ନିଜେ ଦଳ ଗଢିବେ କି ଦିବ୍ୟା ମିତ୍ତଲ ?
ଏତେ ଦିନ ଚୁପ ରହିବା ପରେ
କାହିଁକି କହିଲେ କୌଣସି ଦଳ ସହ ମିଶିବେ ନାହିଁ..
ଲୋକଙ୍କ ପାଇଁ ଲଢିବେ କେମିତି ?
କଣ ଏକୁଟିଆ ଦିବ୍ୟା ମିତ୍ତଲ ପରିବର୍ତ୍ତନ କରିପାରିବେ ?
ମୁଁ ଦିବ୍ୟା ମିତ୍ତଲ… ମୁଁ ସେହିମାନଙ୍କ ଆବାଜ୍ ହେବାକୁ ଚାହେଁ, ଯାହାର ସ୍ୱର ସରକାରୀ ଦପ୍ତରରେ ଶୁଣାଯାଏ ନାହିଁ! ମୋତେ ଦେଶର ୮୦ ବର୍ଷର ସ୍ୱାଧୀନତାର ହିସାବ ଦରକାର! କାରଣ… ନ୍ୟାୟ କୌଣସି କୃପା ନୁହେଁ, ନ୍ୟାୟ ହେଉଛି ଅଧିକାର! ମୁଁ କୌଣସି ଦଳ ସହ ନୁହେଁ ଲୋକଙ୍କ ଦଳ ସହ ନିଜ ଦଳ ଗଠନ କରିବି…
ଏମିତି କିଛି ଦମଦାର ଏବଂ କଡ଼ା ଶବ୍ଦ ସହ ରାଜନୀତିରେ ପାଦ ଥାପିବାକୁ ଯାଉଛନ୍ତି ପୂର୍ବତନ ଆଇଏଏସ ଅଫିସର ଦିବ୍ୟା ମିତ୍ତଲ। ଆଇଏଏସ ଚାକିରିରୁ ଇସ୍ତଫା ଦେବା ପରେ ଏକ ଭିଡିଓ ବାର୍ତ୍ତା ଜରିଆରେ ସେ ସିଧାସଳଖ ସିଷ୍ଟମକୁ ଟାର୍ଗେଟ କରିଛନ୍ତି। ସବୁଠୁ ବଡ଼ କଥା ହେଲା, ଇସ୍ତଫା ଦେବା ପରେ ତାଙ୍କ ସହ କ’ଣ ଘଟିଥିଲା, ସେ ନେଇ ସେ ଏକ ବଡ଼ ଖୁଲାସା କରିଛନ୍ତି। ସେ କହିଛନ୍ତି ଯେ ଇସ୍ତଫା ଦେବାର କିଛି ଘଣ୍ଟା ଭିତରେ ହିଁ ତାଙ୍କୁ ଡରାଇବା ପାଇଁ ଅପପ୍ରଚାର ଆରମ୍ଭ ହୋଇଯାଇଥିଲା। ଏକ ବଡ଼ ଦଳର ପ୍ରବକ୍ତା ମିଛ ଖବର ଖେଳାଇଲେ ଯେ ସେ ରାତି ଅନ୍ଧାରରେ ଅନ୍ୟ ଏକ ଦଳର ବଡ଼ ନେତାଙ୍କୁ ଭେଟିଛନ୍ତି, ଯାହାକି ସମ୍ପୂର୍ଣ୍ଣ ମିଛ ଥିଲା। କୌଣସି ଭଲ ଲୋକ ଯେପରି ରାଜନୀତିକୁ ନଆସିବେ, ସେଥିପାଇଁ ଏମାନେ ଏଫଆଇଆର (FIR) ଏବଂ ଟ୍ରୋଲ୍ସ (Trolls) ମାଧ୍ୟମରେ ସାଧାରଣ ଲୋକଙ୍କୁ ଡରାଇଥାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି।
ସାଧାରଣ ଲୋକଙ୍କ ଦୁର୍ଦ୍ଦଶା ବର୍ଣ୍ଣନା କରି ସେ ସରକାରୀ ବ୍ୟବସ୍ଥାର ପୋଲ୍ ଖୋଲିଛନ୍ତି। ଗୋଟିଏ ଗାଁରେ ସ୍କୁଲ୍ ନିର୍ମାଣ ପାଇଁ ଅନୁମୋଦନ ମିଳିବାର ୩ ବର୍ଷ ପରେ ବି କେବଳ ‘ଇଚ୍ଛାଶକ୍ତି’ ଏବଂ ‘ଉଦ୍ଦେଶ୍ୟ’ ଅଭାବରୁ ତାହା ନିର୍ମାଣ ହୋଇପାରିଲା ନାହିଁ ବୋଲି ସେ କ୍ଷୋଭ ପ୍ରକାଶ କରିଛନ୍ତି। ଭୂମିହୀନ ଗରିବ ଲୋକଙ୍କୁ ସରକାରୀ ଜମିର କାଗଜପତ୍ର ମିଳୁଛି, ହେଲେ କବଜା ମିଳୁନାହିଁ। ଉପରିସ୍ଥ ଅଧିକାରୀଙ୍କ ବାରଣ ଥିବା ଦର୍ଶାଇ ସେମାନଙ୍କୁ ନ୍ୟାୟରୁ ବଞ୍ଚିତ କରାଯାଉଛି ବୋଲି ସେ କହିଛନ୍ତି। ଆଜି ବି ହଜାର ହଜାର ଗାଁରେ ରାସ୍ତା ନାହିଁ, ବର୍ଷା ହେଲେ ଗାଁ ଟାପୁ ପାଲଟିଯାଉଛି। ପିଲାମାନେ କାଦୁଅ ରାସ୍ତାରେ ସ୍କୁଲ ଯାଉଛନ୍ତି ଆଉ ଦୁର୍ଘଟଣାର ଶିକାର ହୋଇ ରକ୍ତାକ୍ତ ହେଉଛନ୍ତି, ଯାହାକି ଦୁର୍ଘଟଣା ନୁହେଁ ବରଂ ପ୍ରଶାସନର ଖାମଖିଆଲି ନିଷ୍ପତ୍ତି ବୋଲି ସେ କହିଛନ୍ତି।
ଯୁବବର୍ଗ ଏବଂ ଛାତ୍ରଛାତ୍ରୀଙ୍କ ଭବିଷ୍ୟତକୁ ନେଇ ସେ ଚିନ୍ତା ପ୍ରକାଶ କରିଛନ୍ତି। ପିଲାମାନେ ଦିନରାତି ପରିଶ୍ରମ କରି ପଢୁଛନ୍ତି, ହେଲେ ପେପର୍ ଲିକ୍ ହୋଇଯାଉଛି ଆଉ ସେମାନଙ୍କୁ ୫ ବର୍ଷ କୋର୍ଟରେ ଲଢିବାକୁ ପଡୁଛି। ଜଣେ କୃଷକ ନିଜ ଜମି ବନ୍ଧା ପକାଇ ଏବଂ ଜଣେ ମା’ ନିଜ ଗହଣା ବିକି ପିଲାଙ୍କୁ ଇଞ୍ଜିନିୟରିଂ ଓ କୋଡିଂ ପଢାଉଛନ୍ତି, କିନ୍ତୁ ଏଆଇ (AI) ଆସିବା ପରେ ସେମାନଙ୍କ ଭବିଷ୍ୟତ କ’ଣ ହେବ ତାହାର ଚିନ୍ତା ନା କୌଣସି ନେତାଙ୍କର ଅଛି ନା ପ୍ରଶାସନର।
ଏହି ସବୁ ବ୍ୟବସ୍ଥାକୁ ବଦଳାଇବା ପାଇଁ ଦିବ୍ୟା ମିତ୍ତଲ ଏକ ନୂଆ ରାସ୍ତା ବାଛିଛନ୍ତି। ସେ କୌଣସି ପ୍ରତିଷ୍ଠିତ ରାଜନୈତିକ ଦଳରେ ମିଶିବେ ନାହିଁ, କାରଣ ଯେଉଁ ଝଣ୍ଡା ତଳେ ୮୦ ବର୍ଷ ଧରି ହିସାବ ବଦଳିଲା ନାହିଁ, ସେଠାରେ ଥାଇ ହିସାବ ମାଗିହେବ ନାହିଁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି। ଉତ୍ତରପ୍ରଦେଶର ମାଟିରୁ ସେ ନିଜର ନୂଆ ରାଜନୈତିକ ଯାତ୍ରା ଆରମ୍ଭ କରିବେ ଏବଂ ନିଜେ ଏକ ନୂଆ ଦଳ ଗଠନ କରିବେ। ଶିକ୍ଷକ, ଡାକ୍ତର, କୃଷକ, ମଜଦୁର, ଓକିଲ ଏବଂ ଛାତ୍ରଛାତ୍ରୀମାନଙ୍କୁ ତାଙ୍କ ସହ ସିଧାସଳଖ ଯୋଡି ହେବା ପାଇଁ ସେ ଏକ ହ୍ୱାଟ୍ସଆପ୍ ନମ୍ବର ‘୯୧-୯୮-୯୫୬-୯୫୭’ ଜାରି କରିଛନ୍ତି। ୮୦ ବର୍ଷ ଧରି ଯେଉଁ ମସିହାକୁ ଲୋକେ ଖୋଜୁଛନ୍ତି, ଆମେ ନିଜେ ହିଁ ସେହି ମସିହା ହେବା ବୋଲି ସେ ଆହ୍ୱାନ ଦେଇଛନ୍ତି।
