\n\n\n\n\n\n\n

ଜିଲ୍ଲା ପ୍ରଶାସନ ୱେବସାଇଟ୍ ରେ ସରକାରୀ ଓଡ଼ିଆ ଭାଷା ବିଷୟବସ୍ତୁରେ ବ୍ୟାପକ ତ୍ରୁଟିକୁ ନେଇ ଚର୍ଚ୍ଚା

ବାଲେଶ୍ଵର ଜିଲ୍ଲା ୱେବସାଇଟ୍‌ରେ ମାଳମାଳ ଭୁଲ୍।
ସଂସ୍କୃତି ତଥ୍ୟରେ ବଡ଼ ଅସଙ୍ଗତି।
ବନାନ ଓ ବାକ୍ୟରେ ତ୍ରୁଟି।
ବିଶିଷ୍ଟ ବ୍ୟକ୍ତିଙ୍କୁ ଅସମ୍ମାନ ଅଭିଯୋଗ।
ଓଡ଼ିଆ ଲେଖାରେ ଏ କି ଅବସ୍ଥା

ବାଲେଶ୍ଵର : ଗୋଟିଏ ପଟେ ଓଡ଼ିଆ ଭାଷା ଓ ଅସ୍ମିତାର ସୁରକ୍ଷା ପାଇଁ ସରକାରୀ ସ୍ତରରେ ବ୍ୟାପକ ପ୍ରୟାସ ଚାଲିଥିବା ବେଳେ, ଅନ୍ୟପଟେ ଜିଲ୍ଲା ପ୍ରଶାସନର ସରକାରୀ ୱେବସାଇଟ୍ ଏବେ ପ୍ରଶ୍ନଘେରକୁ ଆସିଛି। ଜିଲ୍ଲାର ଅଫିସିଆଲ୍ ୱେବସାଇଟ୍‌ରେ ଥିବା ପର୍ଯ୍ୟଟନ ଓ ସଂସ୍କୃତି ବିଭାଗରେ ପ୍ରକାଶିତ ଓଡ଼ିଆ ତଥ୍ୟରେ ପ୍ରଚୁର ବନାନ ଏବଂ ବାକ୍ୟ ଗଠନଗତ ତ୍ରୁଟି ଦେଖିବାକୁ ମିଳିଛି।ୱେବସାଇଟ୍‌ରେ ଜିଲ୍ଲା ପ୍ରଶାସନର ଅଫିସିଆଲ୍‌ ୱେବ୍‌ସାଇଟ୍‌ର ‘ପର୍ଯ୍ୟଟନ’ ବିଭାଗ ଅଧୀନରେ ଥିବା ‘ସଂସ୍କୃତି ଏବଂ ଐତିହ୍ୟ’ ଅଂଶରେ ବାଲେଶ୍ୱର ଜିଲ୍ଲାର ଐତିହ୍ୟ, ଧାର୍ମିକ ପୀଠ, ପର୍ବପର୍ବାଣୀ ଓ ଭାଷା ଆନ୍ଦୋଳନ ସମ୍ପର୍କରେ ଲେଖାଯାଇଛି। ତେବେ ଏହି ଲେଖାରେ ‘ସଂକୃତି’, ‘ପ୍ରଶିଦ୍ଧ’, ‘ସସୁନ୍ଦର ’, ‘ବସ କରନ୍ତି’, ‘ସଂସ୍କୃତି ବଜାଇ ରଖନ୍ତି’, ‘ଅନୁମକରିହୁଏ’, ‘ଶତାବଧୀ ’, ‘ଶିବା ମନ୍ଦିର’, ‘ପ୍ରଶିଧ୍ୟ’, ‘ଗୁପ୍ତା ବଂଶ ରାଜୁତି’, ‘ଜିତୀୟ ନରାଶିନ୍ହ ଦେବ’, ‘ମହଶିବ ରାତ୍ରି’, ‘ଡୋଳ ପୁର୍ଣିମା’, ‘କ୍ରିଷ୍ଟମାସ’, ‘ଭାଷା ଆନ୍ଦଲନ’,‘ଉଲେଖନୀୟ’ ଭଳି ଅନେକ ଶବ୍ଦ ତ୍ରୁଟିପୂର୍ଣ୍ଣ ଭାବେ ଲେଖାଯାଇଥିବା ଦେଖାଯାଇଛି।କେବଳ ବନାନ ନୁହେଁ, ବିଭିନ୍ନ ବାକ୍ୟର ଗଠନ ଓ ଅର୍ଥ ପ୍ରକାଶରେ ମଧ୍ୟ ଅସଙ୍ଗତି ଥିବା ଦେଖାଯାଇଛି। ଉଦାହରଣ ସ୍ୱରୂପ, ବୌଦ୍ଧ ଓ ଜୈନ ଧର୍ମ ସମ୍ପର୍କିତ ଐତିହାସିକ ତଥ୍ୟ ବର୍ଣ୍ଣନା କରିବା ସମୟରେ ଅନେକ ବାକ୍ୟ ଅସ୍ପଷ୍ଟ ଓ ଅସ୍ୱାଭାବିକ ଭାବେ ଲେଖାଯାଇଛି।ପ୍ରମୁଖ ଧାର୍ମିକ ସ୍ଥଳୀ ଏବଂ ଐତିହାସିକ ଘଟଣାବଳୀର ବନାନ ମଧ୍ୟ ବିକୃତ ହୋଇ ରହିଛି।ସବୁଠାରୁ ଆଶ୍ଚର୍ଯ୍ୟଜନକ କଥା ହେଉଛି, ଯୁଗପ୍ରବର୍ତ୍ତକ ସାହିତ୍ୟିକ ତଥା ବରପୁତ୍ର ଫକୀର ମୋହନ ସେନାପତିଙ୍କ ନାମ ଓ ତାଙ୍କ ସୃଷ୍ଟିର ବିବରଣୀ ଲେଖିବାରେ ମଧ୍ୟଘୋର ଅବହେଳା ଦେଖାଦେଇଛି। ତାଙ୍କ ନାମ ସହ ସାଧାରଣ ସମ୍ମାନସୂଚକ ଶବ୍ଦ ବ୍ୟବହାର ନକରିବା ଏବଂ ଐତିହାସିକ ପ୍ରକାଶନଗୁଡ଼ିକର ତଥ୍ୟ ଭୁଲ୍ ଭାବେ ଉପସ୍ଥାପନ କରାଯିବା ଘଟଣାକୁ ନେଇ ସାଧାରଣରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ଏକ ସରକାରୀ ପୋର୍ଟାଲ୍ ଯେଉଁଠାରୁ ଦେଶ ତଥା ବିଦେଶର ଲୋକେ ଜିଲ୍ଲାର ସଂସ୍କୃତି, ଭାଷା ଓ ଇତିହାସ ବିଷୟରେ ଜାଣିବାକୁ ଚେଷ୍ଟା କରନ୍ତି, ସେଠାରେ ଏପରି ମାଳ ମାଳ ତ୍ରୁଟି ରହିବା ନିଶ୍ଚିତ ଭାବେ ଚିନ୍ତାଜନକ। ଏହା ସିଧାସଳଖ ଭାବେ ଆମ ଭାଷାର ଗୁରୁତ୍ୱ ଓ ପ୍ରଶାସନିକ ସଚେତନତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି।ଏହି ୱେବସାଇଟ୍‌ରେ ଥିବା ସମସ୍ତ ବିଷୟବସ୍ତୁକୁ ଯଥାଶୀଘ୍ର କୌଣସି ଦକ୍ଷ ଭାଷାବିତ୍ ବା ଓଡ଼ିଆ ଭାଷା ବିଶେଷଜ୍ଞଙ୍କ ଦ୍ୱାରା ଯାଞ୍ଚ କରାଯାଇ ପୁନଃ ସଂଶୋଧନ କରାଯିବା ନିତାନ୍ତ ଜରୁରୀ। ଜିଲ୍ଲାର ଗୌରବମୟ ଇତିହାସ ଓ ବରପୁତ୍ରମାନଙ୍କ ପ୍ରତି ସମ୍ମାନ ଜଣାଇ ସରକାରୀ ତଥ୍ୟ ଯେପରି ସମ୍ପୂର୍ଣ୍ଣ ନିର୍ଭୁଲ ହେବ, ସେଥିପ୍ରତି ପ୍ରଶାସନ ତୁରନ୍ତ ଧ୍ୟାନ ଦେବା ଆବଶ୍ୟକ।