ରାଜ୍ୟରୁ କୁପୋଷଣ ହଟାଇ ଶିଶୁମାନଙ୍କୁ ସୁସ୍ଥ ଓ ସବଳ କରିବା ପାଇଁ ଜୋରଦାର୍ ଚାଲିଛି ‘ସୁପୋଷିତ ଓଡ଼ିଶା ମିଶନ୍’। କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ବ୍ଲକ୍ ପର୍ଲା ଅଙ୍ଗନୱାଡ଼ି କେନ୍ଦ୍ର-୨ରେ ଏହି ଅଭିଯାନ ମାଧ୍ୟମରେ ଶିଶୁଙ୍କ ପୋଷଣ ସ୍ଥିତିର ଟିକନିଖି ଯାଞ୍ଚ କରାଯାଉଛି। ବୟସ ଅନୁସାରେ ପିଲାଙ୍କ ଓଜନ ଓ ଉଚ୍ଚତା ଠିକ୍ ରହୁଛି କି ନାହିଁ, ତାହାର ମାପ ନିଆଯାଇ ଦୁର୍ବଳ ଥିବା ଶିଶୁଙ୍କୁ ଚିହ୍ନଟ କରାଯାଉଛି।
ଚଳିତ ବର୍ଷ ଏହି ମିଶନ୍ରେ ସାମିଲ୍ ହୋଇଛନ୍ତି NSS ଛାତ୍ରୀ। ସେମାନେ ପିଲାଙ୍କ ମାପ ନେବା ସହ ସମସ୍ତ ତଥ୍ୟକୁ ସିଧାସଳଖ ଡିଜିଟାଲ୍ ଆକାରରେ ଅପଲୋଡ୍ କରୁଛନ୍ତି, ଯାହାଦ୍ୱାରା ସଠିକ୍ ସମୟରେ ତଥ୍ୟ ମିଳିପାରୁଛି।
ତେବେ ଶିଶୁଙ୍କୁ କୁପୋଷଣରୁ ଦୂରେଇ ରଖିବା କେବଳ ପ୍ରଶାସନର କାମ ନୁହେଁ। ଅଭିଭାବକମାନେ ନିଜ ପିଲାଙ୍କୁ ସଠିକ୍ ସମୟରେ ପୁଷ୍ଟିକର ଖାଦ୍ୟ ଦେବା ସହ ପରିଷ୍କାର ପରିଚ୍ଛନ୍ନତା ପ୍ରତି ସଚେତନ ହେବା ମଧ୍ୟ ନିତାନ୍ତ ଜରୁରୀ। ସମସ୍ତଙ୍କ ମିଳିତ ପ୍ରୟାସରେ ହିଁ ଗଢ଼ି ଉଠିବ ସୁସ୍ଥ ଶିଶୁ, ସୁସ୍ଥ ପରିବାର ଏବଂ ସୁସ୍ଥ ଓଡ଼ିଶା।
