\n\n\n\n\n\n\n

ରାଜ୍ୟପାଳ ନା ବିଜେପି ନେତା? ବିବାଦ ପରେ କହିଲେ—ମୁଁ କହିନି!

ରାଜ୍ୟପାଳ ନା ବିଜେପି ନେତା

ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ଟାଣିଲେ ନିଜେ ରାଜ୍ୟପାଳ

ବିବାଦ ବଢିବାରୁ , ସ୍ପଷ୍ଟୀକରଣ ଦେଲେ ରାଜ୍ୟପାଳ !

ବିଜେପି ପାଇଁ ଭୋଟ୍ ମାଗିବା କଥାରେ ଖୋଲିଲେ ମୁହଁ !

ବିଜେପି ମୋର ପୁଞ୍ଜ, ତା ପ୍ରତି ମୋର ସର୍ବଦା ଆଗ୍ରହ ଓ ପ୍ରେମ ରହିବ…

ରାଜ୍ୟପାଳଙ୍କ ବୟାନରେ ଏବେ ରାଜନୈତିକ ଝଡ଼ !

ରାଜ୍ୟପାଳଙ୍କ ଚେୟାରରେ ବସିବା ପୂର୍ବରୁ ଦଳୀୟ ରାଜନୀତିର ଚର୍ଚ୍ଚା! ବିଜେପି ପାଇଁ ଭୋଟ୍ ବଢ଼ାଇବାର କଥା କହିଥିଲେ କି ଓଡ଼ିଶାର ନୂଆ ରାଜ୍ୟପାଳ? ନା ବୟାନକୁ ନେଇ ଉଠିଥିବା ବିବାଦ ପରେ ବଦଳିଗଲା ତାଙ୍କ ସ୍ପଷ୍ଟୀକରଣ?

ଓଡ଼ିଶାର ନବନିଯୁକ୍ତ ରାଜ୍ୟପାଳ ବ୍ରଜମୋହନ ରାମଙ୍କୁ ନେଇ ଏବେ ରାଜ୍ୟ ରାଜନୀତିରେ ଜୋରଦାର ଚର୍ଚ୍ଚା। ଆଉ ଏହି ଚର୍ଚ୍ଚାର କେନ୍ଦ୍ରରେ ରହିଛି ଗୋଟିଏ ବଡ଼ ପ୍ରଶ୍ନ—ରାଜ୍ୟପାଳଙ୍କ ଆସନରେ ବସିବା ପରେ ଦଳୀୟ ଆନୁଗତ୍ୟ ନା ସାମ୍ବିଧାନିକ ନିରପେକ୍ଷତା, କାହାକୁ ମିଳିବ ପ୍ରାଥମିକତା?

ସୂଚନା ଅନୁଯାୟୀ, ରାଜ୍ୟପାଳ ଭାବେ ଦାୟିତ୍ୱ ଗ୍ରହଣ ପୂର୍ବରୁ ରାଞ୍ଚିରେ ଏକ ସାକ୍ଷାତକାର ସମୟରେ ବ୍ରଜମୋହନ ରାମ ଓଡ଼ିଶାରେ ବିଜେପିର ଅନୁସୂଚିତ ଜାତି ମୋର୍ଚ୍ଚାକୁ ଅଧିକ ସକ୍ରିୟ କରିବା ଏବଂ ଦଳ ପାଇଁ ଅଧିକ ଭୋଟ୍ ଆଣିବା ନେଇ ମନ୍ତବ୍ୟ ଦେଇଥିବା କଥା କହିଥିଲେ। ସେ ଝାଡ଼ଖଣ୍ଡରେ ବିଜେପିର ଦଳିତ ମୋର୍ଚ୍ଚାର ଅଧ୍ୟକ୍ଷ ଥିବା ଏବଂ ସଂଗଠନକୁ ମଜବୁତ କରିବାରେ କାମ କରିଥିବା କଥା ମଧ୍ୟ କହିଥିଲେ ବୋଲି ଚର୍ଚ୍ଚା ହେଉଥିଲା।

