ଚାପୁଡ଼ା ମାରି କୋଟିଏ ଟଙ୍କା କମାଇଲେ ହରଭଜନ !

ଆଇପିଏଲ୍ ମଇଦାନରେ ଚୌକା-ଛକାର ବର୍ଷା ଭିତରେ ହଠାତ୍ ମୁଣ୍ଡ ଟେକିଛି ଏକ ପୁରୁଣା ବିବାଦ। ଯେଉଁ ବିବାଦ ୧୬ ବର୍ଷ ତଳର କ୍ଷତକୁ ପୁଣି ଥରେ ତାଜା କରିଦେଇଛି। ପଡ଼ିଆ ଭିତରେ ଯେଉଁମାନେ ଦିନେ ଭାଇ-ଭାଇ ଥିଲେ, ଆଜି ସେମାନେ ମୁହାଁମୁହିଁ। ଜଣେ ଅନ୍ୟ ଜଣଙ୍କୁ ସୋସିଆଲ ମିଡିଆରେ ବ୍ଲକ୍ କରିସାରିଛନ୍ତି। ଘଟଣାଟି ହେଉଛି ୨୦୦୮ ମସିହାର ସେହି କୁଖ୍ୟାତ ‘ସ୍ଲାପ୍ ଗେଟ୍’ ମାମଲା। ଯେଉଁଠି ହରଭଜନ ସିଂଙ୍କ ଚାପୁଡ଼ା ମାଡ଼ରେ କାନ୍ଦି ପକାଇଥିଲେ ଏସ୍. ଶ୍ରୀସନ୍ଥ। ସମୟ ବଦଳିଲା, ଦୁହେଁ ପରସ୍ପରକୁ କ୍ଷମା ବି କଲେ। କିନ୍ତୁ ଏବେ ଶ୍ରୀସନ୍ଥ ଆଣିଥିବା ଏକ ସାଂଘାତିକ ଅଭିଯୋଗ ପୁଣି ଥରେ କ୍ରିକେଟ ଜଗତରେ ହଇଚଇ ସୃଷ୍ଟି କରିଛି। ଶ୍ରୀସନ୍ଥଙ୍କ କହିବା କଥା, ହରଭଜନ ସିଂ ସେହି ଅପମାନଜନକ ଘଟଣାକୁ ନେଇ କୋଟିଏ ଟଙ୍କା କମାଇଛନ୍ତି। ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଏହା ସତ! ଏକ ନିକଟତର ସାକ୍ଷାତକାରରେ ଶ୍ରୀସନ୍ଥ ଦାବି କରିଛନ୍ତି ଯେ, ସ୍ଲାପ୍ ଗେଟ୍ ମାମଲା ଉପରେ ଆଧାରିତ ଏକ ବିଜ୍ଞାପନ ପାଇଁ ଭଜି ପ୍ରାୟ ୮୦ ଲକ୍ଷରୁ ୧ କୋଟି ଟଙ୍କା ନେଇଛନ୍ତି। କେବଳ ସେତିକି ନୁହେଁ, ସେହି ବିଜ୍ଞାପନକୁ ଶ୍ରୀସନ୍ଥଙ୍କ ଇନଷ୍ଟାଗ୍ରାମରେ ସେୟାର କରିବାକୁ ମଧ୍ୟ କୁହାଯାଇଥିଲା। ଏହି କଥାକୁ ସହଜରେ ଗ୍ରହଣ କରିପାରିନାହାନ୍ତି ଶ୍ରୀସନ୍ଥ। ସେ ସ୍ପଷ୍ଟ କହିଛନ୍ତି— “ମୁଁ କ୍ଷମା କରିଛି, ହେଲେ ଭୁଲି ନାହିଁ।” ଯଦି ଆଜି ମୁଁ ଚୁପ୍ ରୁହେ, ତେବେ ହରଭଜନ ପୁଣି ଏମିତି କରିବେ। ପୂର୍ବରୁ ଯାହାକୁ ‘ଭାଇ’ ବୋଲି ସମ୍ବୋଧନ କରୁଥିଲେ, ଏବେ ସେହି ହରଭଜନଙ୍କ ସହ ସବୁ ସମ୍ପର୍କ ଛିନ୍ନ କରିଛନ୍ତି ଶ୍ରୀସନ୍ଥ। ରାଗରେ ସେ ଭଜିଙ୍କୁ ଇନଷ୍ଟାଗ୍ରାମରେ ବ୍ଲକ୍ ମଧ୍ୟ କରିଦେଇଛନ୍ତି।

Leave a Reply

Your email address will not be published. Required fields are marked *