\n\n\n\n\n\n\n

ନିର୍ବାଚନ କମିଶନଙ୍କ ବିରୋଧରେ ମହାବିକ୍ଷୋଭ!

ନିର୍ବାଚନ କମିଶନଙ୍କ ବିରୋଧରେ ବିଶାଳ ମହାବିକ୍ଷୋଭ!
ଭୋଟର ତାଲିକାରେ ବଡ଼ ଧରଣର ଜାଲିଆତି?
ଫର୍ମ-୬ କୁ ନେଇ ବଡ଼ ବିବାଦ!
ସରକାରଙ୍କ ଇଙ୍ଗିତରେ ବଦଳୁଛି କି ନିୟମ?
ବିପଦରେ କି ଦେଶର ପବିତ୍ର ଗଣତନ୍ତ୍ର?

ଗଣତନ୍ତ୍ରର ସବୁଠାରୁ ବଡ଼ ପର୍ବ ହେଉଛି ନିର୍ବାଚନ। କିନ୍ତୁ ଯଦି ସେହି ପ୍ରକ୍ରିୟା ଉପରେ ହିଁ ବଡ଼ ପ୍ରଶ୍ନବାଚୀ ଲାଗିଯାଏ? କ୍ଷମତାର ଖେଳରେ ଭୋଟର ତାଲିକାକୁ ନେଇ ଚାଲିଛି କି କୌଣସି ବଡ଼ ଷଡ଼ଯନ୍ତ୍ର? ନିର୍ବାଚନ କମିଶନଙ୍କ ସ୍ୱଚ୍ଛତାକୁ ନେଇ ଏବେ ସାରା ଦେଶରେ ଉଠିଛି ଝଡ଼। ସିଷ୍ଟମ୍ ଏବଂ ସରକାରୀ କଳର କାର୍ଯ୍ୟଶୈଳୀ ବିରୋଧରେ ଏବେ ଖୋଲାଖୋଲି ରାସ୍ତାକୁ ଓହ୍ଲାଇଛନ୍ତି ମୁଖ୍ୟ ବିରୋଧୀ ଦଳ।

ବିବାଦର କେନ୍ଦ୍ରବିନ୍ଦୁ ପାଲଟିଛି ଭୋଟର ପଞ୍ଜୀକରଣର ଅନଲାଇନ୍ ‘ଫର୍ମ-୬’। ଅଭିଯୋଗ ହେଉଛି, ବେଆଇନ ଭାବେ ଏହି ଫର୍ମରେ ପରିବର୍ତ୍ତନ କରାଯାଇଛି। ପ୍ରଶ୍ନ ଉଠୁଛି- କାହା ଚାପରେ ଏବଂ କାହା ସ୍ୱାର୍ଥରେ ବଦଳିଲା ଏହି ଫର୍ମ? ଘରୋଇ ସଂସ୍ଥା ହାତରେ ନିର୍ବାଚନ ବ୍ୟବସ୍ଥାର ଡୋରି କିଏ ଟେକି ଦେଲା? କଣ କ୍ଷମତାରେ ଥିବା ସରକାର ପଛୁଆ ରାସ୍ତା ଆପଣାଇ ନିର୍ବାଚନ ବୈତରଣୀ ପାର ହେବାକୁ ଉଦ୍ୟମ କରୁଛନ୍ତି? ଏମିତି ଅନେକ ତୀଖା ପ୍ରଶ୍ନ ଏବେ ସରକାରୀ କଳକୁ ଅଡୁଆରେ ପକାଇଛି।

ଗଣତନ୍ତ୍ର ବଞ୍ଚାଇବା ଦାବିରେ ଆସନ୍ତା ଅକ୍ଟୋବର ୬ରେ ଦିଲ୍ଲୀରେ ମହାପଦଯାତ୍ରା, ଆଉ ମୁମ୍ବାଇରେ ‘ଜେଲ୍ ଭରୋ’ ଆନ୍ଦୋଳନ ପାଇଁ ପ୍ରସ୍ତୁତି ସରିଛି। ଅକ୍ଟୋବର ୮ ଯାଏଁ ସାରା ଦେଶରେ କମ୍ପିବ ରାଜରାସ୍ତା। ଯଦିଓ ନିର୍ବାଚନ କମିଶନ ସବୁ ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି ଯେ ଫର୍ମରେ କେବଳ ଏକ ଘୋଷଣାନାମା ଯୋଡାଯାଇଥିଲା ଯାହାକୁ ଏବେ ହଟାଇ ଦିଆଯାଇଛି।

କିନ୍ତୁ ସନ୍ଦେହର ନିଆଁ ଲିଭିବା ବଦଳରେ ଆହୁରି ତେଜିଛି। ଯଦି ସବୁ ଠିକ୍ ଥିଲା ତେବେ ରାତାରାତି ତାକୁ ହଟାଇବାର ଆବଶ୍ୟକତା କଣ ଥିଲା? ଏବେ ସମସ୍ତଙ୍କ ନଜର ନିର୍ବାଚନ କମିଶନଙ୍କ ଉପରେ, କିପରି ସେମାନେ ନିଜର ବିଶ୍ୱାସନୀୟତା ଫେରାଇ ଆଣିବେ ନା ଏହା ପଛରେ ଥିବା କୌଣସି ଅଦୃଶ୍ୟ ଶକ୍ତି ଆଗରେ ମୁଣ୍ଡ ନୁଆଁଇବେ!