଶିକ୍ଷଣ ଓ ତଦାରଖ କିପରି ହୋଇଥିଲା?
ଏପରି ଅଭିଯୋଗର ପୁନରାବୃତ୍ତି ରୋକିବାକୁ କିଏ ଦାୟିତ୍ୱ ନେବ?
ଦୁଇ ଜଣଙ୍କ ଗିରଫ ନିଶ୍ଚିତ ଭାବେ ତଦନ୍ତର ଏକ ପଦକ୍ଷେପ। କିନ୍ତୁ ଶ୍ରୀକାନ୍ତ ଙ୍କ ପରିବାରଙ୍କୁ ନ୍ୟାୟ ସେତେବେଳେ ମିଳିବ, ଯେତେବେଳେ ସମସ୍ତ ତଥ୍ୟ ସାମ୍ନାକୁ ଆସିବ, ଦୋଷୀ ପ୍ରମାଣିତ ବ୍ୟକ୍ତିଙ୍କ ବିରୋଧରେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ହେବ ଏବଂ ହସ୍ପିଟାଲରେ ରୋଗୀଙ୍କ ସୁରକ୍ଷା ସୁନିଶ୍ଚିତ ହେବ। ଏବେ ସମସ୍ତଙ୍କ ନଜର ପୋଲିସ ତଦନ୍ତ ଉପରେ। SCBର ଏହି ଘଟଣାରେ ସତ ସାମ୍ନାକୁ ଆସିବ କେବେ? ଆଉ କାହାର ଦାୟିତ୍ୱହୀନତା ପାଇଁ ଏପରି ଅଭିଯୋଗ ଉଠିଲା? ତାହା ଦେଖିବାକୁ ବାକି ରହିଲା |
