ଯେଉଁ ହାତ ସାରା ଦୁନିଆର ପେଟ ପୋଷେ… ଆଜି ସେହି ହାତ ନିଜ ମୁଣ୍ଡରେ ବାଜିଛି। ଆଖିରୁ ଲୁହ ଶୁଖୁନି, ଅଥଚ ତାଙ୍କରି ଝାଳବୁହା ଧାନ ଉପରେ ଚାଲିଛି ସିଷ୍ଟମ୍ର ‘କମ୍ବଳ ଘୋଡ଼ା ନିଦ’। ଦୃଶ୍ୟ କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଛୋରିଆଗଡ଼ ଧାନ ମଣ୍ଡିର। ଖୋଲା ଆକାଶ ତଳେ ପଡ଼ି ରହିଛି ହଜାର ହଜାର କ୍ୱିଣ୍ଟାଲ୍ ସୁନା ରଙ୍ଗର ଧାନ। ଅଦିନିଆ ବର୍ଷା ମାଡ଼ରେ ବସ୍ତା ଭିତରେ ଧାନ ଗଜା ହେଲାଣି, କିନ୍ତୁ ଉଠାଇବାକୁ କାହାରି ଦେଖା ନାହିଁ।
ଚାଷୀର ନିଦ ହଜିଯାଇଥିବା ବେଳେ… ଏବେ ସ୍କ୍ରିନ୍ରେ ଦେଖନ୍ତୁ ଏହି ଦୃଶ୍ୟକୁ! ଇଏ ହେଉଛନ୍ତି ମଣ୍ଡିର ‘ଧାନ କିଣା ବାବୁ’। ଚାଷୀର ଭାଗ୍ୟକୁ ଭଗବାନଙ୍କ ଭରସାରେ ଛାଡିଦେଇ ବାବୁ କିପରି ସରକାରୀ ଚୌକି ଉପରେ ‘କୁମ୍ଭକର୍ଣ୍ଣ ନିଦ୍ରା’ରେ ଶୋଇଛନ୍ତି ଦେଖନ୍ତୁ। ଗୋଟିଏ ପଟେ ଟୋକନ୍ର ସମୟସୀମା ସରି ସରି ଆସୁଛି, ଅନ୍ୟପଟେ ୯ ଜଣ ମିଲର୍ସଙ୍କ ମଧ୍ୟରୁ ମଣ୍ଡିକୁ ଆସିଛି ମାତ୍ର ଗୋଟିଏ ଟ୍ରକ୍! ତାହେଲେ ବାକି ଧାନ ଯିବ କେଉଁଠିକି? କିଏ ଖେଳୁଛି ଚାଷୀଙ୍କ ପେଟ ସହ ଏହି ‘ଡବଲ୍ ଗେମ୍’?
ବାବୁଙ୍କୁ ପ୍ରଶ୍ନ କଲେ ଉତ୍ତର ମିଳୁନି, ଆଉ ମିଲର୍ସଙ୍କ ଦେଖା ନାହିଁ। ପ୍ରଶାସନର ଏହି ଲୁଚକାଳି ଖେଳ ଭିତରେ ବଳି ପଡ଼ିଯାଉଛି ମେହନତୀ ଅନ୍ନଦାତା। ଯଦି ବର୍ଷା ଆହୁରି ବଢ଼େ, ତେବେ ଏ ନଷ୍ଟ ଧାନର କ୍ଷତିପୂରଣ ଦେବ କିଏ? ଶୋଇଥିବା ପ୍ରଶାସନ ନା ନିରବ ସରକାର?
ବଡ଼ ପ୍ରଶ୍ନ— କଳାହାଣ୍ଡିରେ ଚାଷୀଙ୍କ ଏହି ‘ଲୁହର ମଣ୍ଡି’ କେବେ ବନ୍ଦ ହେବ? କେବେ ଭାଙ୍ଗିବ ସରକାରଙ୍କ ନିଦ୍ରା?
