ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଷ୍ଠିତ ଗ୍ରାମସଭାରେ ଉଠିଲା ଶ୍ରମିକଙ୍କ ହକ୍ କଥା। ବର୍ଦ୍ଧିତ ଦରଦାମକୁ ଦୃଷ୍ଟିରେ ରଖି ତୁରନ୍ତ ମଜୁରୀ ବଢ଼ାଇବାକୁ ଗାଁ ଗାଁରେ ଜୋରଦାର ଦାବି ହୋଇଛି। ବଲାଙ୍ଗୀର ଜିଲ୍ଲା ଖପ୍ରାଖୋଲ ବ୍ଲକର ଘୁନସର, ତେଲେନପାଲି ଏବଂ ରେଙ୍ଗାଲି ଆଦି ପଞ୍ଚାୟତରେ ଏଭଳି ଅସନ୍ତୋଷ ଦେଖିବାକୁ ମିଳିଛି।
ଏହି ଅବସରରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଅର୍ଥାତ୍ ଭି.ବି.ଜି ରାମଜୀ ଯୋଜନାର ବିଫଳତାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ତେଲେନପାଲି ସମିତି ସଭ୍ୟ ତଥା ବ୍ଲକ ଉପାଧ୍ୟକ୍ଷ ଶୁଖିରାମ ଷଣ୍ଢ। ଠିକ୍ ସମୟରେ କାମ କିମ୍ବା ପାଉଣା ନ ମିଳିବା ଏବଂ କାମ କରୁନଥିବା ଲୋକଙ୍କ ଖାତାକୁ ଟଙ୍କା ଯିବା ଭଳି ଦୁର୍ନୀତି ଯୋଗୁଁ ସରକାରଙ୍କ କୋଟି କୋଟି ଟଙ୍କାର ପ୍ରକଳ୍ପ ବାଟବଣା ହୋଇଛି।
ସଠିକ୍ ପରିଚାଳନା ଅଭାବରୁ ଅଞ୍ଚଳରେ ଦାଦନ ପ୍ରଥା ଉଗ୍ର ରୂପ ନେଇଛି। ନୂଆଖାଇ ପୂର୍ବରୁ ଦାଦନ ସର୍ଦ୍ଦାରଙ୍କଠାରୁ ବଇନା ନେଇସାରିଲେଣି ଅନେକ ଶ୍ରମିକ। ମହଙ୍ଗା ମାଡ଼ରେ ସରକାରୀ କର୍ମଚାରୀଙ୍କ ଦରମା ବଢୁଥିବା ବେଳେ, ଗରିବ ଖଟିଖିଆଙ୍କ ମଜୁରୀ କାହିଁକି ବଢୁନାହିଁ ବୋଲି ଗ୍ରାମସଭାରେ ତୀବ୍ର ପ୍ରଶ୍ନ ଉଠିଛି।