ବାସ୍! ଏହି ଗୋଟିଏ କଥା ସାମ୍ନାକୁ ଆସିବା ପରେ ଆରମ୍ଭ ହେଲା ରାଜନୈତିକ ଝଡ଼। ଯାହାକୁ ନେଇ ଓଡ଼ିଶାରେ ବିରୋଧୀମାନଙ୍କୁ ନେଇ ଦେଖା ଦେଇଥିଲା ବଡ ହଲଚଲ| ବିଜୁ ଜନତା ଦଳ ଏହି ବୟାନକୁ ନେଇ ପ୍ରଶ୍ନ ଉଠାଇଥିଲା, ରାଜ୍ୟପାଳଙ୍କ ପଦବୀରେ ରହିବାକୁ ଥିବା ବ୍ୟକ୍ତିଙ୍କଠାରୁ ଏଭଳି ମନ୍ତବ୍ୟ ଆଶା କରାଯାଏ ନାହିଁ। ଏହା ରାଜ୍ୟପାଳଙ୍କ ନିରପେକ୍ଷତା ଉପରେ ଏକ ବଡ ପ୍ରଶ୍ନ |

କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗରେ ସମାଲୋଚନା କରିଥିଲା । ତେବେ, ଏଠାରେ ପ୍ରଶ୍ନ ହେଉଛି—ରାଜ୍ୟପାଳ କୌଣସି ଗୋଟିଏ ରାଜନୈତିକ ଦଳର ପ୍ରତିନିଧି ନୁହନ୍ତି। ସେ ହେଉଛନ୍ତି ସାମ୍ବିଧାନିକ ପଦବୀରେ ଥିବା ବ୍ୟକ୍ତି। ତେଣୁ ତାଙ୍କ ପ୍ରତ୍ୟେକଟି ବକ୍ତବ୍ୟ ଏବଂ ଆଚରଣକୁ ନେଇ ଜନସାଧାରଣଙ୍କ ଆଶା ରହିବା ସ୍ୱାଭାବିକ।

କିନ୍ତୁ ବିବାଦ ବଢ଼ିବା ପରେ ଶେଷରେ ମୁହଁ ଖୋଲିଲେ ରାଜ୍ୟର ନୂତନ ରାଜ୍ୟପାଳ। ବ୍ରଜମୋହନ ରାମ କହିଛନ୍ତି—ସେ ଏଭଳି କୌଣସି ମନ୍ତବ୍ୟ ଦେଇନାହାନ୍ତି। ସେ କେବଳ ସମସ୍ତଙ୍କ ସହ ସମନ୍ୱୟ ରଖି କାମ କରିବା କଥା କହିଥିଲେ। ବର୍ତ୍ତମାନ ସେ ଦଳୀୟ ରାଜନୀତିରୁ ଊର୍ଦ୍ଧ୍ୱରେ ଅଛନ୍ତି ଏବଂ କୌଣସି ନିର୍ଦ୍ଦିଷ୍ଟ ଦଳ ପାଇଁ କାମ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି। ତେବେ ନିଜର ପୂର୍ବ ଦଳ ପ୍ରତି ଆଗ୍ରହ ଓ ଭଲପାଇବା ରହିବ ବୋଲି ମଧ୍ୟ ସେ କହିଛନ୍ତି।

ଏବେ ପ୍ରଶ୍ନ ହେଉଛି—ଏହି ବିବାଦ କେବଳ ବୟାନକୁ ନେଇ ଏକ ରାଜନୈତିକ ଝଡ଼, ନା ରାଜ୍ୟପାଳଙ୍କ ସାମ୍ବିଧାନିକ ନିରପେକ୍ଷତାକୁ ନେଇ ଗଭୀର ଆଲୋଚନାର ଆବଶ୍ୟକତା ରହିଛି? ବିଜେପି ସହ ପୂର୍ବ ସମ୍ପର୍କ ରହିବା ଗୋଟିଏ କଥା, କିନ୍ତୁ ରାଜ୍ୟପାଳ ଭାବେ ସମସ୍ତ ଦଳ ପ୍ରତି ସମାନ ଆଚରଣ ଦେଖାଇବା ହେଉଛି ଏକ ବଡ଼ ଦାୟିତ୍ୱ।

କାରଣ ରାଜ୍ୟପାଳଙ୍କ ଚେୟାର କୌଣସି ଦଳର ଚେୟାର ନୁହେଁ। ଏହା ହେଉଛି ସମ୍ବିଧାନର ମର୍ଯ୍ୟାଦାର ପ୍ରତୀକ। ତେବେ ନୂଆ ରାଜ୍ୟପାଳ ନିଜ କାର୍ଯ୍ୟକାଳରେ ଏହି ନିରପେକ୍ଷତାକୁ କିପରି ପ୍ରମାଣିତ କରୁଛନ୍ତି ତାହା ଉପରେ ରହିବ ନଜର।